ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଉପରେ ନିର୍ମାଣ ହୋଇଛି ଆଉ ଗୋଟିଏ ସେତୁ। ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶା ଦିବସ ପାଳନ ଅବସରରେ ଉତ୍କଳ ଗୌରବ ମଧୁସୂଦନ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ନିର୍ମାଣ ହୋଇଥିବା ଏହି ସେତୁ କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ।
ଏହି ସେତୁ ନିର୍ମାଣ ହେବା ଫଳରେ କଟକରୁ ଢେଙ୍କାନାଳ ମଧ୍ୟରେ ଦୂରତା ପ୍ରାୟ ୧୬ କିମି କମିଯିବ। ଏହାସହ ଧବଳେଶ୍ୱର, କଖଡି, ଆଠଗଡ଼ ଏବଂ ଚୌଦ୍ୱାରର ବିଭିନ୍ନ ଅଞ୍ଚଳକୁ ଗମନା ଗମନ ସୁବିଧା ହେବ।
ସେତୁର ଲମ୍ବା ଅଢ଼େଇ କିଲୋମିଟର ହୋଇଥିବା ବେଳେ ଚଉଡ଼ା ୧୩ ମିଟର ରହିଛି। ଓଡ଼ିଶା ସରକାର ଏବଂ ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ କରାଯାଇଛି। ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ସେତୁ ଉପରେ କିଛିବାଟ ଚାଲିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ପ୍ରୟାସ ଜାରି ରହିଛି। ୧୭ ବର୍ଷ ଭିତରେ ରାଜ୍ୟରେ ୩୧୮ଟି ସେତୁ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଗତ ୩ ବର୍ଷ ଭିତରେ ୧୦୮ଟି ନିର୍ମାଣ ହୋଇଛି। କେବଳ ମହାନଦୀ ଉପରେ ୭ଟି ସେତୁ ନିର୍ମାଣ ହୋଇଛି। ଲୋକଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।”
ଲୋକାର୍ପଣ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ କଟକ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।








ମହାନଦୀ ଉପରେ ନିର୍ମାଣ ହୋଇଛି ଆଉ ଗୋଟିଏ ସେତୁ। ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।








