ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କଗୁଡ଼ିକରେ ବର୍ତ୍ତମାନ ଦେଖାଦେଇଥିବା ଠକେଇ ସମସ୍ୟା ଓ ସରକାରୀ ଯୋଜନାରେ ଲୋକମାନଙ୍କୁ ଋଣ ଦେବାରେ ବ୍ୟାଙ୍କଗୁଡ଼ିକର ଅନିଚ୍ଛା ସମ୍ପର୍କରେ ଆଲୋଚନା।

ବାଲେଶ୍ଵର ଜିଲ୍ଲାରେ ଥିବା ବ୍ୟାଙ୍କଗୁଡ଼ିକର ତ୍ରୈମାସିକ ସମୀକ୍ଷା ବୈଠକ ସୋମବାର ଅପରାହ୍ଣରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଜିଲାପାଳ ରମେଶ ରାଉତଙ୍କ ସଭାପତିରେ ଅନୁଷ୍ଠିତ ବୈଠକରେ ବ୍ୟାଙ୍କଗୁଡ଼ିକରେ ବର୍ତ୍ତମାନ ଦେଖାଦେଇଥିବା ଠକେଇ ସମସ୍ୟା ଓ ସରକାରୀ ଯୋଜନାରେ ଲୋକମାନଙ୍କୁ ଋଣ ଦେବାରେ ବ୍ୟାଙ୍କଗୁଡ଼ିକର ଅନିଚ୍ଛା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

“ବ୍ୟାଙ୍କଗୁଡ଼ିକରେ ଦେଖା ଦେଇଥିବା ଠକେଇକୁ ରୋକିବାକୁ ପଦକ୍ଷେପ ନେବାକୁ ପରାମର୍ଶ ନିଆଯିବା ଉଚିତ। ବର୍ତମାନ ବ୍ୟାଙ୍କଗୁଡ଼ିକରେ ଏନପିଏ ୧୨% ଓ ଆଉଟଷ୍ଟାଣ୍ଡିଂ ଡ୍ୟୁୟୁ ୩୮ ପ୍ରତିଶତ । ଅର୍ଥାତ ବ୍ୟାଙ୍କଗୁଡ଼ିକର ପ୍ରାୟ ୫୦ ପ୍ରତିଶତ ଅର୍ଥ ବକେୟା ପଡ଼ି ରହିଛି । ଯାହା ଭବିଷ୍ୟତରେ ବ୍ୟାଙ୍କ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ଅଚଳ ହେବାର ପରିସ୍ଥିତିକୁ ଆମନ୍ତ୍ରଣ କରୁଛି। ଅଗ୍ରାଧିକାର କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସରକାରୀ ଯୋଜନାରେ ଋଣ ଦେବାକୁ ଆଗ୍ରହ କରିବା ଉଚିତ୍। ସିଡ଼ି ରେସିଓ ଅନୁସାରେ ବ୍ୟାଙ୍କ ବାଲେଶ୍ଵର ଜିଲ୍ଲାରେ ସଂଗ୍ରହ କରୁଥିବା ଅର୍ଥର ୬୦ ପ୍ରତିଶତ ଋଣ ଦେବାର ପ୍ରାବଧାନ ରହିଛି । ହେଲେ ଏଯାଏଁ ୫୩ ପ୍ରତିଶତ ଋଣ ଦେଇଛି । ଏହି ଅର୍ଥକୁ ନେଇ ବ୍ୟାଙ୍କ ଅନ୍ୟ ଜିଲ୍ଲା ତଥା ଅନ୍ୟ ରାଜ୍ୟରେ ବିନିଯୋଗ କରୁଛି । ଯାହା ରିଜର୍ଭ ବ୍ୟାଙ୍କର ଗାଇଡ଼ ଲାଇନକୁ ବିରୁଦ୍ଧାଚରଣ କରୁଛି । ଏଥିପ୍ରତି ସଜାଗ ହେବା ସହିତ ଆବଶ୍ୟକ ପଡ଼ିଲେ ବ୍ୟାଙ୍କଗୁଡ଼ିକର ଲାଇସେନ୍ସ ରଦ୍ଦ କରାଯାଉ”,କହିଛନ୍ତି ସାଂସଦ ରବିନ୍ଦ୍ର କୁମାର ଜେନା।

ସେହିପରି “କିଷାନ କ୍ରେଡ଼ିଟ କାର୍ଡରେ କୃଷକମାନଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ଥିବାବେଳେ ବ୍ୟାଙ୍କଗୁଡ଼ିକ ନୂଆ ଋଣ ନଦେଇ ଲୋନ ରିନ୍ୟୁ ଦେଖାଇ ଟାର୍ଗେଟ ପୂରଣ କରୁଛନ୍ତି । ସେହିପରି ମୁଦ୍ରା ଋଣ ଯୋଜନାରେ ୫୦ ହଜାରରୁ କମ ଟଙ୍କା ଋଣ ଦେଉଛନ୍ତି । ଏହାଦ୍ୱାରା ଯୋଜନା ଫଳବତି ହେବନି । ଉଭୟ କିସମର ଋଣ ଦେଇ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି”, କହିଛନ୍ତି ସାଂସଦ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିନିଧି, ନାବାଡର ପ୍ରତିନିଧି, ଲିଡ଼ ବ୍ୟାଙ୍କ ମ୍ୟାନେଜର ହରି କ୍ରିଷ୍ଣା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here