ମିନତି ମିଶ୍ର
ଓଡ଼ିଶାରେ ବିଜେପିର ନୂଆ ସରକାରକୁ ୧୦୦ ଦିନ ପୂରିଛି। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିଲା ବିଜେପି। ଦଳ ଲୋକଙ୍କ ଭରସା ଜିତିବା ସହ ୨୪ ବର୍ଷର ବିଜେଡି ଗଡ଼କୁ ଭେଦିବାରେ ସଫଳ ହୋଇଥିଲା। ଏହି ୧୦୦ ଦିନର ଶାସନ ଭିତରେ ସରକାରଙ୍କ କ’ଣ ଉପଲବ୍ଧି ରହିଲା, ସରକାର ନିଜର କେତେ କଥା ରଖିଛି ତଥା ଲୋକେ ଏସବୁକୁ କେତେ ଗ୍ରହଣ କରିଛନ୍ତି, ତା’ର ହିସାବ କରିବାର ସମୟ ଆସିଛି।
ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି। ଜୁନ୍ ୧୨ ତାରିଖ ଥିଲା ଶପଥ ଗ୍ରହଣ ଉତ୍ସବ। ଆଉ ଆଜି ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ୧୦୦ ଦିନ ପୂରଣ ହୋଇଛି। ୧୦୦ ଦିନ ପୂର୍ତ୍ତି ପାଳନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀ ଶରଧାବାଲିରେ ଆଜି ୧୦୦ ଦିନର ହିସାବ ଦେବେ ସରକାର। ଏହି କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଓ କର୍ମକର୍ତ୍ତା ଯୋଗ ଦେବେ। ୨୨ ତାରିଖ ଯାଏଁ ଚାଲିବ ଏହି ୧୦୦ ଦିନ ପୂର୍ତ୍ତି ଉତ୍ସବ।
ତେବେ ୧୦୦ ଦିନର ଶାସନ ଭିତରେ କ’ଣ କରିଛି ବିଜେପି ସରକାର? ଆସନ୍ତୁ ଜାଣିବା।
ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ଵାର
ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାର ପ୍ରଥମେ ଖୋଲିଥିଲେ ଶ୍ରୀମନ୍ଦିରର ୪ ଦ୍ୱାର। ସରକାର ଗଢ଼ିବା ପରେ ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ପୂର୍ବରୁ କେବଳ ସିଂହ ଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଥିବାରୁ ପୁରୀବାସୀ ତଥା ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଅସନ୍ତୋଷ ଥିଲା। ତେବେ ୪ ଦ୍ୱାର ଖୋଲିବା ପରେ ଭକ୍ତଙ୍କ ଅସନ୍ତୋଷ ତ ଦୂର ହେଲା, ତେବେ ଏହାପରେ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ଅନ୍ୟ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ସ୍ଥାନାନ୍ତର ହେଲା ରତ୍ନଭଣ୍ଡାର ଅଳଙ୍କାର
ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛନ୍ତି ସରକାର। କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ରତ୍ନ ଓ ସ୍ୱର୍ଣ୍ଣାଳଙ୍କାର ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ଏହାର ଗଣତିମଣତି କରାଯିବ।
ସେହିପରି ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ନେଇ ବି ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଏସଆଇ ଟିମ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରୁଛନ୍ତି। କିଛି ଦିନ ମଧ୍ୟରେ ମରାମତି କାମ ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ରତ୍ନଭଣ୍ଡାରର ଅଳଙ୍କାରର ସୁରକ୍ଷା ବାବଦରେ ରିପୋର୍ଟ ଜାଣିବାକୁ ଏବେବି ଚାହିଁ ବସିଛନ୍ତି ୪ କୋଟି ଓଡ଼ିଆ।
ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା
ନିର୍ବାଚନ ବେଳେ ବିଜେପିର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ଦୁଇଦିନ ତଳେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ଯାଇଛି ୧୨୫୦ କୋଟି ୫୫ ହଜାର ଟଙ୍କା। ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଆସି ଏହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି।
ତେବେ ପ୍ରତିଶ୍ରୁତିରେ ବିଜେପି କହିଥିଲା ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ। ଏବେ ଏହାର ଅବଧି ୫ ବର୍ଷକୁ ବୃଦ୍ଧି ପାଇଛି। ଏହାସହ ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯିବା ନିଷ୍ପତ୍ତିକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ମିଶନ ଶକ୍ତିକୁ ମାତ ଦେବ ବୋଲି କୁହାଯାଉଥିବା ଏହି ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହେବନି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।
ଧାନ ଏମଏସପି ୩୧୦୦ ଟଙ୍କା ଅପେକ୍ଷାରେ ଚାଷୀ
ନିର୍ବାଚନ ସମୟରେ ବିଜେପି ଧାନର ଏମଏସପି ବା ସର୍ବନିମ୍ନ ସହାୟତା ମୂଲ୍ୟ ୩୧୦୦ ଟଙ୍କାକୁ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ଚାଷୀ ବେଶ ଉତ୍ସାହିତ ହୋଇଛନ୍ତି। ଚଳିତ ବର୍ଷ ବର୍ଷା ବି ଭଲ ହୋଇଛି। ତେଣୁ ଧାନ ଭଲ ହେବ ଏବଂ ଭଲ ରୋଜଗାର ହେବ ବୋଲି ଆଶା ବାନ୍ଧିଛନ୍ତି ଚାଷୀ।
ମୁଖ୍ୟମନ୍ତ୍ରୀ ବୁଧବାର ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଚଳିତ ବର୍ଷ ଏକ କୋଟି ମେଟ୍ରିକ ଟନ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିସହିତ ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ତେବେ ଏହି ପ୍ରତିଶ୍ରୁତି ସରକାର କିପରି ପାଳନ କରିବେ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ। ନୂଆ ସରକାର ଏ ଯାଏଁ ମଣ୍ଡି ବ୍ୟବସ୍ଥା କରି ନାହାନ୍ତି କିମ୍ବା ମଣ୍ଡିକୁ ଆସିଥିବା ଚାଷୀ ଏବଂ ଧାନର ସୁରକ୍ଷା ପାଇଁ ବ୍ୟବସ୍ଥା କରି ନାହାନ୍ତି। ପୂର୍ବ ପରି ଧାନ ବିକିବାକୁ ଆସିଥିବା ଚାଷୀ ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ଅସନ୍ତୋଷ ପୁଣି ବଢ଼ିବାର ସମ୍ଭାବନା ରହିଛି।
ଅସ୍ମିତା ଜାଲରେ ଫସି ଯିବେ କି ସରକାର?
ବିଜେପିର ସବୁଠାରୁ ବଡ଼ ନାରା ହେଉଛି ‘ଓଡ଼ିଆ ଅସ୍ମିତା’। ଏବେ ଏହି ଅସ୍ମିତା ଜାଲରେ ନିଜେ ଛନ୍ଦି ହୋଇ ଯାଇଛି ବିଜେପି ସରକାର। ଯଦିଓ ସରକାରୀ କାଗଜପତ୍ରରେ ଓଡ଼ିଆ ଭାଷା ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି, ତେବେ ଏହା କେତେଦୂର ସଫଳ ହେବ ତାହା ଜଣାନାହିଁ। ଏହା ପୂର୍ବରୁ ଅନେକ ସରକାର ଏଭଳି ନୀତିକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇ ନାହାନ୍ତି। ଏପରିକି ନିକଟରେ ସରିଥିବା ବିଧାନସଭା ଅଧିବେଶନରେ ଯେଉଁଭଳି ଭାବେ ମନ୍ତ୍ରୀଙ୍କ ଉତ୍ତରକୁ ଓଡ଼ିଆରେ ଉପସ୍ଥାପନ କରାଯାଇଛି, ସେଥିରେ ଅନେକ ତ୍ରୁଟି ନଜରକୁ ଆସିଛି। ତେଣୁ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଇବା ନୂଆ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।
