ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି।

“ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ନିର୍ମାଣ ଶ୍ରମିକ ରହିଛନ୍ତି। ସେମାନଙ୍କ ଭିତରୁ ୧୧ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପରିବାର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଉପକୃତ ହେଉଛନ୍ତି। ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି”, ନିର୍ମାଣ ଶ୍ରମିକ ସେବା ସପ୍ତାହ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ଚାଲିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସମସ୍ତ ନିର୍ମାଣ ଶ୍ରମିକ ପରିବାରକୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

“ଦାଦନ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବହୁ କିଛି ପଦକ୍ଷେପ ନେଇଛନ୍ତି। ଦାଦନ ଶ୍ରମିକ ସଂଖ୍ୟା ହ୍ରାସ କରିବା ପାଇଁ ନୂଆପଡ଼ା ଏବଂ ବଲାଙ୍ଗିର ଜିଲ୍ଲାରେ ରାଜ୍ୟ ସରକାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ୧୩୪ କୋଟି ଟଙ୍କା ବ୍ୟୟବରାଦ କରାଯିବ”, କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ।

“ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ବହୁତ ପଦକ୍ଷେପ। ନିର୍ମାଣ ଶ୍ରମିକଙ୍କ ପରିବାର କିପରି ଖୁସିରେ ରହିବେ ସେଥିପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ନିର୍ମାଣ ଶ୍ରମିକଙ୍କ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ”, କହିଛନ୍ତି ନିର୍ମାଣ ଶ୍ରମିକ ଉନ୍ନୟନ କଲ୍ୟାଣ ମୋର୍ଡର ଅଧ୍ୟକ୍ଷ ସୁବାସ ସିଂହ।

ଏହି ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟାଶାଣି, ବିଧାୟକ ପ୍ରିୟଦର୍ଶି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ ପରିବାରଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।

Comment