ନୀଳାମ୍ବର ରଥ
ସୋସିଆଲ ମିଡ଼ିଆ ଆଜି ପାଲଟିଛି ପିଲାଖେଳ। ଘରେ ସୋରିଷ ଫୁଟିବା ହେଉ କି ପ୍ରତିରକ୍ଷା ସମ୍ପର୍କୀୟ ବିତର୍କ, ଆଗପଛ ବିଚାର ନକରି ଆଜି ଆମେ ଏହି ମିଡ଼ିଆରେ ସବୁ କଥା ବାନ୍ତି ନକଲା ପର୍ଯ୍ୟନ୍ତ ମନ ବୁଝୁନି। ବୋଧହୁଏ ମନ୍ତ୍ରୀ ମହାଶୟମାନେ ବି ଏହି ଦୌଡ଼ରେ ପଛରେ ପଡ଼ିବାକୁ ଚାହାନ୍ତି ନାହିଁ !
ଆଜି ସୋସିଆଲ୍ ମିଡ଼ିଆ ମାୟାରେ ପଡ଼ିଛନ୍ତି ଆମ ଦେଶର ବଡ଼ ବଡ଼ ନେତା ଓ ମନ୍ତ୍ରୀ। ନରେନ୍ଦ୍ର ମୋଦିଙ୍କ ସରକାରର ଅନ୍ୟତମ ମନ୍ତ୍ରୀ ବିଜୟ ଗୋଏଲ୍ ତାଙ୍କ ଟୁଇଟର ଆକାଉଣ୍ଟରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଛାଡ଼ି ଏବେ ଲୋକହସା ହୋଇଛନ୍ତି।
ବାବୁ ବିଜୟ ଗୋଏଲ୍ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆମାନଙ୍କୁ ଭଲ ‘ଫୁଲ୍’ ବନାଇଲେ। ଅର୍ଥାତ୍ ଲିଙ୍ଗରାଜ ମନ୍ଦିରରେ ସେ ପୂଜାର୍ଚ୍ଚନା କରୁଥିବାର ଫଟୋ ଟୁଇଟରରେ ଛାଡ଼ି ମନ୍ତ୍ରୀ ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହିଁଥିଲେ। କିନ୍ତୁ ଘଟଣାଟି ଓଲଟା ପ୍ରକାର ହେଲା। ଜଣେ କେନ୍ଦ୍ରମନ୍ତ୍ରୀ କିଭଳି ଭାବେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଉଠାଇଲେ ଏବଂ କେଉଁ ପରିସ୍ଥିତିରେ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ – ଏ ବିଷୟକୁ ନେଇ ବିତର୍କ ଆରମ୍ଭ ହୋଇଗଲା। ମାଡ ସମ୍ଭାଳି ନପାରି ମନ୍ତ୍ରୀ ଶେଷରେ ଟୁଇଟରରେ ପବ୍ଲିସ୍ କରିଥିବା ୩ଟି ଫଟୋକୁ ଡିଲିଟ୍ କରିବା ସହ ଏକପ୍ରକାର କ୍ଷମା ପ୍ରାର୍ଥନା କଲେ।
ବିଜୟ ଗୋଏଲ ଜଣେ ସାଧାରଣ ଲୋକ ନୁହନ୍ତି!
ପ୍ରଶ୍ନ-୧: ବିଜୟ ଗୋଏଲ ହେଉଛନ୍ତି ଭାରତ ସରକାରଙ୍କ ଜଣେ ମନ୍ତ୍ରୀ। ଅର୍ଥାତ୍ ଦେଶର ଶାସନ କ୍ଷମତାର ସର୍ବୋଚ୍ଚ ସ୍ତରରେ ଥିବା ଜଣେ ବ୍ୟକ୍ତି। ତେଣୁ ସାମାଜିକ ଓ ପ୍ରଶାସନିକ ଦାୟିତ୍ଵ ଦୃଷ୍ଟିରୁ ଦେଖିଲେ ସେ ଜଣେ ସାଧାରଣ ଲୋକ ନୁହନ୍ତି। ତେଣୁ ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଠିଆ ହୋଇ ପୂଜାର୍ଚ୍ଚନା କରିବା ସମୟର ଫଟୋ ଉଠାଇଲେ?
