ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ବିଧାୟିକା ଭାବେ ଶପଥ ନେଇଛନ୍ତି ରିତା ସାହୁ। ଫଳରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୮ରେ ପହଞ୍ଚିଛି।

ବିଜେପୁରର ବିଧାୟିକା ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ରିତା ସାହୁ। ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତ ରିତା ସାହୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ଦୀର୍ଘ ୧୪ବର୍ଷ ପରେ ବିଜେଡି ହାତକୁ ଆସିଛି। ଏଠାରେ ହୋଇଥିବା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରିତା ସାହୁ ନିକଟତମ ପ୍ରତିଦ୍ଵନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

୨୦୧୪ ନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁ ବିଜେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ହେବା ପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା। ସୁବଳଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ। ପରେ ସୁବଳଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ୧୩ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିପୁଳ ଭୋଟ ବିଜୟୀ ହୋଇଥିଲେ ରିତା ସାହୁ।

“ବିଧାୟିକା ଭାବେ ଶପଥ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ମୁଁ ଧନ୍ୟବାଦ ଜଣାଇଛି। ବିଜେପୁର ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମୁଁ ବିଧାନସଭାରେ ଉଠାଇବି। ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ସମାଧାନ କରିବେ ବୋଲି ମୋର ଆଶା ରହିଛି”, କହିଛନ୍ତି ରିତା ସାହୁ।

ଏହି ବିଜୟ ଫଳରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୧୧୮ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here