ଶଶିପ୍ରଭା ବିନ୍ଧାଣୀ

ଗଣମାଧ୍ୟମ ହିଁ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଏକ ସ୍ୱଚ୍ଛ, ଦୃଢ଼ ଓ ଲୋକାଭିମୁଖୀ ଶାସନ ପ୍ରକ୍ରିୟା ବିଷୟରେ ଜନସାଧାରଣକୁ ତଥ୍ୟ ଦେଇପାରିବ।

ଡାଆଣୀ ଆରୋପଜନିତ ଅପରାଧର ପରିସୀମା ଓଡ଼ିଶା ବା ଭାରତବର୍ଷରେ ସୀମିତ ନୁହେଁ, ବିଶ୍ୱବ୍ୟାପୀ ଏହାର ବ୍ୟାପକତା ଆଜିର ଦିନରେ ଏକ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ପୃଥିବୀର ଉନ୍ନତ ଦେଶଭାବରେ ପରିଗଣିତ ସ୍ଵିଡେନ୍ ହେଉ ବା ଚିରାଚରିତ ଭାବରେ ଆଫ୍ରିକୀୟ ଦେଶରେ ଏପରି ହିଂସାର ପ୍ରାବଲ୍ୟ ରହିଛି ।

ଓଡ଼ିଶାରେ ଗତ ୨୦୧୪ ମସିହାରେ ବିଧାନସଭାରେ ଏକ ସ୍ୱତନ୍ତ୍ର  ଆଇନ ପାରିତ ହେବାର  ପରବର୍ତ୍ତୀ କାଳରେ ଏହାର  ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ୨୦୧୧ରେ  ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ପରେ ଗଣମାଧ୍ୟମର ସକ୍ରିୟତା ଯୋଗୁଁ ଅନେକ ଘଟଣା ଲୋକଲୋଚନକୁ ଆସିଛି ।

ଡାଆଣୀ ଆରୋପଜନିତ ଅପରାଧଗୁଡ଼ିକ ଯେଉଁ ଭଳି ଭାବେ ଘଟିଛି, ଏବଂ ଯେତେସଂଖ୍ୟାରେ ଲୋକଲୋଚନକୁ ଆସିଛି, ତାହା ଘଟଣାର ଗମ୍ଭୀରତାର ମାପକାଠି ନୁହେଁ, କିନ୍ତୁ ଗୋଟେ ଡାଆଣୀ ଆରୋପଜନିତ ହିଂସା ସଂଘଟିତ ହେବା ଯାହା, ୧୦ଟି ସଂଘଟିତ ହେବା ମଧ୍ୟ ସେୟା । ହିଂସା ହେଉଛି ହିଂସା । ଗୋଟିଏ ଘଟଣା ହେଲେ ବି ହିଂସା । ଗୋଟିଏରୁ ଅଧିକ ଘଟଣା ହେଲେ ବି ହିଂସା । ସେ ଯାହା ହେଉନା କାହିଁକି ଏହି ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ଓଡ଼ିଶା ତଥା ରାଜ୍ୟ ବାହାରର ଗଣମାଧ୍ୟମମାନଙ୍କର ଉଲ୍ଲେଖନୀୟ ଭାବରେ ଭୂମିକା ରହିଛି । ଏ ପ୍ରକାରର ହିଂସାକୁ ବିଲୋପ କରିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଆଗାମୀ ଦିନରେ ମଧ୍ୟ ନିର୍ବାହ କରିବେ ।

Rayagada witch case

ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଇଥାଏ । ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ହେଉଛି ଜନତାଙ୍କୁ ବିଭ୍ରାନ୍ତିମୁକ୍ତ କରିବା । ନାଗରିକମାନଙ୍କୁ ବିଭ୍ରାନ୍ତିକର ବିଷମ ପରିସ୍ଥିତିରୁ ମୁକ୍ତ ରଖି ଏକ ମର୍ଯ୍ୟାଦାପୂର୍ଣ୍ଣ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଜୀବନଧାରାର ସୁଯୋଗ ସୃଷ୍ଟି କରିବା । ତେଣୁ ବିଭ୍ରାନ୍ତମୁକ୍ତ ସମ୍ବାଦ ପରିବେଷଣ  ନିଶ୍ଚିତ ଭାବେ ମୁଦ୍ରିତ ବା ବୈଦ୍ୟୁତିକ ଗଣମାଧ୍ୟମର ଏକ ଆଙ୍ଗିକ ରୂପ ।