ଏହାବ୍ୟତୀତ ପୂର୍ବ ସରକାରର ବିଭିନ୍ନ ଯୋଜନାରେ ପରିବର୍ତ୍ତନ ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ଆଦି କେତେକ ପ୍ରସଙ୍ଗରେ ମଧ୍ୟ ବିଜେପି ସରକାରକୁ ଅସ୍ମିତା ଜାଲରେ ଫସାଇ ଦେଇଛନ୍ତି ବିରୋଧୀ। ତେଣୁ ଆଗକୁ ବିଜେପି ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସଫଳ ହେବ ନା ଏହି ଅସ୍ମିତା ଜାଲରେ ଫସିଯିବେ ତାହା ସମୟ କହିବ।
୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବା, ବାର୍ଦ୍ଧକ୍ୟ ଭତ୍ତା ବଢ଼ାଇବା ପରି କେତେକ ନିଷ୍ପତ୍ତି ମୋହନ ମାଝୀଙ୍କ ସରକାରକୁ ଯେତିକି ମାଇଲେଜ ଦେଇଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ପ୍ରତ୍ୟାହାର କରିଛନ୍ତି ନିଷ୍ପତ୍ତି
୧୦୦ ଦିନ ମଧ୍ୟରେ ସରକାର ଅନେକ ନିଷ୍ପତ୍ତି ଗ୍ରହଣ କରି ପୁଣି ଏହାକୁ ପ୍ରତ୍ୟାହାର ବି କରିଛନ୍ତି। ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି।
କ୍ଷମତାକୁ ଆସିବାର ଅଳ୍ପଦିନ ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ନାମ ପରିବର୍ତ୍ତନ କରି ଏହାକୁ ପ୍ରତ୍ୟାହାର କରିଥିଲେ ସରକାର। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ବାଦ ଦିଆଗଲା ଆଉ ମୁଖ୍ୟମନ୍ତ୍ରୀ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। ଏସବୁ ପ୍ରସଙ୍ଗ ସରକାରରେ ତାଳମେଳର ଅଭାବକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସେହିପରି ଏବେ ସରକାର ନୂଆ ଅବକାରୀ ନୀତିକୁ ନେଇ ଫସିଛନ୍ତି। ମଦ ବିକ୍ରିକୁ ବନ୍ଦ କରିବେ ବୋଲି କହିଥିଲେ ସରକାର। ତେବେ ପର୍ଯ୍ୟଟନର ବିକାଶ ପାଇଁ ବେଳାଭୂମିରେ ମଦ କୁଟୀର ଖୋଲିବା ପାଇଁ ଘୋଷଣା କଲେ। ଏହାକୁ ନେଇ ସୃଷ୍ଟି ହୋଇଥିବା ଜନଅସନ୍ତୋଷକୁ ଦେଖି ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ଏବଂ ଧାର୍ମିକ ସ୍ଥାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବ ନାହିଁ ବୋଲି କହିଛନ୍ତି।
ଆଉ ଏକ ପ୍ରତ୍ୟାହୃତ ଘୋଷଣା ହେଉଛି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ। ବିଧାନସଭାରେ ଏକ ଲିଖିତ ଉତ୍ତରରେ ପ୍ରଥମେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ରୋକ ଠୋକ ମନା କରିଥିଲେ ସରକାର। ହେଲେ ପଶ୍ଚିମାଞ୍ଚଳବାସୀଙ୍କ ପ୍ରତିକ୍ରିୟା ଦେଖି ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ ଏ ବିଷୟ ବିଚାରାଧୀନ ରହିଛି ବୋଲି କହିଛନ୍ତି ସରକାର।
ପରିବର୍ତ୍ତନ ହୋଇଛି ଅନେକ ଯୋଜନାର ନାଁ
ବିଜେପି ସରକାର ଏବେ ରାଜ୍ୟରେ ପୂର୍ବରୁ ଚାଲୁଥିବା ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି। ପୂର୍ବ ସରକାର ଆଣିଥିବା ଯୋଜନାର ନାଁ ଆଉ ରଙ୍ଗ ବଦଳିଛି। ଲକ୍ଷ୍ମୀ ବସ, ଓମଫେଡ କ୍ଷୀର ପ୍ୟାକେଟର ରଙ୍ଗ ବଦଳାଇଛନ୍ତି। କାଳିଆ ଯୋଜନା, ବିଏସକେୱାଇ ଯୋଜନା, ଆଦର୍ଶ ବିଦ୍ୟାଳୟ ଯୋଜନା, ମୋ ସ୍କୁଲ ଅଭିଯାନ ପରି ଅନେକ ଯୋଜନାର ନାଁ ବଦଳାଇଛନ୍ତି। ଏଥିପାଇଁ ବିଜେପି ସରକାରଙ୍କୁ ‘ନେମ ଚେଞ୍ଜର ସରକାର’ ବୋଲି କହି ବିଜେଡି କଡ଼ା ସମାଲୋଚନା କରିଛି।
Tags: #OdishaGovt #BJP #Puri #Odisha