ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଏକ ନୂଆ ଧାରା ସୃଷ୍ଟି କରିଛି। ସେହି ଧାରାଟି ହେଉଛି ହୀନ ରାଜନୈତିକ ଆଚରଣ ଓ ହିଂସାକାଣ୍ଡ।
ବିଜେପୁର ବିଧାନସଭା ଉପ-ନିର୍ବାଚନରେ କିଏ ଜିତିବ ଏବଂ କିଏ ହାରିବ ତାର ପୂର୍ବାନୁମାନ କରିବା କଷ୍ଟକର। ଏହା ଜାଣିବା ପାଇଁ ୨୮ତାରିଖ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ। କିନ୍ତୁ ବିଜେପୁର ଉପ-ନିର୍ବାଚନ ଏକ ନୂଆ ଧାରା ସୃଷ୍ଟି କରିଛି। ସେହି ଧାରାଟି ହେଉଛି ହୀନ ରାଜନୈତିକ ଆଚରଣ ଓ ହିଂସାକାଣ୍ଡ।
ବିଜେପୁରରେ ନିର୍ବାଚନ ପ୍ରଚାର ଯେଉଁଭଳି ହେଲା ଓ ସବୁ ଦଳର ନେତା ଯେଉଁଭଳି ପରସ୍ପରକୁ ଆକ୍ରମଣ କଲେ ତାହା ଅତି ନିମ୍ନ ମାନର ଥିଲା। ନିକଟ ଅତୀତରେ ଅନ୍ୟ କୌଣସି ନିର୍ବାଚନରେ ନେତାମାନେ ଏତେ ତଳକୁ ଖସି ଯାଇ ନ ଥିଲେ, ଯାହା ବିଜେପୁରରେ ଦେଖିବାକୁ ମିଳିଥିଲା।
ବିଜେପୁର ଏହି ଇଙ୍ଗିତ ବି ଦେଉଛି ଯେ ଆସନ୍ତା ୨୦୧୯ ବିଧାନସଭା ନିର୍ବାଚନ ଆହୁରି ଭୟଙ୍କର ଓ ହିଂସାତ୍ମକ ହେବ।
ସ୍ଥାନୀୟ ଜଣେ ବିଜେପି ନେତାଙ୍କ ଘର ଉପରକୁ ଗୁଳି ମାଡ଼, କୁମ୍ଭାରୀ ଗାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାରେ ଯୋତା ଫିଙ୍ଗା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ମରଣାତ୍ମକ ଆକ୍ରମଣ ଭଳି ହୀନ ରାଜନୈତିକ ଆଚରଣ ଦେଖିବାକୁ ମିଳିଛି।
ଯଦି ଘଟଣା ଗୁଡ଼ିକର ନିରପେକ୍ଷ ଆକଳନ କରାଯାଏ ତେବେ ବିଜେପି ହିଁ ଏଥିରେ ସନ୍ଦେହ ଘେରକୁ ଆସିବ। ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଯେ ନିଜ ଆଡୁ ପ୍ରଥମେ ହିଂସା ପ୍ରଦର୍ଶନ କରିଥିଲେ ତାହା ବିଶ୍ୱାସ କରିବା କଷ୍ଟ। ଏହା ସତ କଥା ଯେ ବିଜେପୁରକୁ ହାତେଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପୂରା ସୈନ୍ୟ ସାମନ୍ତଙ୍କୁ କାମରେ ଲଗାଇଦେଇଥିଲେ। କିନ୍ତୁ ବିଜେପି ଉପରେ ଶାରୀରିକ ଆକ୍ରମଣ ପାଇଁ ତାଙ୍କ ପକ୍ଷରୁ କୁହାଯାଇଥିବ ଏହା ପରତେ ଯିବା କଷ୍ଟ।
ସତ କହିଲେ, ବିଜେପୁର ଉପ-ନିର୍ବାଚନ ଜିତିବା ବିଜେଡି ଓ ନବୀନଙ୍କ ଅପେକ୍ଷା ବିଜେପି ଏଠ ଧର୍ମେନ୍ଦ୍ରଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଉ ଖାସ୍ ଏଇଥି ପାଇଁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସମସ୍ତ ପ୍ରକାର କୌଶଳକୁ କାମରେ ଲଗାଇଥିଲେ। ଏଭଳି କରିବା ଭିତରେ ନିର୍ବାଚନ ପ୍ରଚାରର ଗ୍ରହଣୀୟ ତରିକା ଗୁଡିକୁ ବିଜେପି ତଳେ ପକାଇ ଦେଇଥିଲେ। ଧରିନେବାକୁ ହେଉଛି ଯେ ବିଜେପୁର ନିର୍ବାଚନ ହିଁ ବିଜେପିର ଅସଲ ସ୍ୱରୂପକୁ ପଦାରେ ପକାଇଛି।
