ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ସାମ୍ବାଦିକ, ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
ରାଜ୍ୟ ରାଜନୀତି ପାଇଁ ଏକ ରୋଚକ ଖବର। ଗତ କିଛିଦିନ ଧରି ଯେଉଁ ସମ୍ବାଦକୁ ନେଇ ଚର୍ଚ୍ଚା ହେଉଥିଲା ତାହା ଆଜି ସତ୍ୟରେ ପରିଣତ ହୋଇଛି। ବରିଷ୍ଠ ସାମ୍ବାଦିକ, ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
ଆଜି ସକାଳେ ସୌମ୍ୟ ବାବୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ବିଜେଡିର ପ୍ରମୁଖ ନେତା ତଥା ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ପାର୍ଟିକୁ ସ୍ଵାଗତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବିଜେଡିରେ ସୌମ୍ୟବାବୁଙ୍କ ଯୋଗଦାନ ସହ ତାଙ୍କ ‘ଆମ ଓଡ଼ିଶା ଦଳ’ ଏକ ପ୍ରକାର ରାଜନୈତିକ ସତ୍ତା ହରାଇ ବସିଛି। ଅନ୍ୟପକ୍ଷରେ ରାଜ୍ୟସଭାକୁ ସୌମ୍ୟଙ୍କୁ ବିଜେଡି ପଠାଇବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ମଧ୍ୟ ଏକ ନିର୍ଣ୍ଣାୟକ ରୂପ ନେବ ବୋଲି ବିଚାର କରାଯାଉଛି।
ନବୀନ-ସୌମ୍ୟ ଭେଟଘାଟ୍
କିଛିମାସ ତଳେ ଦିନେ ବିଳମ୍ବିତ ସନ୍ଧ୍ୟାରେ ନବୀନ ନିବାସରେ ସୌମ୍ୟରଞ୍ଜନଙ୍କ ଗାଡ଼ି ପଶିବାକୁ ନେଇ ହଲଚଲ ଆରମ୍ଭ ହୋଇଥିଲା। ନବୀନ-ସୌମ୍ୟଙ୍କ ଭିତରେ ପ୍ରାୟ ଏକଘଣ୍ଟା ଧରି କ’ଣ ଆଲୋଚନା ହୋଇଥିଲା ବୋଲି ମିଡିଆ ଜାଣିବାକୁ ଚାହିଁଥିଲା। ହେଲେ ଏ ପ୍ରସଙ୍ଗରେ ସୌମ୍ୟରଞ୍ଜନ ଗଣମାଧ୍ୟମକୁ ଯାହା ଉତ୍ତର ଦେଇଥିଲେ ତାହା ହେଉଛି ଯେ ନବୀନ ତାଙ୍କୁ ନିଜ ଆଡ଼ୁ ଡାକିଥିଲେ। ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଥିଲେ।
ସୌମ୍ୟଙ୍କ ଏହି ସଫେଇକୁ ସେତେବେଳେ ମିଡିଆ ଗ୍ରହଣ କରିନଥିଲା। ସେତେବେଳୁ ନବୀନ-ସୌମ୍ୟ ସମ୍ପର୍କକୁ ନେଇ କାହାଣୀର ମୂଳଦୁଆ ପଡ଼ିଥିଲା। ସେହି ରାଜନୈତିକ କାହାଣୀର ଆଜି କ୍ଲାଇମାକ୍ସରେ ମିଡିଆ କ୍ୟାମେରା ଆଗରେ କୋଳାକୋଳି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦୀର୍ଘବର୍ଷ ଧରି ତାଙ୍କୁ(ନବୀନ) ଓ ତାଙ୍କ ଶାସନ ଷ୍ଟାଇଲକୁ ସମାଲୋଚନା କରିଆସୁଥିବା ମିଡିଆ ବ୍ୟକ୍ତିତ୍ଵ ସୌମ୍ୟରଞ୍ଜନ ପଟ୍ଟନାୟକ।
Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics