ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ଗିଫ୍ଟ ପ୍ୟାକେଟ୍ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁରରୁ ଆସିଥିବା ସ୍ଵତନ୍ତ୍ର ବୋମା ବିଶେଷଜ୍ଞ ଦଳ ଆସି ତନାଘନା ଚଳାଇଛନ୍ତି।

ଶୁକ୍ରବାର ଦିନ ଘଟିଥିବା ବାହାଘର ଗିଫ୍ଟ ପ୍ୟାକ୍ ବ୍ଲାଷ୍ଟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗିଫ୍ଟ ପ୍ୟାକେଟ୍ କେଉଁଠୁ ଆସିଥିଲା ତାକୁ ନେଇ ଖୋଳତାଡ଼ କରିଛି ପାଟଣାଗଡ଼ ପୋଲିସ। ସମ୍ବଲପୁରରୁ ଆସିଥିବା ବୋମା ବିଶେଷଜ୍ଞ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ ଚଳାଇଛନ୍ତି।

ଗିଫ୍ଟ ଫ୍ୟାକେଟ୍‌ଟି ସ୍କାଏ କିଙ୍ଗ ନାମକ ଏକ କୋରିୟର୍ ସଂସ୍ଥା ପକ୍ଷରୁ ଆସିଥିଲା। ଦୁଇଜଣ ଯୁବକ ଏହି ଗିଫ୍ଟିକୁ ଆଣିଥିବେ ବୋଲି ଜଣାପଡ଼ିଛି।

ସଂସାର କରିବା ପୂର୍ବରୁ ପୋଛି ହୋଇଗଲା ମଥାର ସିନ୍ଦୂର। ଆଖି ଆଗରେ ଛଟପଟ ହୋଇ ଚାଲିଗଲେ ସ୍ୱାମୀ ଏବଂ ଜେଜେମା। ଅଷ୍ଟମଙ୍ଗୁଳା ସରିବା ପୂର୍ବରୁ ବିଧବା ହୋଇଗଲେ ନବବଧୂ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀରର ପାଟଣାଗଡ଼ରେ। ବାହାଘରରେ ମିଳିଥିବା ଗିଫ୍ଟ ପ୍ୟାକେଟ ଖୋଲିବା ବେଳେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ଏବଂ ରିନାଙ୍କ ସ୍ୱପ୍ନର ତାଜମହଲ ଚୁର୍‌ମାର୍‌ ହୋଇଯାଇଛି।

୧୮ ତାରିଖରେ ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିନାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା।

କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିନା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟିଏ ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି।

ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ଗୋଟିଏ ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା। ଘର କାନ୍ଥ ଓ ଚଟାଣରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ଚନ୍ଦ୍ରଶେଖରଙ୍କର ମୃତ୍ୟୁ ଘଟିଥିଲା। ରିନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comment