ଓଡ଼ିଶାଲାଇଭ୍‍ ବ୍ୟୁରୋ

୨୦୧୭ ଜାନୁଆରୀ ମାସରେ ଯେତେବେଳେ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଲା ଓଡ଼ିଶାର ବିଜେପି ନେତାମାନେ କହିବା ଆରମ୍ଭ କଲେ ଯେ ଓଡ଼ିଶାରେ ବିଜେଡିର ସମୟ ଶେଷ ହୋଇ ଆସିଲାଣି। ଏହି ନିର୍ବାଚନ ଫଳାଫଳ ବାସ୍ତବରେ ବିଜେପି ପାଇଁ ଅପ୍ରତ୍ୟାଶିତ ଥିଲା। ୨୦୧୨ ପଂଚାୟତ ନିର୍ବାଚନ ତୁଳନାରେ ବିଜେପିକୁ ୫୦ ପ୍ରତିଶତ ଭୋଟର ଫାଇଦା ହୋଇଥିଲା। ୮୫୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପିକୁ ମିଳିଥିଲା ୩୦୬ ଆସନ।

ବଢତି ହିସାବରେ ବିଜେପିକୁ ୨୭୦ ଆସନ ଯାଇଥିବା ବେଳେ ଶାସକ ବିଜେଡ଼ିକୁ ୧୯୧ ଆସନର ଘାଟା ହୋଇଥିଲା। ଏହି ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପି ବିଜେଡିର ଦୁର୍ଗରେ କେବଳ ଧସେଇ ପଶିଥିଲା ତାହା ନୁହେଁ କଂଗ୍ରେସକୁ ମାତ ଦେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲା।

ପଂଚାୟତ ନିର୍ବାଚନ ଫଳ ବିଜେପି ନେତାଙ୍କ ଭିତରେ ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଥିଲା ଓ ସମସ୍ତେ କହିବା ଆରମ୍ଭ କଲେ ଯେ ‘୨୦୧୯ ଆମର’। ଏବେ ବିଜେପୁରକୁ ଆସନ୍ତୁ ଓ ଉପନିର୍ବାଚନ ଫଳ ଉପରେ ଦୃଷ୍ଟି ପକାନ୍ତୁ।

ବିଜେପୁର ଆସନଟି ଜିତିବା ତ ପରର କଥା ଭୋଟର ସଂଖ୍ୟା ହିସାବରେ ମଧ୍ୟ ବିଜେପି ବିଶେଷ ଭାବରେ କିଛି ଫାଇଦା ଉଠାଇପାରିନାହିଁ। ବିଜେପୁର ଉପନିର୍ବାଚନ ଫଳର ଯଦି ବ୍ୟବଚ୍ଛେଦ କରାଯାଏ ଗୋଟିଏ କଥା ସାମ୍ନାକୁ ଆସିବ ଯେ ୨୦୧୪ରେ ଯେଉଁମାନେ କଂଗ୍ରେସକୁ ଭୋଟ ଦେଇଥିଲେ ସେମାନେ ଉପନିର୍ବାଚନରେ ବିଜେଡିକୁ ଭୋଟ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ରିତା ସାହୁ ପାଇଥିବା ୪୨ ହଜାର ଭୋଟ ଅଧିକାଂଶ କଂଗ୍ରେସ ଭୋଟ।

ପଞ୍ଚାୟତ ନିର୍ବାଚନରେ ବିଜେପି ଜିତିବାର ଗୋଟିଏ ବଡ଼ କାରଣ ଥିଲା କଂଗ୍ରେସ ଭୋଟ ସବୁ ବିଜେପିକୁ ଯାଇଥିଲା। କିନ୍ତୁ ଏଥର ତାହା ହୋଇନାହିଁ। ବିସ୍ତାରିତ ଭାବରେ କହିଲେ, ଗୋଟିଏ ପଟେ କଂଗ୍ରେସ ତଳକୁ ତଳକୁ ଯାଉଥିବା ବେଳେ ବିଜେପି ଏହି ଭୋଟକୁ ଗୋଟାଇବାରେ ସମର୍ଥ ହୋଇନାହିଁ। ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହି ବିଷୟ ପ୍ରତି ଧ୍ୟାନ ଦେବା ଦରକାର ଯଦି ଦଳ ୨୦୧୯ରେ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଚାଲେଞ୍ଜ ଦେବାକୁ ଦଳ ଚାହୁଁଛି।

