ପ୍ରମୁଖ ସମ୍ବାଦଦାତା, ଓଡ଼ିଶାଲାଇଭ୍
- “୨୦୧୯ରେ ବିଜେଡି ପୁଣି ସରକାର ଗଢ଼ିବ”
- “ବିଜେପୁରବାସୀ ଦେଲେ ହିଂସାର ଜବାବ”
- “ବିଜେପିର ମିଶନ ୧୨୦ ଏକ ବାହାସ୍ଫୋଟ”
୨୦୧୯ ନିର୍ବାଚନରେ ବିଜେଡି ପୁଣି ସରକାର ଗଢ଼ିବ। ବିଜେପିର ‘ମିଶନ ୧୨୦’ ଏକ ବୃଥା ଆସ୍ଫାଳନ। ବିଜୁ ଜନତା ଦଳ ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଓ ସମର୍ଥନ ରହିଛି ଓ ଏହା ୨୦୧୯ରେ ପୁଣି ପ୍ରତିଫଳିତ ହେବ।…ବିଜେପୁର ଜନାଦେଶ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ଏଭଳି ଦୃଢ଼ତା ପ୍ରକାଶ କରିଛନ୍ତି।
ଆଜି ସକାଳେ ବିଜେପୁରରୁ ପ୍ରଥମ କିଛି ରାଉଣ୍ଡ ଫଳାଫଳ ଆସିବା ସହ ଏହାର ସଙ୍କେତ ମିଳିଥିଲା ଯେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ଆଡ଼କୁ ମୁହାଁଉଛନ୍ତି। ମୋଟ୍ ୨୧ ରାଉଣ୍ଡ ଭୋଟଗଣତି ମଧ୍ୟରୁ ୮-୧୦ ରାଉଣ୍ଡ ସୁଦ୍ଧା ଏହି ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ପ୍ରତି ଗଣତି ରାଉଣ୍ଡ ବେଳକୁ ବଢ଼ିବାରେ ଲାଗିଥିଲା। ଏହାସହିତ ତାଳଦେଇ ଭୁବନେଶ୍ୱରରେ ଥିବା ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା।
ଆଜି ମଧ୍ୟାହ୍ନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ ସ୍ପଷ୍ଟ ହୋଇଯିବା ପରେ ମୁହଁ ଖୋଲିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିବାସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଥିଲେ ଯେ ବିଜେପୁରର ଭୋଟରମାନେ ବିଜେଡି ପ୍ରତି ଦୃଢ଼ ସମର୍ଥନ ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ତା’ ସହିତ ବିଜେପୁର ବିଜୟ ପାଇଁ କଠିନ ପରିଶ୍ରମ କରିଥିବା ଦଳୀୟ କର୍ମୀମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ।
‘ବିଜେପିର ମିଶନ ୧୨୦ ଏକ ବାହାସ୍ଫୋଟ’
ଆଜି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରତିକ୍ରିୟା ନେବା ବେଳେ ବିଜେପିର ‘ମିଶନ ୧୨୦’ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରଶ୍ନ ଉତ୍ତରରେ ନବୀନ କହିଥିଲେ ଯେ ଏହା ଏକ ବୃଥା ବାହାସ୍ଫୋଟ। ଏହା ପଛରେ କୌଣସି ସତ୍ୟତା ବା ସମ୍ଭାବନା ନାହିଁ। ୨୦୧୯ ନିର୍ବାଚନରେ ତାଙ୍କ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲକରି ପୁଣି ସରକାରକୁ ଫେରିବ ବୋଲି ନବୀନ ଦାବି କରିଛନ୍ତି।
