ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଥଣ୍ଡା ହୋଇଥିବାରୁ ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
“ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ହୋଲିର ଅଭିନନ୍ଦନ ଜଣାଉଛି। ସମସ୍ତେ ହୋଲିର ମଜା ନିଅନ୍ତୁ। ମୋତେ ଥଣ୍ଡା ହୋଇଥିବାରୁ ମୁଁ ଏବର୍ଷ ହୋଲି ଖେଳୁନାହିଁ”, କହିଛନ୍ତି ନବୀନ ପଟ୍ଟନାୟକ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନବୀନ କହିଥିଲେ, “ଖୁବ୍ଶିଘ୍ର ପ୍ରାର୍ଥୀ ଘୋଷଣା କରାଯିବ”।
ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏପ୍ରିଲ ମାସରେ ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଏ ଭି ସ୍ବାମୀ ଏବଂ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିପାଇଁ ନିର୍ବାଚନ କମିଶନ ନୋଟିସ ମଧ୍ୟ ଜାରି କରିଛନ୍ତି। ମାର୍ଚ୍ଚ ୨୩ରେ ରାଜ୍ୟସଭା ପାଇଁ ଭୋଟ ହେବ।
ଓଡ଼ିଶାର ଖାଲି ପଡ଼ୁଥିବା ୩ଟି ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏଥର ରାଜନେତାମାନେ ପ୍ରାର୍ଥୀ ହେବେ ବୋଲି ନବୀନ ସ୍ପଷ୍ଟ କରି ସାରିଛନ୍ତି।