କଂଗ୍ରେସର ଦୁରବସ୍ଥାର ଫାଇଦା ବିଜେପି ଉଠାଇବା ପାଇଁ ଚେଷ୍ଟା କରିବା ଦରକାର। ଯୁକ୍ତି କରିବାକୁ ଗଲେ, ଓଡ଼ିଶାରେ ଯେତେ ବିରୋଧୀ ଭୋଟ ରହିଛି ତାହା ବିଜେପି ଅକ୍ତିଆର କରିବା ଆବଶ୍ୟକ।

ବିଜେପୁର ଉପନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ବର୍ତ୍ତମାନ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଆଗାମୀ ଦିନରେ ଭାଷଣ କାମ ଦେବ ନାହିଁ ଏବଂ ଓଡ଼ିଶାରେ ବିଜେପି ନେତୃତ୍ୱ ମଧ୍ୟ ପରିବର୍ତ୍ତନ ହେବା ଦରକାର। ଏକଥା କହିବା ବାହୁଲ୍ୟ ଯେ ବିଜେପୁରରେ ଧର୍ମେନ୍ଦ୍ରଙ୍କ ରଣନୀତି ମୂଳରୁ ହିଁ ତ୍ରୁଟିପୂର୍ଣ୍ଣ ଥିଲା। ବିଜେପି କେନ୍ଦ୍ର ନେତାମାନେ ଧର୍ମେନ୍ଦ୍ରଙ୍କୁ ଓଡିଶା ଦାୟିତ୍ୱରେ ରଖିଥିଲେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ବି ଗଢିତୋଳି ଦିଆଯାଇଥିଲା। ବିଜେପୁର ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭକରି ପ୍ରଚାର ପର୍ଯ୍ୟନ୍ତ ଧର୍ମେନ୍ଦ୍ର ନିଜେ ସବୁ ସମ୍ଭାଳୁଥିଲେ ଓ ଅନ୍ୟ କାହାକୁ ସେଠି ଭର୍ତ୍ତି କରାଇ ଦେଉନଥିଲେ।

ଏପରିକି ଦଳର ବରିଷ୍ଠ ନେତା ଯଥା ଦିଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ବି ଅଣଦେଖା କରାଯାଇଥିଲା। ବିଜେପିର ଏକ ରିପୋର୍ଟ କହୁଛି ଯେ କେନ୍ଦ୍ର ନେତୃତ୍ୱ ଏବେ ହୃଦୟଙ୍ଗମ କରିପାରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ଏତେ କ୍ଷମତାଶାଳୀ କରିବା ଉଚିତ ନଥିଲା। ବିଜେପି ଉପନିର୍ବାଚନରେ ଅତି ଭଲ କରିନଥିଲେ ହେଁ ଏବଂ ଶାସକ ବିଜେଡି ତୁଳନାରେ ଦଳର ସ୍ଥିତି ଓଡ଼ିଶାରେ ଏତେ ଭଲ ନଥିଲେ ବି ସବୁ କିଛି ସରିଗଲାଣି ବୋଲି ଭାବିବା ଉଚିତ ନୁହେଁ।

ଯଦିଓ ଦଳର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପରାଜିତ ହେଲେ ତଥାପି ଭୋଟ ବ୍ୟବଧାନ ଏତେ ସଂଗିନ ନୁହେଁ। ବର୍ତ୍ତମାନ ବିଜେପି ପାଇଁ କାମ ହେଉଛି ଆଗାମୀ ଦିନରେ କ’ଣ ରଣନୀତି ହେବ ସେ ନେଇ ଗଭୀର ଚିନ୍ତନ କରିବା। ଯଦି ବିଜେଡି ଏବେ ସବୁକିଛି ନିଜର ବୋଲି ଭାବୁଛି, ଏହାକୁ ଅକାମି କରିବାକୁ ହେଲେ ବିଜେପିକୁ ତା’ର ନୂଆ ରଣକୌଶଳ ପ୍ରସ୍ତୁତ କରିବାକୁ ହେବ। ବିଜେପୁର ନିର୍ବାଚନ ଫଳ ପରିପ୍ରେକ୍ଷୀରେ ଦଳକୁ ତୃଣମୂଳ ସ୍ତରରେ ସଜାଡ଼ିବାକୁ ପଡିବ।

LEAVE A REPLY

Please enter your comment!
Please enter your name here