ଓଡ଼ିଶାର ଭୋଟର କେବେ ହିଂସାକୁ ସମର୍ଥନ ଦେବେ ନାହିଁ
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ କେବେ ବି ହିଂସାକୁ ସମର୍ଥନ କରିବେ ନାହିଁ। ବିଜେପୁର ଉପ-ନିର୍ବାଚନରେ ଏହା ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ କହିଛନ୍ତି।
ବିରୋଧୀ ବିଜେପିର ନାଁ ଉଚ୍ଚାରଣ ନକରି ନବୀନ କହିଥିଲେ ଯେ ବିଜେପୁରର ଭୋଟରମାନେ ହିଂସାର ଉଚିତ୍ ଜବାବ ଦେଇଛନ୍ତି। କହିବାର ବିଷୟ ହେଉଛି ଯେ ଏଥର ଉପ-ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲମାଡ଼ ଘଟଣା ଚର୍ଚ୍ଚିତ ହୋଇଥିଲା। ସେହିପରି ରାଜନୈତିକ ହିଂସାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସାନଭାଇ ସୁବ୍ରତ ସିଂଙ୍କ ଗାଡ଼ି ଡ୍ରାଇଭରର ମୃତ୍ୟୁ ଘଟଣା ଏକ ବଡ଼ ପ୍ରସଙ୍ଗ ହୋଇଥିଲା। ଦୁର୍ବୃର୍ତ୍ତଙ୍କ ଗୁଳିମାଡ଼ରେ ସୁବ୍ରତ ସିଂ ଗୁରତର ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ।
ନବୀନଙ୍କ ବିଜୟ
ବିଜେପୁର ଉପ-ନିର୍ବାଚନ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପାଇଁ ଥିଲା ମର୍ଯ୍ୟାଦାର ପ୍ରଶ୍ନ। ଏହି ‘କର ବା ମର’ ପରିସ୍ଥିତିର ମୁକାବିଲା କରିବା ପାଇଁ ଉଭୟ ଦଳ ଢେର ପ୍ରସ୍ତୁତି କରିଥିଲେ। ୨ରୁ ୩ ସପ୍ତାହ ଧରି ବିଜେପୁରରେ ପ୍ରଚାର ଜୋରଦାର ହୋଇଥିଲା। ବିଜେଡି ପକ୍ଷରୁ ବହୁ ଛାମୁଆ ନେତା ସେଠାରେ ଡେରା ପକାଇଥିଲେ। ଜିଲ୍ଲାର ମନ୍ତ୍ରୀ ସୁଶାନ୍ତ ସିଂ ପ୍ରାୟ ୩ ମାସରୁ ଅଧିକ ସମୟ ଧରି ସେଠାରେ ରହି ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା କରୁଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨ ଦିନିଆ ବିଜେପୁର ଗସ୍ତରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ କୌଣସି ପରିସ୍ଥିତିରେ ବିଜେଡି ଏହି ଆସନକୁ ହାତଛଡ଼ା କରିବାକୁ ଚାହୁଁନାହିଁ।
ଅନ୍ୟପକ୍ଷରେ ବିଜେପି ଚଳିତ ଉପ-ନିର୍ବାଚନରେ ଅଧିକ କନ୍ଫିଡେଣ୍ଟ ଦେଖାଯାଉଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ବିଜେପୁର ବିଜୟ ପାଇଁ ଏକପ୍ରକାର ଆଶା ବାନ୍ଧି ବସିଥିଲା। ଦଳର ରାଜ୍ୟସ୍ତରୀୟ ସବୁ ବଡ଼ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀମାନେ ବିଜେପୁର ଆସି ପ୍ରଚାର କରିଥିଲେ। ତେବେ ବିଜେପୁର ଜନାଦେଶରୁ ବିଜେଡି-ବିଜେପି ମଧ୍ୟରେ ଯେଉଁ ଭୋଟ୍ ବ୍ୟବଧାନ ଦେଖିବାକୁ ମିଳିଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ବିଜେପିର ନିର୍ବାଚନୀ ବଟିକା ବିଶେଷ କାଟୁ କଲା ନାହିଁ।
