ଓଡ଼ିଶାଲାଇଭ୍ ବ୍ୟୁରୋ

- ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
- ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନବୀନ ପଟ୍ଟନାୟକ
- ‘ଦ ଟଲ୍ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ରାଷ୍ଟ୍ରପତିଙ୍କୁ ଦେଲେ
- ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
କଟକସ୍ଥିତ ଆନନ୍ଦ ଭବନ ମ୍ୟୁଜିୟମ୍ ଏବଂ ଲର୍ଣ୍ଣିଂ ସେଣ୍ଟରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ମାର୍ଚ୍ଚ ୧୭ କିମ୍ବା ୧୮ରେ ଆନନ୍ଦ ଭବନ ମ୍ୟୁଜିୟମ୍ ଏବଂ ଲର୍ଣ୍ଣିଂ ସେଣ୍ଟରକୁ ଲୋକାର୍ପଣ କରାଯିବ। ଏଥିପାଇଁ ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛି। ରାଷ୍ଟ୍ରପତି ବି ଓଡ଼ିଶା ଆସିବାକୁ ସହମତି ପ୍ରକାଶ କରିଛନ୍ତି। ତାରିଖ ଠିକ୍ ହେବା ପରେ ରାଷ୍ଟ୍ରପତିଙ୍କୁ ସୂଚନା ଦିଆଯିବ।”
ମୁଖ୍ୟମନ୍ତ୍ରୀ ‘ଦ ଟଲ୍ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ମଧ୍ୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।
ବିଜୁ ବାବୁଙ୍କ ବାସଭବନ ଆନନ୍ଦ ଭବନକୁ ରାଜ୍ୟ ସରକାର ମ୍ୟୁଜିୟମରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟୁଜିୟମରେ ବିଜୁ ବାବୁଙ୍କୁ ବହୁ ବିରଳ ଫଟୋ ସ୍ଥାନିତ କରାଯିବ।

