ମାଠିଆରେ ପାଣି ଧରି ପିଙ୍କି ପ୍ରଧାନ ଯେଉଁ ଭଳି ରନିଂ କମେଣ୍ଟାରୀ ଦେଉଥିଲେ ତାହା ନିର୍ବାଚନ ପ୍ରଚାରରେ ସାଧାରଣ ଦୃଶ୍ୟ ହୋଇପାରେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତଳସାରି ସଭାରେ ଅଣ୍ଡା ଫୋପାଡ଼ି ବଦନାମ ହୋଇଥିବା ରାଜେଶ୍ୱରୀ କମିଳାଙ୍କୁ ପାଖରେ ବସାଇ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ ଓ କମିଳା ଯେଉଁଭଳି ଗାଳି ଭର୍ତ୍ତି ଭାଷଣ ଦେଲେ ତାହା ନିର୍ବାଚନ ପ୍ରଚାରର ସମସ୍ତ ବ୍ୟାକରଣକୁ ତଳେ ପକାଇଦେଇଥିଲା।
ରାଜେଶ୍ୱରୀ କମିଳା ଭାରି ଭଲ ଓ ସାହସିକ କାମଟିଏ କରିଛନ୍ତି ବୋଲି କହିବାକୁ ଯାଇ ବିଜେପି ନିଜର ଭାବମୂର୍ତ୍ତିକୁ ନିଜେ ହିଁ ନଷ୍ଟ କରିଛି। ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବିଜେପି ହିଂସାକୁ ରାଜନୈତିକ ପ୍ରଚାରର ଅସ୍ତ୍ର କରିବାକୁ ଚାହୁଁଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଫିଙ୍ଗା ଘଟଣାରେ ମଧ୍ୟ ବିଜେପି ଢେର ସମାଲୋଚନାର ଶିକାର ହୋଇଛି।
ସବୁଠାରୁ ଜଘନ୍ୟ ଘଟଣା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଘଟଣା। ବିଜେପିକୁ ବଦନାମ କରିବା ପାଇଁ ଶାସକ ବିଜେଡ଼ି ଏହି ଯୋତା ଫୋପଡା ଡ୍ରାମା କରିଥିଲା ବୋଲି ବିଜେପି ନେତାଙ୍କ ବୟାନ ଯେତିକି ହାସ୍ୟାସ୍ପଦ ସେତିକି ଅପରିପକ୍ୱ। ଠିକ୍ ସେହିଭଳି ବିଜେପୁରରେ ଯାହା ଯେତେବେଳେ ଘଟିଲା ତାହାକୁ ନେଇ ବିଜେଡି ନେତାମାନେ ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ମଧ୍ୟ ସମାନ ଭାବରେ ହାସ୍ୟାସ୍ପଦ।
ଏକ ନିର୍ଦିଷ୍ଟ ଟିଭି ଚାନେଲ ବିରୋଧରେ ପେଡ ନ୍ୟୁଜର ଅଭିଯୋଗ ଆଣିବା ଘଟଣା ସୂଚଉଛି ଯେ ଶାସକ ବିଜେଡିରେ ପରିପକ୍ୱ ନେତାଙ୍କ ଅଭାବ ରହିଛି। ମୋଟାମୋଟି କହିବାକୁ ଗଲେ ୨୮ ତାରିଖରେ ଭୋଟ ଗଣତି ପରେ ହୁଏତ ବିଜେପୁର ଉପନିର୍ବାଚନର ମାସାଧିକ ସମୟର କୋଳାହଳ ଶେଷ ହେବ। କିନ୍ତୁ ଅସଲ ଯୁଦ୍ଧ ଏହିଠାରୁ ହିଁ ଆରମ୍ଭ ହେଲା ଏ କଥା କହିବାରେ ଆଦୌ କୁଣ୍ଠା ନାହିଁ।








ବିଜେପୁର ଉପ-ନିର୍ବାଚନ ଏକ ନୂଆ ଧାରା ସୃଷ୍ଟି କରିଛି। ସେହି ଧାରାଟି ହେଉଛି ହୀନ ରାଜନୈତିକ ଆଚରଣ ଓ ହିଂସାକାଣ୍ଡ।