ଲୋକ ଯେତେ ବିଭ୍ରାନ୍ତମୁକ୍ତ ରହିବେ, ତାଙ୍କ ଜୀବନଧାରାର ଗୁଣାତ୍ମକ ଦିଗ ସେତେ ପରିସ୍ଫୁଟ । ବିଭ୍ରାନ୍ତମୁକ୍ତ ସମାଜରେ ଡାଆଣୀ ଆରୋପଜନିତ ଅପରାଧର କୌଣସି ସ୍ଥାନ ନାହିଁ ।

କାହାରିକୁ ଡାଆଣୀ ବା ମନହୁସ୍ କହି ତା ପ୍ରତି ହିଂସା ଆଚରଣ କରିବା ବା ସେଇ ପ୍ରକାରର ହିଂସା ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ତାକୁ ଜୀବନରୁ ମାରିଦେବା ବା ସାଧାରଣ ଜନତା ସମ୍ମୁଖରେ ନଗ୍ନ ଭାବରେ ବିଷ୍ଠା ଭଳି ଘୃଣିତ ପଦାର୍ଥକୁ ଜବରଦସ୍ତ ଖୁଆଇବା, ଉଲଗ୍ନ କରି ତାକୁ ମାରିଦେବାର ଧମକାଇବା, ତାର ସମସ୍ତ ସମ୍ପତ୍ତିଗତ ଅଧିକାରରୁ ତାକୁ ବାଛନ୍ଦ କରିବା। ଏପରି ଅନେକ ନିର୍ଯାତନା ଦେଇ ଶେଷରେ ତାକୁ ହତ୍ୟା କରିସାରି ହତ୍ୟାର ପ୍ରମାଣ ନଷ୍ଟ କରିଦେବା ତାର ପରିବାରବର୍ଗ କିମ୍ବା ଗ୍ରାମଲୋକଙ୍କୁ ଧମକାଇବା ଭଳି ଘଟଣା ଏକ ଅପରାଧ ନୁହେଁ, ବରଂ ଏକ ଘୃଣ୍ୟ ଅପରାଧ ।

ଭାରତୀୟ ଆଇନ ବ୍ୟବସ୍ଥାରେ ସମସ୍ତ ଦଣ୍ଡବିଧାନର ଦଫା ତା’ପ୍ରତି ଲାଗୁ କରାଇ ତାକୁ ଦଣ୍ଡିତ କରାଇବା ଉଚିତ୍ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରି ଅନ୍ୟ ସମସ୍ତ ପ୍ରରୋଚନାକାରୀ ଯେଉଁମାନେ ଡାଆଣୀ ଆରୋପ କରି  ନିଜ ସ୍ୱାର୍ଥ ସାଧନ ପାଇଁ ହିଂସା ଆଚରଣ କରିଥାନ୍ତି ତାଙ୍କୁ ନ୍ୟାୟିକ ବିଧାନର ବ୍ୟବସ୍ଥା ପରିସରକୁ ଆଣିବା ହେଉଛି ଆଜିର ମୁଖ୍ୟ ପ୍ରସଙ୍ଗ ।

ଏଇ ପ୍ରକାରର ଆରୋପଜନିତ ଅପରାଧକୁ ଯେଉଁମାନେ ବିଭିନ୍ନ ଦୁର୍ବିପାକ, ଅସୁସ୍ଥତା, ଅକାଳ ମୃତ୍ୟୁର କାରଣ କହି କୌଣସି ମହିଳା ( କିଛି ପୁରୁଷ)ଙ୍କ ପ୍ରତି ହିଂସା ଆଚରଣ ଗୋଟେ ବଡ଼ ସମସ୍ୟା ହୋଇ ଏକ ପ୍ରକାରର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଆପାତକାଳୀନ ପରିବେଶ ସୃଷ୍ଟି କରିଛି ।

ଯଦିଓ ଏଇ ଅପରାଧର ପ୍ରାବଲ୍ୟତା ଗୋଟିଏ ସମୟରେ ଆଦିବାସୀବହୁଳ ଘଞ୍ଚ ଜଙ୍ଗଲରେ ସଂଘଟିତ ହେଉଥିଲା। ସେଥିପାଇଁ କୌଣସି କାରଣରୁ ସଚେତନ ନାଗରିକମାନେ ଏଇ ପ୍ରକାରର ହିଂସାର ଘଟଣା ସହରୀ ଜୀବନଯାପନରେ ସଂଘଟିତ ହେଉଥିବାକୁ ଠିକ୍ ଭାବରେ ଗ୍ରହଣ କରିପାରୁନଥିଲେ ।

