ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁଦିନ ରାଜ୍ୟ ରାଜଧାନୀରେ ବଢ଼ିଚାଲିଛି ଲଭ୍‌, ଦୁଷ୍କର୍ମ,ସେକ୍ସ ଆଉ ଧୋକା। କେଉଁଠି ପ୍ରେମିକାର ଅଶ୍ଲୀଳ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ ହେଲାଣି ତ ଆଉ କେଉଁଠି ପ୍ରେମିକା ସହ ଦୁଷ୍କର୍ମ କରି ମାରିଦିଆଯାଉଛି। ଏଭଳି ମାମଲା ପ୍ରତିଦିନ ଘଟୁଛି। ଏଥର କିନ୍ତୁ ରାଜଧାନୀରେ ଘଟିଛି ଏକ ନୂଆ ମାମଲା।

ପ୍ରେମ ଯେ କେତେ ଭୟଙ୍କର ହୋଇପାରେ ତାର ଏକ ଭୟାବହ ପରିଣତି ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକା ପରିସରରେ। ବେକରେ ଓଢଣୀ ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମିକା ଜଣଙ୍କ ଆକ୍ସିସ୍ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରେମିକାଙ୍କ ସମ୍ମୁଖରେ ଏ ସବୁ ଘଟଣା ଘଟିଛି।

ଯୁବତୀଙ୍କ ସହ ଅବୈଧ ସମ୍ପର୍କରୁ କୁଆଖାଇ ନଦୀ ପଠାରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀବାସୀଙ୍କ ମନରୁ ଲିଭି ନଥିବାବେଳେ ସୋମବାର ଅପରାହ୍ନରେ ପୁଣି ଥରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜୟଦେବ ବାଟିକା ଭିତରେ ପ୍ରେମିକା ସମ୍ମୁଖରେ ପ୍ରେମିକ ବେକରେ ପ୍ରେମିକାର ଓଢ଼ଣୀ ବାନ୍ଧି ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବରମୁଣ୍ଡାସ୍ଥିତ ଆକ୍ସିସ୍‌ ବ୍ୟାଙ୍କ୍‌ର ଉଚ୍ଚ ପଦସ୍ଥ କର୍ମଚାରୀ ଶଶିକାନ୍ତ ପଣ୍ଡା(୩୫)।

ଶଶିକାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳରେ। ଖଣ୍ଡଗିରି ଥାନା ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖିବା ସହ ଯୁବତୀଙ୍କୁ ମହିଳା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଟକ ଯୁବତୀ ଜଣକ ହେଲେ ଅନୁଗୁଳ ବଅଁରପାଳ ଫୁଲପଡ଼ା ଗ୍ରାମର । ସେହି ବ୍ୟାଙ୍କ ଶାଖାରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ ସେ କାମ କରନ୍ତି।

ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଶିକାନ୍ତଙ୍କ ମୃତଦେହ ଗଛତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ବେକରେ ଏକ ଓଢ଼ଣୀ ବନ୍ଧା ହୋଇଥିଲା।

ଶଶିକାନ୍ତ ବିବାହିତ ଓ ତାଙ୍କର ଏକ ପୁତ୍ର ସନ୍ତାନ ଅଛି ବୋଲି ଜାଣିବା ପରେ ସମ୍ପୃକ୍ତ ଯୁବତୀ ଆଉ ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନଥିଲେ ବୋଲି ପୁଲିସକୁ କହିଛନ୍ତି।

ଶଶିକାନ୍ତ ଓ ଯୁବତୀ ଜଣକ ସୋମବାର ଅପରାହ୍ଣରେ ଜୟଦେବ ବାଟିକା ବୁଲିବାକୁ ଆସିଥିଲେ। ମାତ୍ର ଶଶିକାନ୍ତ ଅବିବାହିତ ବୋଲି ମିଛ କହିଥିବାରୁ ଓ ତାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଯୁବତୀ ତାଙ୍କ ଠାରୁ ଦୂରେଇ ଯିବାକୁ ଜିଦ୍‌ କରିଥିଲେ।

ଶଶିକାନ୍ତ ରାଗି ଯାଇଥିଲେ ଓ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ମାତ୍ର ଯୁବତୀ ଜଣକ ଶଶିକାନ୍ତଙ୍କ ଧମକକୁ ମିଛ ଭାବି ଘଟଣାସ୍ଥଳରୁ ଚାଲିଯିବାକୁ ବାହାରିଥିଲେ।

ଶଶିକାନ୍ତ ଯୁବତୀଙ୍କ ଓଢ଼ଣୀକୁ ଟାଣି ନେଇଥିଲେ। କିନ୍ତୁ ସସ୍ମିତା ସେଠାରୁ ଚାଲି ଚାଲି କିଛି ଦୂର ପଳାଇଆସିଥିଲେ।

ଅନ୍ୟ କିଛି ଲୋକଙ୍କ ପାଟି ଶୁଣି ସେ ପଛକୁ ଫେରି ଦେଖିଲା ବେଳକୁ ଶଶିକାନ୍ତ ଗଛ ଡାଳରେ ଝୁଲି ପଡ଼ିଥିଲେ।

ଯୁବତୀ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯୁବତୀ ଜଣକ ଶଶିକାନ୍ତଙ୍କୁ ବ୍ଲାକମେଲ୍ କରୁନଥିଲେ ତ? ଏହି ଘଟଣାରେ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି। କାରଣ ସାମାନ୍ୟ ଘଟଣାରେ ଜଣେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବ ଏହା ସହଜରେ ବିଶ୍ଵାସ ଯୋଗ୍ୟ ହେଉ ନାହିଁ। ବୋଧହୁଏ ନିଜ ସମ୍ମାନକୁ ବଞ୍ଚାଇବାକୁ ଯାଇ ଶଶିକାନ୍ତ ଏଭଳି ପଦକ୍ଷେପ ନେଇଥାଇପାରନ୍ତି।

Comment