ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ନେଇ ବିଜେପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ଵାଧୀନ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି।

ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ତେଲୁଗୁ ଦେଶମ୍‌ ପାର୍ଟି ଶୁକ୍ରବାରଦିନ ବିଜେପି ସହ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରି ଆସିଛି।

ଟିଡିପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ବିରୋଧରେ ପାର୍ଲାମେଣ୍ଟରେ  ଅନାସ୍ଥା ପ୍ରସ୍ତାବ ଆଗତ କରିଛି।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନମିଳିବା ନେଇ ଏନଡିଏ ମେଣ୍ଟରୁ ଓହରିବା ପରେ ଅନାସ୍ଥା ପ୍ରସ୍ତାବ ଆଣିଛି ଟିଡିପି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଲୋକସଭାରେ ହଙ୍ଗାମା ହୋଇଛି । ଟିଡିପି ସାଂସଦମାନେ ପାଟିତୁଣ୍ଡ କରିଥିଲେ ଫଳରେ ୧୨ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ନେଇ ବିଜେପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ଵାଧୀନ ଟିଡିପି ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି।

କିଛି ଦିନ ପୂର୍ବେ ମୋଦି ମନ୍ତ୍ରିମଣ୍ଡଳରୁ ଓହରିଯାଇଥିବା ଟିଡିପି ଶୁକ୍ରବାର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହ ସଂପର୍କ ଚ୍ଛିନ୍ନ କରିଛି। ବହୁ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାମାନେ ମେଣ୍ଟ ଛାଡ଼ିବାକୁ ନାଇଡୁଙ୍କୁ ପୂର୍ବରୁ କହି ଆସୁଥିଲେ।

ରାଜ୍ୟରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି ତାମିଲନାଡୁରେ ଖେଳିଥିବା କୁତ୍ସିତ ରାଜନୀତିର ପୁନରାବୃତ୍ତି ଆନ୍ଧ୍ରପ୍ରଦେଶରେ କରିବାକୁ ଚାହୁଥିବା ଦଳ ପକ୍ଷରୁ ଅଭିଯୋଗ ଉଠିଛି।

ତାମିଲ ରାଜନୀତିରେ ଏଆଇଏଡିଏମ୍‌କେର ଇ. ପାଲାନିସ୍ୱାମୀ ଗୋଷ୍ଠୀ ବିରୋଧରେ ବିଜେପି ଯେପରି ଓ. ପନିରସେଲଭାମ୍‌ ଗୋଷ୍ଠୀକୁ ଲଗାଇଥିଲା, ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଟାର୍ଗେଟ୍‌ କରିବା ଲାଗି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ଅଭିନେତା କେ ପବନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ବ୍ୟବହାର କରୁଛନ୍ତି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି।

ନିର୍ବାଚନ ବେଳେ ବିଜେପି-ଟିଡିପି ମେଣ୍ଟକୁ ଅଭିନେତା ପବନ କଲ୍ୟାଣଙ୍କ ଦଳ ସମର୍ଥନ କରିଥିଲା ବେଳେ ଏବେ ଟିଡିପିକୁ ବିରୋଧ କରୁଛି। ତେବେ ବିଜେପି ଇସାରାରେ ହିଁ ପବନ କଲ୍ୟାଣଙ୍କ ଦଳ ଟିଡିପି ବିରୋଧରେ ଏପରି ସ୍ୱର ଉଠାଇଛି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି।

ବିହାର ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟକୁ ଉଲ୍ଲେଖ କରି ବିଜେପି ଓ ମୋଦି ସରକାରଙ୍କ ବିରୋଧରେ ଜନମତ ବଢ଼ିଚାଲିଛି ବୋଲି ଚନ୍ଦ୍ରବାବୁ ତାଙ୍କ ସାଂସଦମାନଙ୍କୁ କହିଛନ୍ତି।

ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଭାଙ୍ଗିଯିବା ପାଇଁ କୌଣସି ବିପଦର ଆଶଙ୍କା ନାହିଁ।

ଲୋକସଭାରେ ଏନଡିଏ ସାଂସଦଙ୍କ ସଂଖ୍ୟା ୩୩୧ ରହିଥିବା ବେଳେ ରାଜ୍ୟସଭାରେ ୮୩ ଜଣ ସାଂସଦ ରହିଛନ୍ତି। ଲୋକସଭାରେ ଏନ୍‌ଡିଏ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଜାୟ ରଖିଥିବା ବେଳେ ରାଜ୍ୟସଭାରେ ଏହାର ଅତ୍ୟନ୍ତ ଦୁର୍ବଳ ସ୍ଥିତି ରହିଛି।

ଲୋକସଭାରେ ଏନ୍‌ଡିଏରେ କେବଳ ବିଜେପିର ୨୭୫ ଜଣ ସାଂସଦ ରହିଥିବା ବେଳେ ସହଯୋଗୀ ଶିବସେନାର ୧୮ ଜଣ, ଟିଡିପିର ୧୬ ଜଣ, ଲୋକ ଜନଶକ୍ତି ପାର୍ଟିର ୬ଜଣ, ଶିରୋମଣି ଅକାଳୀ ଦଳର ୪ ଜଣ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ୩ ଜଣ ଏବଂ ଅପନା ଦଳ ଓ ସଂଯୁକ୍ତ ଜନତା ଦଳ(ଜେଡିୟୁ)ର ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ତେବେ ମେଣ୍ଟର ପ୍ରମୁଖ ସହଯୋଗୀ ସାଜିଥିବା ଶିବସେନା ମହାରାଷ୍ଟ୍ର ରାଜନୀତି ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ଦୀର୍ଘ ଦିନ ଧରି ସମ୍ପର୍କ ତିକ୍ତ ରହିଛି।

ଶିବସେନା ଓ ଟିଡିପି ଉଭୟ ମିଳିତ ଭାବେ ଏନ୍‌ଡିଏରୁ ଖସିଗଲେ ମେଣ୍ଟର ସଦସ୍ୟ ସଂଖ୍ୟା ୨୯୭କୁ ଖସି ଆସିବ। ତେବେ ସଂଖ୍ୟା ଦୃଷ୍ଟିରୁ ମେଣ୍ଟ ସରକାର ଭାଙ୍ଗିବାର କୌଣସି ଆଶଙ୍କା ନାହିଁ।

Comment