ଏଭଳି  ହିଂସା କେବଳ ଆଦିବାସୀ ବହୁଳ, ଭୌଗୋଳିକ ଭାବେ ଅପହଂଚ ଅଂଚଳର ସମସ୍ୟା ଭାବରେ ଉପସ୍ଥାପନା କରାଯାଇଥାଏ । ଯେତେବେଳେ ଏଇ ସମସ୍ୟାଟିକୁ ଠେଲି ଦିଆଯାଏ ଆଦିବାସୀବହୁଳ ଜିଲ୍ଳାମାନଙ୍କୁ, ଆମ ଚାରିପାଖରେ ଯେଉଁ ଘଟଣା ଘଟିଯାଇଥାଏ, ତାହାକୁ ଅନୁଧ୍ୟାନ କରିବାକୁ ସୁଯୋଗ ସୀମିତ ହୋଇଯାଇଥାଏ ।

kuni sahoo

ଆଜି ଦିନରେ ଆମେ ମନା କରିପାରିବା ନାହିଁ ଯେ ଆର୍ଥିକ ସ୍ୱଚ୍ଛଳବର୍ଗ ପରିବାରରେ ଯେତେବେଳେ ଝିଅଟିଏ ବାପ ଘରୁ କୌଣସି ଯୌତୁକ ଆଣି ଶାଶୁଘର ଲୋକଙ୍କୁ ନ ଦେଇଥାଏ, ସେତେବେଳେ ବୋହୂଟି ଆରୋପଜନିତ ହିଂସାର ଶିକାର ହୋଇଥାଏ । କେବଳ ଡାଆଣୀ କହିକି ଆରୋପ ନୁହଁ, ଜଣକୁ ଅଭିଶପ୍ତା କହି ତା’ପ୍ରତି ହିଂସା ଆଚରଣ ମଧ୍ୟ କରାଯାଇଥାଏ । ଆଖିର ଦୃଷ୍ଟି ବା ମୁହଁର ଦୃଶ୍ୟପଟ୍ଟରେ ବା କେବଳ ସେ ମହିଳାର ଉପସ୍ଥିତି ଅଘଟଣର ମୂଳ ପାଇଁ ଦାୟୀ କରାଯାଏ ।

କୌଣସି ନା କୌଣସି ପ୍ରକାରର ହିଂସାର ପ୍ରାବଲ୍ୟତା ଅଧିକ ହୋଇଗଲେ, ଏହା ଲୋକଲୋଚନକୁ ଆସିଥାଏ । ଲୋକଲଜ୍ଜାରେ ଯଦିଓ ମହିଳାଜଣକ (ପୁରୁଷମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନଥାନ୍ତି) ଅନ୍ୟ କାହାରିକୁ ସୂଚନା ଦେଇନଥାଏ । ଏହାର ମୁଖ୍ୟ କାରଣ ଭିତରୁ ଗୋଟିଏ ହେଉଛି କେବଳ ଗ୍ରାମାଞ୍ଚଳରେ ବା ଅପହଂଚ ଇଲାକାରେ ଏଇ ପ୍ରକାର ହିଂସାର ପ୍ରାବଲ୍ୟତାକୁ ଏପରି ଭାବରେ ବର୍ଣ୍ଣନା କରାଯାଇଥାଏ ଯେ ଯଦିଓ ମହିଳାଜଣକ ଏଇ ପ୍ରକାର ହିଂସାର ଶିକାର ହୋଇଥାନ୍ତି, କିନ୍ତୁ ତା ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ କରିବାପାଇଁ ଭରସା ଆସିନଥାଏ।

ଗଣମାଧ୍ୟମ ସେପରି କ୍ଷେତ୍ରରେ ଏପ୍ରକାର ତଥ୍ୟକୁ ଜନସମାଜକୁ ଆଣିଛି । ଏଥିରେ ଗଣମାଧ୍ୟମର ଭୂମିକାକୁ ଏଡାଇ ଦିଆଯାଇ ପାରିବ ନାହିଁ ।  ଏହାର ପ୍ରମାଣ ହେଉଛି ୨୦୧୩ ଡିସେମ୍ବରରେ ଘଟିଥିବା କୁନି ସାହୁ ଘଟଣା । ସେମିତି ଅନେକ ଘଟଣା ରହିଛି ।

ଘଟଣାର ପ୍ରଚ୍ଛଦପଟ୍ଟରେ ଏ ପ୍ରକାର ହିଂସାର  ବା ଆରୋପଜନିତ ଅପରାଧର ମୁଖ୍ୟ କାରଣ ହେଉଛି, ଡାଆଣୀ ଅଛି କହି ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଡାଆଣୀ ନାମରେ ଲୋକଙ୍କୁ ପ୍ରତାରିତ କରିବା । ଏବେ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଡାଆଣୀ କହି ହିଂସା ଆଚରଣ କରିବାର ଏବଂ ଡାଆଣୀ କହି କାହାପ୍ରତି ଅନ୍ୟାୟ କରିବା ଯୁକ୍ତିଯୁକ୍ତ କାର୍ଯ୍ୟାନୁଷ୍ଠାନ ନମୁନା କହି ଆମେ ଏଡେ଼ଇ ଯାଇଥାଉ ।

କୋଉଠି ନା କୋଉଠି ମନ ଭିତରେ ଏଇ ଆରୋପଜନିତ ହିଂସାର ଜନମାନସରେ ଯେଉଁ ରୂପ ନିଏ। ଯେଉଁ କାରଣ ପାଇଁ ଏହା ଜନମାନସ ଭିତରୁ ତାଙ୍କର ଭୟକୁ ଦୂର କରିପାରେ ନାହିଁ।

ଗତବର୍ଷ ଝାରସୁଗୁଡ଼ାରେ ତିନି ଭଉଣୀଙ୍କ ଭିତରେ ଯେଉଁ ନରହତ୍ୟାର ତାଣ୍ଡବଲୀଳା ଲୋକଲୋଚନକୁ ଆସିଲା, ଏଠି କୁହାଯାଇ ପାରିବନି ଯେ ଏହା ଆଦିବାସୀ ଅଂଚଳରେ ହି ଘଟିଛି ।

ବିଭିନ୍ନ ସମୟରେ ଏଇ ସଂଘଟିତ ହିଂସାର ଘଟଣାକୁ ତା’ ପଛରେ ରହିଥିବା କାରଣକୁ ଲୋକଲୋଚନରେ ଆଣିବାରେ ଗଣମାଧ୍ୟମ ଯେଉଁ ପଦକ୍ଷେପ ନେଇଛି ଏବଂ ଯେଉଁଭାବେ ତଥ୍ୟ ପରିବେଷଣ କରିଛି, ସେଥିରେ ମଧ୍ୟ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।

ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରି ୨୦୧୧ ମସିହା ଅଗଷ୍ଟ ମାସରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି  ହିଂସା ବିରୋଧରେ ସ୍ୱତନ୍ତ୍ର ଆଇନ ଆଣିବା ଘୋଷଣା କରିଥିଲେ। ହାଇକୋର୍ଟ ସ୍ୱତନ୍ତ୍ର ଭାବରେ ରାଜ୍ୟର ସମସ୍ତ ଜିଲ୍ଳାସ୍ଥିତ ନ୍ୟାୟାଳୟମାନଙ୍କୁ ଡାଆଣୀ ଆରୋପଜନିତ ହିଂସାର ସମସ୍ତ କେସ୍ ଗମ୍ଭୀରତାର ସହ ବିଚାର କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହିସବୁ ସମସ୍ୟାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଗଣମାଧ୍ୟମ ଭୂମିକା ବେଶ୍ ଗୁରୁତ୍ଵପୁର୍ଣ୍ଣ। । ସେଥିରେ ଅନେକ ଡାଆଣୀ ଓ ଗୁଣିଆ ସମ୍ପର୍କିତ ଘଟଣାମାନ ଗଣମାଧ୍ୟମର ଚେଷ୍ଟାରେ ଲୋକଲୋଚନକୁ ଆସିଥିଲା ।

୨୦୧୪ରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶା ପ୍ରିଭେନସନ ଅଫ୍ ୱିଚ ହଂଟିଂ ଆକ୍ଟ-୨୦୧୪ ବଳରେ ୨୦୦ରୁ ଅଧିକ ଡାହାଣୀ ସନ୍ଦେହ ଅଭିଯୋଗ ପୋଲିସ ପାଖରେ ପଞ୍ଜୀକୃତ ହୋଇଛି ।

ଗଣମାଧ୍ୟମ କୋଉଠି ନା କୋଉଠି ବାଟବଣା ହୋଇଛି ଏବଂ ଯେଉଁଠି ହୋଇଛି, ତାକୁ ଚିହ୍ନିତ କରିବାପାଇଁ । କାରଣ ଗଣମାଧ୍ୟମ ହିଁ ଗୋଟିଏ ଦିଗ ଯେ ଆଇନ ବ୍ୟବସ୍ଥାରେ ଓ ନ୍ୟାୟ ପ୍ରକ୍ରିୟାରେ ପୀଡ଼ିତ ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିବାର ଯେତେସବୁ ବାଧକ ଏବଂ ପ୍ରତିରୋଧକ ଦିଗକୁ  ଲୋକଲୋଚନକୁ ଆଣିବା ।

ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ  ‘ରୁଲ ଅଫ୍ ଲ’ ସମ୍ପର୍କରେ ଲୋକଲୋଚନକୁ ଆଣିବାର ପ୍ରକ୍ରିୟା ଦୁର୍ବଳ ଓ ଅସ୍ପଷ୍ଟ। ‘ରୁଲ ଅଫ୍ ଲ’ର ସମସ୍ତ ଭାଗିଦାର କୌଣସି ନା କୌଣସି ନ୍ୟାୟପ୍ରଦାନ ବ୍ୟବସ୍ଥାରେ ଅଂଶଗ୍ରହଣ କରିବା ପ୍ରକ୍ରିୟାରେ ଅଟକି ଯାଇଛି ।

କୌଣସି ନା କୌଣସି ଜାଗାରେ ଦୁର୍ବଳ ବ୍ୟବସ୍ଥାକୁ ସୁଦୃଢ଼ ନକରିବା ପର୍ଯ୍ୟନ୍ତ ଗୋଟିଏ ସ୍ୱଚ୍ଛ, ଦୃଢ଼, ଲୋକାଭିମୁଖୀ ଶାସନବ୍ୟବସ୍ଥା ଏକ ସ୍ୱପ୍ନ ହୋଇଯିବ ।

‘ରୁଲ୍ ଅଫ୍ ଲ’ର ସଂଜ୍ଞା ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ଏକ ସକ୍ରିୟ କ୍ରିୟାଶୀଳତା ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ସାଧାରଣରେ ବୁଝିବାର ଅଭାବ ରହିଛି ।

ଏହି ଦୁର୍ବଳ ବ୍ୟବସ୍ଥା ସୂଚିତ କରେ ଗଣମାଧ୍ୟମ ହିଁ କେବଳ ଲୋକଲୋଚନକୁ ଏକ  ବିଭ୍ରାନ୍ତମୁକ୍ତ ସମ୍ବାଦକୁ ପରିବେଷଣ କରିବାରେ ତାପôର୍ଯ୍ୟପୂର୍ଣ୍ଣ ଭୂମିକା ନେଇପାରିବ ।

ଗଣମାଧ୍ୟମ ହିଁ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଏକ ସ୍ୱଚ୍ଛ, ଦୃଢ଼, ଲୋକାଭିମୁଖୀ ଶାସନ ପ୍ରକ୍ରିୟା ବିଷୟରେ ଜନସାଧାରଣକୁ ଦେଇପାରିବ।

ଆଜି ଦିନରେ କୌଣସି ନ୍ୟାୟିକ ପ୍ରକ୍ରିୟାରେ ଜନସାଧାରଣଙ୍କ ଗୋଟେ ଦାୟିତ୍ୱ ଅଙ୍ଗାଙ୍ଗୀ ଭାବରେ ରହିଛି ବୋଲି ହୃଦବୋଧର ଅଭାବ ଏକ ସକାରାତ୍ମକ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାକୁ ଏକ ଅଜଣା , ଅସ୍ପଷ୍ଟ, ଅସ୍ୱଚ୍ଛ, ନୀତିହୀନ ଏବଂ କୋଳାହଳମୟ ପରିସରକୁ ଚୁମ୍ବକୀୟ ଭାବରେ ଆକର୍ଷିତ ହୋଇଯାଉଛି ।

