ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାଟୁ କୁଟେଇବାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଟାଟୁ ଷ୍ଟୁଡିଓ ମାଲିକ ଓ ଟାଟୁ ଆଙ୍କିଥିବା ବ୍ୟକ୍ତି।

ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ ଅଭିଯୋଗ ଅନୁଯାୟୀ, ସହିଦ ନଗର ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୯ ଆଧାରରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଜଣେ ବିଦେଶୀ ମହିଳା ତାଙ୍କ ଜଙ୍ଘରେ କୁଟେଇ ଥିଲେ। ଭୁବନେଶ୍ଵର ସହିଦ ନଗରସ୍ଥିତ ଏକ ଟାଟୁ ଷ୍ଟୁଡିଓରେ ସେ ଏହି ଟାଟୁ କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସୃଷ୍ଟି ହୋଇଥିଲା ବିବାଦ।

ଟାଟୁ ଆଙ୍କିଥିବା ଷ୍ଟୁଡିଓ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଜଗନ୍ନାଥ ପ୍ରେମୀ। ଦୋଷୀମାନେ ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ପ୍ରାର୍ଥନା କରିବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।

ଅନ୍ୟପଟେ ଏଭଳି ଟାଟୁ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେବା ସହ ହିନ୍ଦୁତ୍ୱବାଦକୁ ଅପମାନିତ କରୁଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି।

ସାରା ରାଜ୍ୟରେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଭିଡିଓ କରି କ୍ଷମା ମାଗିଛନ୍ତି ଟାଟୁ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇ। ସେ କହିଛନ୍ତି, “ଆମ ଷ୍ଟୁଡିଓରେ ଭୁଲ ହୋଇଯାଇଛି। ଟାଟୁ କରିଥିବା ବିଦେଶୀ ମହିଳା ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ। ସେ ଏକ ଏନଜିଓରେ କାମ କରୁଥିବାରୁ କପଡ଼ା ଢାଙ୍କି ହୋଇ ରହୁଥିବା ସ୍ଥାନରେ ଟାଟୁ କରିବାକୁ କହିଥିଲେ। ମୋ ଆଟିଷ୍ଟ ତାଙ୍କୁ ମନା କରିଥିଲେ ମଧ୍ୟ ସେ ଜିଦ୍ ଧରିଥିଲେ। ଏହା କରିବା ଆମର ବହୁତ ଭୁଲ ଥିଲା, ସେଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି।”

ସେହିପରି ବିଦେଶୀ ମହିଳା ମଧ୍ୟ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, “ମୁଁ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତ। କେବେ ବି ପ୍ରଭୁଙ୍କୁ ଅସମ୍ମାନ କରିବାକୁ ଚାହୁଁ ନଥିଲି। ମୁଁ ଯେଉଁ ସ୍ଥାନରେ ମହାପ୍ରଭୁଙ୍କ ଟାଟୁ କରିଛି ତାହା ମୋର ବଡ଼ ଭୁଲ। ସେଥିପାଇଁ ସମସ୍ତେ ମୋତେ କ୍ଷମା କରନ୍ତୁ। ଖୁବଶୀଘ୍ର ଏହାକୁ ମୁଁ ହଟାଇ ଦେବି।”

ଜଙ୍ଘରେ ଟାଟୁ ଆଙ୍କିଥିବା ବିଦେଶୀ ମହିଳା ଜଣଙ୍କ ହେଲେ ଇଟାଲିର ବାସିନ୍ଦା। ସେ କନ୍ଧମାଳର ଏକ ସ୍ଵେଚ୍ଛାସେବୀ ସଂଗଠନରେ କାମ କରନ୍ତି। ଭୁବନେଶ୍ଵର ଆସିଥିବାବେଳେ ସେ ଏହି ଟାଟୁ କରି ବିବାଦରେ ଫସିଛନ୍ତି।

Tags: #LordJagannathTattoo #ForeignWoman #Controversy #SahidNagar #Arrest #Bhubaneswar #Odisha

Comment