ଓଡ଼ିଶାଲାଇଭ୍ ବ୍ୟୁରୋ

ଏନଡିଏ ମେଣ୍ଟରୁ ଓହରି ଯାଇଛି ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)। ଏନେଇ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟୁଇଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ଏହି ପ୍ରସଙ୍ଗ ଲୋକଲୋଚନକୁ ଆସିବା ପରେ ଜାତୀୟ ରାଜନୀତି ହଲଚଲ ହୋଇଯାଇଛି। ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ଆନ୍ଧ୍ର ପ୍ରଦେଶର ୱାଇଏସ୍ଆର୍ କଂଗ୍ରେସ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଯାଉଛି। ଏହାକୁ ଟିଡିପି ସମର୍ଥନ କରୁଥିବାରୁ ମୋଦି ସରକାର ଅଡ଼ୁଆରେ ପଡ଼ିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର ଯଦି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୁଏ ତାହାଲେ ମୋଦିଙ୍କ ପାଇଁ କୌଣସି ବିପଦ ସୃଷ୍ଟି ହେବ ନାହିଁ। କାରଣ ୨୦୧୪ରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।
ଲୋକସଭା ଗଣିତ
ଦୁଇ ଜଣ ଆଙ୍ଗ୍ଲୋଇଣ୍ଡିଆନ ସଭ୍ୟଙ୍କୁ ମିଶାଇ ଲୋକସଭାରେ ମୋଟ ଆସନ ସଂଖ୍ୟା ହେଉଛି ୫୪୫। କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୨୭୧। ହେଲେ ୨୦୧୪ରେ ବିଜେପି କେବଳ ୨୮୨ଟି ଆସନରେ ବିଜୟୀ ହୋଇଥିା। ଅନ୍ୟ ସହଯୋଗୀ ଦଳଙ୍କ ସମର୍ଥନରେ ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିଥିଲା। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପରାଜିତ ହେବାରୁ ଏବେ ସଦସ୍ୟ ସଂଖ୍ୟା ୨୭୫କୁ ଖସି ଆସିଛି। ଫଳରେ ଲୋକସଭାରେ ଏନଡିଏ ସଦସ୍ୟଙ୍କ ସଂଖ୍ୟା ରହିଛି ୩୩୦।
ଟିଡିପିର ୧୬ ଜଣ ସାଂସଦ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏନଡିଏ ହାତରେ ରହୁଛି ୩୧୪ ଆସନ। ଏଣୁ ଅନାସ୍ଥା ପ୍ରସ୍ତାବ ଆସିଲେ ବି ମୋଦି ସରକାରଙ୍କ ପାଇଁ କୌଣସି ସଙ୍କଟ ନାହିଁ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି।
ଲୋକସଭାରେ କେଉଁ ଦଳର ସ୍ଥିତି କ’ଣ?
ବର୍ତ୍ତମାନ ଲୋକସଭାରେ ବିଜେପିର ୨୭୫ ସାଂସଦ ଅଛନ୍ତି। କଂଗ୍ରେସର ସଦସ୍ୟ ସଂଖ୍ୟା ୪୮ ରହିଥିବା ବେଳେ ଏଆଇଏଡିଏମ୍କେର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡିର ୨୦, ଶିବସେନାର ୧୮, ଟିଡିପିର ୧୬, ଟିଆର୍ଏସ୍ର ୧୧, ସିପିଆଇ(ଏମ୍)ର ୯, ୱାଇଏସ୍ଆର୍ କଂଗ୍ରେସର ୯, ସମାଜବାଦୀ ପାର୍ଟିର ୭ ଏବଂ ଅନ୍ୟ ୨୬ ପାର୍ଟିର ୫୬ ଜଣ ସାଂସଦ ଅଛନ୍ତି।
ଅନାସ୍ଥା ପ୍ରସ୍ତାବ ଆଣିବାର ପ୍ରକ୍ରିୟା କ’ଣ?
ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛି ୱାଇଏସ୍ଆର୍ କଂଗ୍ରେସ। ଏଣୁ ୱାଇଏସ୍ଆର୍ କଂଗ୍ରେସର କୌଣସି ଜଣେ ସଦସ୍ୟଙ୍କୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ କହିବେ। ନିୟମ ଅନୁସାରେ ୫୦ ଜଣ ସାଂସଦ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଥିବେ। ଯଦି ୫୦ ସଦସ୍ୟଙ୍କ ସମର୍ଥନ ନଥିବ ତାହାଲେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବ।
କାହିଁକି ଭାଙ୍ଗିଲା ମେଣ୍ଟ
ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଟିଡିପି ଦାବି କରି ଆସୁଥିଲା। ହେଲେ କେନ୍ଦ୍ର ସରକାର ଏଥିରେ ସହମତ ନହେବାରୁ ପ୍ରଥମେ ଟିଡିପିର ଦୁଇ ଜଣ ସଦସ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ପରେ ୧୬ ତାରିଖରେ ଏନଡିଏ ମେଣ୍ଟରୁ ଟିଡିପି ସମର୍ଥନ ପ୍ରତ୍ୟାହାର କରିନେଇଛି। ଏହି ମଉକାରେ ୱାଇଏସ୍ଆର୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଶୁକ୍ରବାର ଲୋକସଭା ସେକ୍ରେଟାରୀଙ୍କୁ ନୋଟିସ ଦେଇଛି। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ସୋମବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ।

