ବିଜେପୁର ଗଣିତରେ ବିଜେଡି ନମ୍ବର ୧
ବିଜେପୁର ଉପ-ନିର୍ବାଚନ ଭୋଟ୍ ଫଳାଫଳ ଉପରେ ଏବେ ନଜର ପକାଇବା। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ମିଳିଛି ୧,୦୨,୮୭୧ ଭୋଟ୍। ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପାଇଛନ୍ତି ୬୦,୯୩୮। ଏହି ଭୋଟ୍ରେ କଂଗ୍ରେସ ତା’ର ଚରମ ବିଫଳତା ପ୍ରମାଣ କରିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦,୨୭୪ ଖଣ୍ଡ ଭୋଟ୍। ଦୀର୍ଘଦିନ ଧରି ବିଜେପୁରରେ କଂଗ୍ରେସ ଜିତିଆସୁଥିବା ବେଳେ ଏଥର ଦଳୀୟ ପ୍ରାର୍ଥୀ ଅମାନତ ହରାଇଛନ୍ତି।
ଚଳିତ ଉପ-ନିର୍ବାଚନରେ ନୋଟା ବ୍ୟବହାରକରି ୧୬୬୫ ଜଣ ଭୋଟର ଠିଆ ହୋଇଥିବା କୌଣସି ପ୍ରାର୍ଥୀଙ୍କୁ ନ ବାଛିବାକୁ ଉଚିତ୍ ମନେକରିଛନ୍ତି।
୨୦୧୪ ନିର୍ବାଚନର ଫଳାଫଳ ଥିଲା ଏହିପରି। କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବିଜେପୁରରେ କଂଗ୍ରେସର ବିଜୟୀ ପ୍ରାର୍ଥୀ ସୁବଳ ସାହୁ ପାଇଥିଲେ ୫୩,୨୯୦ ଭୋଟ୍। ସେତେବେଳେ ସେ ବିଜେଡିର ହେଭିୱେଟ୍ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଥିଲେ। ପ୍ରସନ୍ନଙ୍କୁ ମିଳିଥିଲା ୫୨,୮୩୨ ଖଣ୍ଡ ଭୋଟ୍। ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ପାଇଥିଲେ ୩୦,୦୦୧ ଭୋଟ୍। ଏହି ନିର୍ବାଚନ ବିଜେଡି ପାଇଁ ଯେତିକି ପ୍ରଭାବ ପକାଇ ନଥିଲା, ତା’ଠାରୁ ଅଧିକ ଭାରି ହୋଇପଡ଼ିଥିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ। କାରଣ ଏହା ପ୍ରସନ୍ନଙ୍କ ରାଜନୈତିକ କ୍ୟାରିଅର ପାଇଁ ଥିଲା ଏକ ବିରାଟ ଧକ୍କା।
ଚଳିତ ଉପ-ନିର୍ବାଚନରେ ବିଜେଡି ବ୍ୟାପକ ଭୋଟ୍ରେ ବିଜୟ ଲାଭ କରିଛି। ‘ଏଥର ବିଜେପୁରରେ ବିଜେପି’ ବୋଲି ଯେଉଁ ସ୍ୱର କେତେକ ଜାଗାରେ ଶୁଭୁଥିଲା, ତାହା ଥମିଯାଇଛି। ସେହିପରି ବିଜେଡି ଉପରକୁ ଦମ୍ଭ ଦେଖାଉଥିଲେ ମଧ୍ୟ ଦଳୀୟ ନେତାଙ୍କ ମନ ଭିତରେ ଜିତିବା-ହାରିବା ନେଇ ଯେଉଁ ଦକ ରହିଥିଲା, ତାହା ମଧ୍ୟ ଦୂର ହୋଇଛି। ବିଜେପିର ରଣନୀତିରେ ଭୁଲ ହେଉ ବା ବିଜେଡିର ପ୍ରାଣମୂର୍ଚ୍ଛା ଉଦ୍ୟମ; ବିଜେପୁରବାସୀଙ୍କ ଉପରେ ବିଜେପି ପ୍ରଭାବ ପକାଇ ନ ପାରିବା ହେଉ ବା ବିଜେଡିର ରଣକୌଶଳ – ବିଜେଡିର ବିଜେପୁର ବିଜୟ ପଛର ଯଦି ସବୁଠୁ ବଡ଼ କାରଣ ଖୋଜାଯାଏ, ତେବେ ସମ୍ଭବତଃ ତା’ର ସଂକ୍ଷିପ୍ତ ଉତ୍ତର ହେବ ‘ନବୀନ’!














