ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ ଭାରତର ସତୀଶ କୁମାର ଶିବଲିଙ୍ଗମ୍‌ ୭୭ କେଜି ଭାର ଭାରୋତ୍ତଳନରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ଦିନଠୁ ଭାରତ ପାଇଁ ପ୍ରତିଦିନ ସ୍ୱର୍ଣ୍ଣ ପଦକ ଜିଣୁଛନ୍ତି ପ୍ରତିଯୋଗୀ। ମୀରାବାଈ ଚାନୁ ଏବଂ ସଞ୍ଜିତା ଚାନୁ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ସତୀଶ ଶିବଲିଙ୍ଗମ ଜିତିଛନ୍ତି ଆଉ ଏକ ସ୍ୱର୍ଣ୍ଣ । ଏହା ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣପଦକ।

ଦ୍ୱିତୀୟ ଉଦ୍ୟମ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୭୩ କେଜି ଭାରୋତ୍ତଳନ କରିବାପରେ ତୃତୀୟ ଉଦ୍ୟମରେ ସ୍ନାଚ୍‌ରେ ଶିବଲିଙ୍ଗମ୍‌ ୧୪୪ କେଜି ଭାରୋତ୍ତଳନ କରିଥିଲେ।

ଶିବଲିଙ୍ଗମ୍‌ ଇଂଲଣ୍ଡର୍‌ ଜ୍ୟାକ୍‌ ଅଲଭର୍‌ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ  ଜିଣିଥିଲେ। ଅଷ୍ଟ୍ରେଲିଆର ଫ୍ରାଙ୍କୋଇସ୍‌ ଇଟୋଉନ୍ଦି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ।

ସ୍ନାଚ୍‌ରେ ସିଡବ୍ଲୁଜି ରେକର୍ଡଧାରୀ ଅଭିଜ୍ଞ ଶିବଲିଙ୍ଗମ୍‌ ଭଲ ପ୍ରଦର୍ଶନ କରି ପାରି ନ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଶୀର୍ଷସ୍ତରରେ ପହଞ୍ଚିବାରୁ ଖୁସି ବ୍ୟକ୍ତ କରିଥିଲେ।

୨୫ ବର୍ଷୀୟ ସତୀଶ ରେଳବାଇରେ ଚାକିରି କରନ୍ତି। ସେ ଚେନ୍ନାଇରେ ରେଳବାଇରେ କ୍ଲର୍କ ଅଛନ୍ତି। ବାପାଙ୍କୁ ଦେଖି ହିଁ ଭାରୋତ୍ତୋଳନ ପ୍ରତି ଆକୃଷ୍ଟ ହୋଇଥିଲେ ସତୀଶ। ତାଙ୍କ ବାପା ଭାରୋତ୍ତଳନରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଥମେ ପ୍ରଥମେ ସତୀଶ ବାପାଙ୍କଠାରୁ ହିଁ ତାଲିମ ନେଇଥିଲେ। ତାଙ୍କ ବାପା ଏକ ବିଶ୍ୱବିଦ୍ୟାଳୟରେ ସିକ୍ୟୁରିଟିଗାର୍ଡ ଚାକିରି କରୁଛନ୍ତି।

୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସତୀଶ ସ୍ୱର୍ଣ୍ଣ ପଦକ ହାତେଇଥିଲେ।

 

Comment