ଯାହା ଫଳରେ ସାମ୍ବିଧାନିକ ବ୍ୟବସ୍ଥାରେ ଲୋକଙ୍କର ଦାୟିତ୍ୱବୋଧତା, କ୍ରିୟାଶୀଳତା ଏକ ସକ୍ରିୟ ଭାଗିଦାରୀରେ ଫାଟ ସୃଷ୍ଟି ହୋଇଛି । ଗଣମାଧ୍ୟମ ହିଁ କେବଳ ଏହି ପ୍ରକ୍ରିୟାକୁ ବିଭ୍ରାନ୍ତମୁକ୍ତ ସମ୍ବାଦ ପରିବେଷଣ ମାଧ୍ୟମରେ ଦିଗଦର୍ଶକ ହୋଇପାରିବ ।

ଯଦି ଆମେ ୨୦୦୦ ମସିହା ପରଠାରୁ ଏଇ ପ୍ରକାର ଘଟଣାର ସମ୍ବାଦକୁ ଅନୁଧ୍ୟାନ କରିବା, ତାହାହେଲେ ୨୦୧୧ ପର୍ଯ୍ୟନ୍ତ ଏଇ ହିଂସାର ତଥ୍ୟ ହିଂସା ସଂଘଟିତ ହେବାର ଠିକ୍ ପରେ ପରେ ଗଣମାଧ୍ୟମରେ ଆସିଥାଏ । କିନ୍ତୁ ତା’ ପରବର୍ତ୍ତୀ ଦିନରୁ ଲୋକଙ୍କ ମାନସପଟରୁ ତାହା ଲିଭି ଯାଇଥାଏ । ପୁଣି ଗଣମାଧ୍ୟମ ସକ୍ରିୟ ହୁଏ ଆଉ ଗୋଟେ ଘଟଣା ସଂଘଟିତ ହେଲେ ।

ବିଶେଷ କରି  ସ୍ୱତନ୍ତ୍ର ଆଇନ ଆଣିବାର ପ୍ରକ୍ରିୟା ପରଠାରୁ ଆଇନ ପାରିତ ହେବା ପର୍ଯ୍ୟନ୍ତ ଗଣମାଧ୍ୟମ ଦ୍ୱାରା ସଚେତନତା ଓ ସକ୍ରିୟତା ପାଇଁ ଅନେକ ଘଟଣା ଲୋକଲୋଚନକୁ ଆସିଛି ।

ଆଇନ ଆସିବା ପରବର୍ତ୍ତୀ ସମୟରୁ ଯେଉଁ ଘଟଣାଗୁଡ଼ିକ ଆଇନ ସହାୟତାରେ ପୋଲିସ ପାଖରେ ଅଭିଯୋଗ ପଞ୍ଜିକୃତ ହୋଇଥାଏ, ଗଣମାଧ୍ୟମରେ ସେହି ଘଟଣାର ସଂଘଟିତ ହେବାମାତ୍ରେ ଯେତିକି ତଥ୍ୟ ତାର ପରିସରକୁ ଆସିଥାଏ । ଏବଂ ସେଇଠି ସମସ୍ତ କଥାର ପୂର୍ଣ୍ଣଚ୍ଛେଦ ପଡ଼ିଥାଏ । ପରବର୍ତ୍ତୀ ସମୟରେ ଏଇ ପଞ୍ଜିକୃତ ପ୍ରକ୍ରିୟା ଫଳରେ ନ୍ୟାୟ ପ୍ରଦାନ କରିବାର ଧାରା ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆସିବାଟା ବହୁତ କମ୍ ।

ଡାଆଣୀ ଓ ଆରୋପଜନିତ ହିଂସାର ଆଲୋଚନା ସୀମିତ ହୋଇ ରହିଯାଇଥାଏ । ସେଇଠି ଳୋକଲୋଚନରେ ଏଇ ଘଟଣା ସମ୍ପର୍କରେ ପୁନର୍ବାର ଅସହାୟତା ଉଙ୍କିମାରେ ଯେତେବେଳେ ପୁଣି ଆଉ ଗୋଟେ ଘଟଣା ଘଟିଥାଏ ।