ପ୍ରଶ୍ନ-୨: ଫଟୋରୁ ଏକଥା ନିଶ୍ଚିତ ଯେ ମନ୍ତ୍ରୀ ନିଜେ ଫଟୋ ଉଠାଇନାହାନ୍ତି ବା ଏହା ଆଜିର ତଥାକଥିତ ସେଲଫି ନୁହେଁ। ତେଣୁ କେହି ଜଣେ ମନ୍ତ୍ରୀଙ୍କର ଫଟୋ ଉଠାଇଛନ୍ତି। ମନ୍ତ୍ରୀଙ୍କର ଫଟୋ ଉଠାଇଥିବା ଏହି ବ୍ୟକ୍ତିଜଣକ କିଏ? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମନ୍ତ୍ରୀଙ୍କ ସହିତ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଭିତରକୁ ଯେଉଁ ହାତଗଣତି କେତେ ଜଣ ନେତା ବା ବାବୁ ଯାଇଥିବେ ସେମାନଙ୍କ ମଧ୍ୟରୁ ଜଣେ ଏହି ଫଟୋଗୁଡ଼ିକ ନେଇଛନ୍ତି। ଏହି ଫଟୋ ମୋବାଇଲରୁ ନିଆଯାଇଛି ବା କୌଣସି କ୍ୟାମେରାରେ ତାହା ଅନୁସନ୍ଧାନ ସାପେକ୍ଷ। ତେବେ ମୋବାଇଲ୍ ହେଉ ବା ସାଧାରଣ କ୍ୟାମେରା ଏ ଦୁଇଟି ମଧ୍ୟରୁ କୌଣସି ଜିନିଷ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଭିତରକୁ ଯିବା ନିଶ୍ଚିତ ଭାବରେ ଭୁଲ୍।
ମନ୍ତ୍ରୀ କ’ଣ ଜାଣିନଥିଲେ?
ପ୍ରଶ୍ନ-୩: ଫଟୋ ଦେଖିଲେ ମନେହେଉଛି ଯେ ମନ୍ତ୍ରୀଙ୍କର ଅଜାଣତରେ କେହି ଜଣେ ତାଙ୍କର ଫଟୋ ଉଠାଇନାହିଁ। ଅର୍ଥାତ୍ ଫଟୋ ପାଇଁ ବାବୁ ବିଜୟ ଗୋଏଲ୍ ପୋଜ୍ ଦେଇଛନ୍ତି। ତେଣୁ ମନ୍ତ୍ରୀ ଫଟୋ ଉଠାଇବା ସମ୍ପର୍କରେ ଜାଣିନଥିଲେ ଏକଥା ମଧ୍ୟ ନୁହେଁ।
ପ୍ରଶ୍ନ-୪: ମନ୍ତ୍ରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ଗତବର୍ଷ ସେ ଭୁବନେଶ୍ଵର ଗସ୍ତରେ ଆସିଥିବା ବେଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ସେ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟର ଫଟୋକୁ ଯୋଡ଼ି ଓଡ଼ିଶାର ଭାଇଭଉଣୀଙ୍କୁ ଅଭିନନ୍ଦନ ଜଣାଇଥିଲେ ବିଜୟ ଗୋଏଲ। ତେବେ ଓଡ଼ିଶା ପ୍ରତିଷ୍ଠା ଦିବସ ବା ଉତ୍କଳ ଦିବସ ଅବସରରେ ଅନ୍ୟ କୌଣସି ଫଟୋ ବା ଚିତ୍ର ବ୍ୟବହାର ନକରି ମନ୍ତ୍ରୀ କାହିଁକି ଲିଙ୍ଗରାଜ ମନ୍ଦିରର ଫଟୋ ଉପସ୍ଥାପନ କରିବାକୁ ଚାହିଁଲେ?
ପ୍ରଶ୍ନ-୫: ବିଜୟ ଗୋଏଲଙ୍କ ଦଳ ବିଜେପି ସଫେଇ ଦେଇଛି ଯେ ଲିଙ୍ଗରାଜ ମନ୍ଦିର ଭିତରେ ଯେ ଫଟୋ ଉଠାଇବା ନିଷେଧ ଏକଥା ମନ୍ତ୍ରୀ ଜାଣିନଥିଲେ। କିନ୍ତୁ ଯେ କୌଣସି ସାଧାରଣ ଲୋକ ଓଡ଼ିଶା ବିଜେପିର ନେତାଙ୍କ କଥାକୁ ଗ୍ରହଣ କରିବ ନାହିଁ। କାରଣ ଯଦି ନୂଆଦିଲ୍ଲୀରୁ ଆସିଥିବା ସାର୍ଙ୍କୁ ଲିଙ୍ଗରାଜ ମନ୍ଦିରର କାଇଦା କଟକଣା ଜଣାନଥିଲା, ତାଙ୍କ ସାଥୀରେ ଆପଣ ଯେଉଁମାନେ ଥିଲେ ସେମାନେ କ’ଣ କରୁଥିଲେ?
