ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୯ଟି ଜିଲ୍ଲାର ୧୧୭ ବ୍ଲକକୁ ନେଇ ପରିଷଦ ଗଠିତ
  • ପରିଷଦରେ ୧୪ ଲକ୍ଷ ଜନଜାତି ପରିବାର ସାମିଲ
  • ପରିଷଦ ଅଧ୍ୟକ୍ଷଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ସମ୍ମାନ ମିଳିବ

ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି। ଏନେଇ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୯ଟି ଜନଜାତି ବହୁଳ ଜିଲ୍ଲାକୁ ନେଇ ଏହି ପରିଷଦ ଗଠନ କରାଯାଇଛି।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୧୧୭ଟି ବ୍ଲକକୁ ନେଇ ପରିଷଦ ଗଠନ କରାଯାଇଛି। ୨୦୨୨ଟି ପଞ୍ଚାୟତର ୮୬୮୭ ଗ୍ରାମର ୧୪ ଲକ୍ଷ ଜନଜାତି ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି।

ଏହି ପରିଷଦରେ ଜଣେ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ସଦସ୍ୟ ମଧ୍ୟ ରହିବେ। ପ୍ରତ୍ୟେକ ଜିଲ୍ଲାର ଜନଜାତି ଗୋଷ୍ଠୀର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସରକାର ଅଧ୍ୟକ୍ଷ ଭାବେ ମନୋନିତ କରିବେ। ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ପଦବୀରେ ଜଣେ ମହିଳା ରହିପାରିବେ। ସେମାନେ କୌଣସି ଚାକିରୀ ବା ସରକାରୀ ପଦପଦବୀରେ ରହି ନଥିବେ।

ପରିଷଦ ଅଧ୍ୟକ୍ଷଙ୍କୁ ମନ୍ତ୍ରୀ ପାହ୍ୟାର ସମ୍ମାନ ମିଳିବ। ଉପାଧ୍ୟକ୍ଷଙ୍କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ଜିଲ୍ଲା ପରିଷଦ ସଦସ୍ୟମାନେ ଯେଉଁ ସମ୍ମାନ ପାଉଛନ୍ତି ତାହା ସରକାର ଯୋଗାଇ ଦେବେ। ପ୍ରତ୍ୟେକ ଜିଲ୍ଲା ସଦରମହକୁମାରେ ପରିଷଦର ମୁଖ୍ୟାଳ଼ୟ ରହିବ।

“ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି। ଜନଜାତିଙ୍କୁ ଆହୁରି ସୁବିଧା ସୁଯୋଗ ଦେବା ଲାଗି ପରିଷଦ ଗଠନ କରାଯାଇଛି। ଏହି ପରିଷଦ ଜନଜାତିଙ୍କ ବିକାଶ ପାଇଁ କାମ କରିବା ସହ ଭାଷା, ସଂସ୍କୃତିକୁ ବଞ୍ଚାଇ ରଖିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment