ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲି ପାଳନ ହେବାକୁ ଆଉ କିଛିଦିନ ବାକି ଅଛି। କିନ୍ତୁ ତା’ପୂର୍ବରୁ ହୋଲି ଖେଳି ଜଣେ ଛାତ୍ର ଗିରଫ୍ ହୋଇଛି।

ଗୁରୁଗାଁଓର ଜଣେ ସ୍କୁଲ ଛାତ୍ରକୁ ହୋଲି ଖେଳିବା ମହଙ୍ଗା ପଡ଼ିଛି। ଘଟଣାଟି ଗୁରୁଗ୍ରାମ ଜିଲ୍ଲାର ଫରୁଖାଁନଗର ଉପନଗର ଅଞ୍ଚଳର ମେହଚନାଠାରେ ଘଟିଛି।

ଅଷ୍ଟମ ଶ୍ରେଣୀର ଛାତ୍ର ଜଣକ ଶ୍ରେଣୀର ଜଣେ ଛାତ୍ରୀ ମୁଣ୍ଡରେ ଅବିର ଲଗାଇ ଦେଇଥିଲା। ଝିଅଟି ସିନ୍ଦୁର ଲଗାଇଛି ବୋଲି ଅଭିଯୋଗ କରିଛି।

ଅଭିଯୋଗକୁ ଭିତ୍ତି କରି ଛାତ୍ରକୁ ବାଳ ସୁଧାର ଗୃହ ପଠାଇ ଦେଇଛି ଗୁରୁଗାଁଓ ପୋଲିସ୍।

ପିଓସିଏସ୍‌ଓ ଆକ୍ଟର ଜାମିନ ବିହୀନ ସେକ୍‌ସନ୍‌ରେ ଗିରଫ କରି ଜୁବେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଥିଲା। ବୋର୍ଡ ତାକୁ ଦୁଇ ସପ୍ତାହ ପାଇଁ ଫରିଦାବାଦର ଶୁଧାର ଗୃହକୁ ପଠାଇ ଦେଇଛନ୍ତି।

ସୋମବାର ଦିନ ଉଭୟ ଛାତ୍ର ଓ ଛାତ୍ରୀ ସ୍କୁଲ୍‌କୁ ଯାଉଥିବାବେଳେ ଏହି ଘଟଣା ଘଟିଛି।

ଝିଅଟି ତାଙ୍କ ଘରେ ଅଭିଯୋଗ କରିଥିଲା କି, ତା’ କ୍ଲାସ୍‌ମେଟ୍‌ ଜାଣିଶୁଣି ଜୋର୍‌ଜବରଦସ୍ତ ତା’ ମୁଣ୍ଡରେ ସିନ୍ଦୂର ବୋଳିଥିଲା। ପରିବାର ଲୋକେ ସ୍ଥାନୀୟ ଥାନାରେ ପହଞ୍ଚି ବାଳକ ବିରୋଧରେ ଅପରାଧିକ ଏତଲା ଦାଏର କଲେ। ପ୍ରଥମେ ମାମଲା ଫରୁଖାଁନଗର ଥାନାରେ ପଞ୍ଜିକୃତ ହେବା ପରେ ତାହାକୁ ମାଣେଶ୍ୱରସ୍ଥିତ ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

“ଛାତ୍ର ଜଣକ ଅବିର ନୁହେଁ ତା’ ମୁଣ୍ଡରେ ସିନ୍ଦୂର ଲଗାଇଥିଲା”, କହିଛନ୍ତି ଝିଅର ଅଜା । ପୁଲିସ ଘଟଣାସ୍ଥଳକୁ ଯାଇ ଲାଲ୍‌ ମୁରୁଜର ନମୁନା ସଂଗ୍ରହ କରିବା ସହ ଫଟୋ ଉଠାଇଛି।

ପୁଅ ପରିବାର ଏ ଭଳି ଘଟଣାକୁ ଅବିଶ୍ୱାସ କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନରେ ମର୍ମାହତ ହୋଇଛନ୍ତି।

“ପୁଅକୁ ମାତ୍ର ୧୪ ବର୍ଷ। ଏ ଭଳି ବୟସର ପିଲାଏ ଦୀପାବଳି ଓ ହୋଲି ଭଳି ପର୍ବ ପାଳନ କରିବାକୁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥାଆନ୍ତି। ପର୍ବ ଦିନର ଅବ୍ୟବହିତ ପୂର୍ବରୁ ପାଳନ ମଧ୍ୟ କରି ପକାନ୍ତି। ଏଥିରେ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥାଏ ସିନ୍ଦୂରର ତାତ୍ପର୍ଯ୍ୟ ସେ ବୁଝିଥିବ ବୋଲି ବିଚାର କରିବା ବଡ଼ ଅନ୍ୟାୟ। ସେ ନିରୀହ। ତାକୁ କଠୋର ଦଣ୍ଡରେ ଦଣ୍ଡିତ କଲେ ତା’ର ଭବିଷ୍ୟତ ନଷ୍ଟ ହୋଇଯିବ”, ପୁଅର ମାଆ କହିଛନ୍ତି।

 

Comment