ମନ୍ତ୍ରୀଙ୍କ ଫଟୋ ଉଠାଇଲା କିଏ?
ପ୍ରଶ୍ନ-୬: ମନେହେଉଛି ଲିଙ୍ଗରାଜ ମନ୍ଦିର ଅଗଣାରେ ଏବଂ ଗର୍ଭଗୃହ ଭିତରେ ସେଦିନ ମନ୍ତ୍ରୀଙ୍କର ଅନେକ ଫଟୋ ଉଠାଯାଇଛି। ପ୍ରଶ୍ନ ହେଉଛି ରାଜନୈତିକ ଦଳୀୟ ନେତା ଫଟୋ ଉଠାଉଥିବା ବ୍ୟକ୍ତିଙ୍କୁ ଏବଂ କ୍ୟାମେରାକୁ ପୋଜ୍ ଦେଉଥିବା ମନ୍ତ୍ରୀଙ୍କୁ ସେତେବେଳେ କେହି ଏ ବାବଦରେ ସୂଚନା ଦେଇଥିଲେ ବା ବାରଣ କରିଥିଲେ କି? ଯଦି ନୁହେଁ ତେବେ ଆଜି ଏହାର ଉତ୍ତରଦାୟିତ୍ଵ ନେବାକୁ ଏତେ ପଛଘୁଞ୍ଚା କାହିଁକି?
ପ୍ରଶ୍ନ-୭: ଲିଙ୍ଗରାଜ ମନ୍ଦିରରେ ପାରମ୍ପରିକ ଭାବେ ସେବାୟତମାନେ ରହିଛନ୍ତି। ସେମାନଙ୍କ ଅଜାଣତରେ ମନ୍ଦିର ମଧ୍ୟରେ ମାଛିଟିଏ ପ୍ରବେଶ କରିବା ଅସମ୍ଭବ। ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯେ ମନ୍ଦିର ଭିତରେ ମନ୍ତ୍ରୀଙ୍କର ଫଟୋ ସେସନ ବେଳେ ସେମାନେ କରୁଥିଲେ କ’ଣ? ସେମାନେ ମନ୍ତ୍ରୀଙ୍କୁ ପ୍ରୀତ କରିବା ପାଇଁ ମୁହଁ ଖୋଲିନଥିଲେ ନା କାହାର ଡରରେ ଏ ବାବଦରେ ପ୍ରଶ୍ନ ଉଠାଇନଥିଲେ?
ମନ୍ଦିର ପ୍ରଶାସନ ସବୁ ଜାଣି ଅଜଣା!
ପ୍ରଶ୍ନ-୮: ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ରହିଛି ଏକ ପ୍ରଶାସନିକ ବ୍ୟବସ୍ଥା। ଜଣେ ପ୍ରଶାସକଙ୍କ ଅଧୀନରେ ଏକ ବିଧିବଦ୍ଧ ଅଫିସ୍ କାମ କରୁଛି। କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ ଗର୍ଭଗୃହରେ ପୂଜାର୍ଚ୍ଚନା କଲାବେଳେ ଫଟୋ ଉଠାଇବା ପ୍ରଶାସନ ନଜରକୁ ଆସିଥିଲା ନା ପ୍ରଶାସନ ଜାଣି ନିରବ ରହିବାକୁ ଉଚିତ୍ ମନେ କରିଥିଲା? ଯଦି ପ୍ରଶାସନ ପାଖରେ ଏ ଖବର ରହୁନାହିଁ, ତେବେ ସାଂଘାତିକ। ଯଦି ଏ ଖବର ଥାଇ ପ୍ରଶାସନ ନିରବ ରହୁଛି ଆହୁରି ସାଂଘାତିକ। ମନେହେଉଛି ସେଦିନର ଅତିଥି ଜଣେ ଭିଭିଆଇପି ହୋଇଥିବାରୁ ସେ ପରିଦର୍ଶନ କରିବା ସମୟରେ ପ୍ରଶାସନ ପକ୍ଷରୁ କେହି ନା କେହି ପ୍ରତିନିଧି ସେଠାରେ ଉପସ୍ଥିତ ଥିବେ ଏବଂ ଧରିନେବାକୁ ହେବ ଯେ ତାଙ୍କ ଆଖି ଆଗରେ ଏହି ଫଟୋଉଠା ପର୍ବ ହୋଇଥିବ। ତେଣୁ ଏକଥା ସ୍ପଷ୍ଟ ଯେ ମନ୍ଦିର ପ୍ରଶାସନ ମଧ୍ୟ ସବୁ ଦେଖି ନିରବ ରହିବାକୁ ପସନ୍ଦ କରୁଛି।
ରାଜ୍ୟ ବିଜେପି ନେତା କାହାର ହେବେ?