ଗତ  ୪୦/୫୦ ବର୍ଷ ପୂର୍ବରୁ ମୁଖ୍ୟତଃ ଏଇ ଘଟଣାଗୁଡ଼ିକ ଦୁର୍ଗମ ବା  ଅପହଂଚ ଅଞ୍ଚଳରେ ସଂଘଟିତ ହେଉଥିବାର ସୂଚନା ଥିଲା । ଏବଂ ନିଜେ ହତ୍ୟାକାରୀ ପୋଲିସ ପାଖରେ ଆତ୍ମସମର୍ପଣ କରୁଥିଲା ।

ଅଭିଯୁକ୍ତା ବା ଅଭିଯୁକ୍ତ ଆରୋପର ଶିକାର ହୋଇଥିବା ମହିଳା ବା ପୁରୁଷର କ୍ଷତବିକ୍ଷତ ଶରୀରକୁ ଧରି ପୋଲିସ ପାଖରେ ନିଜେ ଆତ୍ମସମର୍ପଣ କରିଥାଏ । ପରବର୍ତ୍ତୀ ସମୟରେ ଏଇ ହିଂସାତ୍ମକ ଘଟଣାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯିବ ହିଂସା ସଂଘଟିତ କରିବାପରେ ହିଂସା ଘଟାଇଥିବା ବ୍ୟକ୍ତି  ନିଜର  କୁକର୍ମକୁ  ଲୁଚାଇବାରେ  କୌଣସି ପ୍ରକାର ସୁଯୋଗ ହାତଛଡ଼ା କରୁନାହିଁ ।

ଏଇ ସମସ୍ତ ପ୍ରକାରର ଧାରାକୁ ଗଣମାଧ୍ୟମ ଅନୁଧ୍ୟାନ କରିବାର ସମୟ ଆସିଛି ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତମୁକ୍ତ ସମ୍ବାଦ ପରିବେଷଣ କରି ଏପ୍ରକାର ହିଂସାକୁ ପ୍ରତିରୋଧ କରିବାର ପ୍ରକ୍ରିୟାକୁ ଅବାରିତ ଭାବେ ସମ୍ପୃକ୍ତ ରହି ଏପ୍ରକାର ହିଂସା ସଂଘଟିତ କରିଥିବାର ଅପରାଧୀମାନଙ୍କୁ ଆଇନର ପରିସରଭୁକ୍ତ କରିବେ, ସେଥିପାଇଁ ସେମାନଙ୍କର ଧ୍ୟାନକୁ କେନ୍ଦ୍ରୀଭୂତ କରିବାର ଆଜି ଏକ ମୁଖ୍ୟ ପ୍ରସଙ୍ଗ । ଏଇ ପ୍ରସଙ୍ଗକୁ ଏଇଠି ରଖି ଆମେ ଆଗାମୀ ଦିନରେ ଖସଡ଼ାକୁ କେତେ ଭାବରେ  ବଳିଷ୍ଠ ଓ ଅବାରିତ ଭାବେ କ୍ରିୟାଶୀଳ ରଖିବା  ଆମପାଇଁ ଆଜି ଏକ ଆହ୍ୱାନ ।

ଏଠାରେ ଆଉ କିଛି ପ୍ରସଙ୍ଗକୁ ବ୍ୟାପକ ଆଲୋଚନାର ପରିସରଭୁକ୍ତ କରିବାପାଇଁ ପ୍ରସ୍ତାବ ଦେଇ କଥାଟିକୁ ଏଇଠି ରଖିବା। ସେଇଟା ହେଉଛି ସମ୍ବାଦ ପରିବେଷଣ ସମୟରେ ଯେଉଁ ଭାଷା ଓ ଶବ୍ଦର ବ୍ୟବହାର ହୋଇଥାଏ, ଅନେକ ଶବ୍ଦର ବ୍ୟବହାର ଦ୍ୱାରା ବିଭ୍ରାନ୍ତମୁକ୍ତ ସମ୍ବାଦ ପରିବେଷଣରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏକ ବ୍ୟବସ୍ଥିତ ପରିସରର ଅବତାରଣା କରି ଏଇ ସମ୍ପର୍କିତ ଯେଉଁ ଅସ୍ପଷ୍ଟତା ରହିଛି,  ତାକୁ  ଦୂର କରାଯାଇପାରିବ ।

(ଲେଖିକା ହେଉଛନ୍ତି ରାଜ୍ୟ ସୂଚନା କମିଶନର ଓ ଜଣେ ସାମାଜିକ କର୍ମୀ)

LEAVE A REPLY

Please enter your comment!
Please enter your name here