ପ୍ରଶ୍ନ-୯: ରାଜ୍ୟ ବିଜେପିର ଦୁଇ ଜଣ ନେତା ଏହି ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଜଣେ ନେତା ଏଥିପାଇଁ ଦୁଃଖ ପ୍ରକାଶ କରି ମନ୍ତ୍ରୀ ଏଭଳି ନିୟମ ସମ୍ପର୍କରେ ଜାଣି ନଥାଇପାରନ୍ତି ବୋଲି କହି ମାମଲାକୁ ରଫା ଦଫା କରିବାକୁ ଚାହିଁଛନ୍ତି। ତେବେ ଆଉ ଜଣେ ବଡ଼ ନେତା ଏଥିପାଇଁ ଓଲଟା ନବୀନ ବାବୁଙ୍କ ପ୍ରଶାସନକୁ ଦାୟୀ କରିଛନ୍ତି। ତାଙ୍କ କହିବା କଥା ବାବୁ ବିଜୟ ବାହାରୁ ଆସିଥିଲେ। ମନ୍ଦିର ଭିତରେ ଫଟୋ ଉଠାଇବା ନିୟମ କି ବେନିୟମ ସେ ଅବଶ୍ୟ ଜାଣିନଥାଇପାରନ୍ତି, କିନ୍ତୁ ବାବୁ ନବୀନଙ୍କ ପ୍ରଶାସକମାନେ ତ ଜାଣିବା କଥା। ସେମାନେ ମନ୍ତ୍ରୀଙ୍କୁ କାହିଁକି ଏଥିପାଇଁ ବାରଣ ନ କଲେ। ତେଣୁ ରାଜ୍ୟ ପ୍ରଶାସନର ଘଳିଆ ଆଡିକୁ ସେ ଆଙ୍ଗୁଠି ଦେଖାଇଛନ୍ତି। ଚମତ୍କାର କଥା! ରାଜନୀତି କରୁଛନ୍ତି ଯେତେବେଳେ ସବୁ ପରିସ୍ଥିତିରେ କାଦୁଅ ଗୁଳାକୁ ବିରୋଧୀ ପକ୍ଷକୁ କିଭଳି ଫୋପାଡ଼ିବେ ସେ ବିଷୟରେ ଜାଣିବା ଦରକାର।
ଅବଶ୍ୟ ଆମେ ଏକଥା ବୁଝିପାରୁଛୁ ଯେ ଓଡ଼ିଶାର ବିଜେପି ନେତାଙ୍କ ପାଇଁ ଏହା ଏକ ଅଡୁଆ ପରିସ୍ଥିତି। ସେମାନେ କାହାର ହେବେ? ବାବୁ ବିଜୟ ଗୋଏଲଙ୍କର ନା ଓଡ଼ିଶାର?
ପ୍ରଶ୍ନ-୧୦: ଏ ପ୍ରଶ୍ନଟି ଜଣେ ସାଧାରଣ ବ୍ୟକ୍ତି ହିସାବରେ ବା ଭାରତୀୟ ନାଗରିକ ହିସାବରେ ମନକୁ ଆସୁଛି। ଆଜି ଯଦି ଆମ ଭିତରୁ କେହି ଜଣେ ବା କୌଣସି ଗାଁ ଗହଳିରୁ ଆସିଥିବା ଜଣେ ସାଧାରଣ ଲୋକ ହାତରେ ମୋବାଇଲଟି ଧରି ମନ୍ଦିର ଭିତରକୁ ପଶିଯାଏ ଏବଂ କୌଣସି ଫଟୋ ନେବା ପାଇଁ ଉଦ୍ୟମ କରେ ସେଠି କିଭଳି ପରିସ୍ଥିତି ଘଟିବ ଆପଣ ଚିନ୍ତା କରିପାରନ୍ତି। ସେ ମନ୍ଦିରରୁ ସୁରକ୍ଷିତ ଭାବରେ ବାହାରକୁ ଫେରିପାରିବ କି ନାହିଁ ସେନେଇ ନିଶ୍ଚିତ ସନ୍ଦେହ ରହିଛି। କିନ୍ତୁ ଆପଣ ଯଦି ମନ୍ତ୍ରୀ ବା ବଡ ବାବୁ ତେବେ ଆପଣଙ୍କ ପାଇଁ ସବୁ ବେନିୟମ ନିୟମ!
ଏଭଳି ପିଲାଳିଆମୀ କ’ଣ ପାଇଁ?
ମନ୍ତ୍ରୀ ବିଜୟ ଗୋଏଲଙ୍କ ହଟହଟା କାହାଣୀ ଦେଖିଲେ ମନକୁ ଗୋଟିଏ ପ୍ରଶ୍ନ ଆସେ ଯେ ବୟସ ପଦପଦବୀ ଏବଂ ଚେତନାର ବିଭିନ୍ନ ସ୍ତରରେ ମଧ୍ୟ ମଣିଷ କିଭଳି ପିଲାଳିଆମୀ କରିପାରେ। କହିବାର ଅର୍ଥ ହେଉଛି, ଦୈନନ୍ଦିନ ଜୀବନରେ ଆମେ ଯୁଆଡେ ଯାଉ ଓ ଯାହା କରୁ ତା’ର ଫଟୋ ଉଠାଇବା ଏବଂ ତା’ର ସାମାଜିକ ଆବଶ୍ୟକତା ବା ପ୍ରାସଙ୍ଗିକତାକୁ ଭୁଲି ତାକୁ ତତ୍କାଳ ସୋସିଆଲ୍ ମିଡ଼ିଆ ଚ୍ୟାନେଲରେ ପୋଷ୍ଟ କରିବା କେତେଦୂର ଠିକ୍? ସୋସିଆଲ ମିଡ଼ିଆକୁ ଏକାନ୍ତ ବ୍ୟକ୍ତିଗତ ମିଡ଼ିଆ ବୋଲି କହି ଅନେକ ଲୋକ ବିବାଦରୁ ଖସିଯିବାକୁ ଚାହାନ୍ତି। କିନ୍ତୁ କୌଣସି ପବ୍ଲିକ୍ ଫିଗର୍ ବା ସାଧାରଣ ଜୀବନରେ ଲୋକଙ୍କ ସହ ଜଡ଼ିତ ଶାସକ ପ୍ରଶାସକ ଏବଂ ଅନ୍ୟ ବ୍ୟକ୍ତିତ୍ଵମାନେ ଆଗପଛ ବିଚାର ନକରି ଯେକୌଣସି ଜିନିଷ ସୋସିଆଲ୍ ମିଡ଼ିଆରେ ଲୋଡ୍ କରିବା ନିଶ୍ଚିତ ଭାବରେ ସ୍ଵାଗତଯୋଗ୍ୟ ପଦକ୍ଷେପ ନୁହେଁ। ଯଦି ସେମାନେ ଏହା କରନ୍ତି ତେବେ ଆମେ ସ୍କୁଲ୍ କଲେଜର ପିଲାମାନେ ସୋସିଆଲ୍ ମିଡ଼ିଆର ବ୍ୟାପକ ଅପବ୍ୟବହାର କରୁଛନ୍ତି ବୋଲି ଆଲୋଚନା କରିବା କାହିଁକି?
ଏ ଲେଖକ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ସମ୍ପ୍ରଦାୟ, ବିଶ୍ଵାସ ବା ଗୋଷ୍ଠୀରେ ବିଶ୍ଵାସ କରେ ନାହିଁ। ମନ୍ଦିର ଭିତରେ ଫଟୋ ଉଠାଇବା ଉଚିତ୍ କି ନୁହେଁ ସେ ନିୟମ ସମ୍ପର୍କରେ ମଧ୍ୟ ଭାଷଣ ଦେବାକୁ ଚାହେଁ ନାହିଁ। କିନ୍ତୁ ବିନୀତ ଭାବେ କହିବାକୁ ଚାହେଁ ଯେ ବିଭିନ୍ନ ସାମାଜିକ, ଧାର୍ମିକ, ପରମ୍ପରା ଏବଂ ଆଇନଗତ ଭାବେ ଆମେ ଯେଉଁସବୁ ନିୟମ ବା ଆଚରଣ ସ୍ଥିର କରିଛନ୍ତି ତାହା ସମସ୍ତଙ୍କ ପାଇଁ ସମାନ। ନେତା ଓ ଜନତାଙ୍କ ପାଇଁ ତାହା କେବେ ଅଲଗା ହୋଇପାରିବ ନାହିଁ।
ସାଧୁ ସାବଧାନ!
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ)


















