ଗୀତା ଦାସ

ମଦର ଅଭ୍ୟାସ କାହିଁକି ହୁଏ? ମଣିଷ ମଦ ପିଏ ହେଲେ କେତେକ ଲୋକଙ୍କ କ୍ଷେତ୍ରରେ ଦେଖାଯାଏ ଯେମିତି ମଦ ତାଙ୍କୁ ପିଇଯାଇଛି! କାହିଁକି?

ଅନେକ ଲୋକ ମଦ ପିଅନ୍ତି। କେତେକ ଲୋକ ମଦ୍ୟାସକ୍ତ ହୁଅନ୍ତି ଓ ଅନ୍ୟମାନେ ମଦ୍ୟାସକ୍ତ ହୁଅନ୍ତି ନାହିଁ। କାହିଁକି ଏପରି ହୁଏ? ଏଇ ଦୁଇ ପ୍ରକାର ଲୋକଙ୍କୁ ପରୀକ୍ଷା କରି ସେମାନଙ୍କଠାରେ ଶାରୀରିକ କ୍ଷେତ୍ରରେ କେତେକ ତଫାତ୍ ଥିବାର ଦେଖାଯାଉଛି।

ଯିଏ ଭବିଷ୍ୟତରେ ନିଶାଖୋର ହୁଏ, ସେ ମଦ ପିଇବାର ପ୍ରଥମ ଅବସ୍ଥାରେ ମଦ ପିଇଲେ ତା’ର କର୍ମଦକ୍ଷତା ବଢ଼ିଯାଏ। ଏକାଗ୍ରତା, ସ୍ମୃତିଶକ୍ତି, ମନୋଯୋଗ, ନୂଆ ଉଦ୍ଭାବନ କରିପାରିବାର କ୍ଷମତା (କ୍ରିଏଟିଭିଟି) ଇତ୍ୟାଦିରେ ଉନ୍ନତି ଦେଖାଯାଏ। ମନର ବିରକ୍ତି ଓ ଅବସନ୍ନ ଭାବ କଟିଯାଏ, କଥାବାର୍ତ୍ତା କରିବାକୁ ଭଲ ଲାଗେ ଓ ମିଜାଜ୍ ଭଲ ହୋଇଯାଏ।

ଭବିଷ୍ୟତରେ ଯିଏ ନିଶାଖୋର ହୁଏ ନାହିଁ, ତା’ର ମଧ୍ୟ ଏହିଭଳି ଅନୁଭୂତି ଓ କର୍ମଦକ୍ଷତା (ଅଧ ଆଉନ୍‌ସରୁ ଏକ ଆଉନ୍ସ ପର୍ଯ୍ୟନ୍ତ ଆଲକୋହଲ ପିଇଲେ) ବଢ଼ିବାର ଦେଖାଯାଏ। ମାତ୍ର ସେ ଆଉ ବେଶି ମଦ ପିଇଲେ, ତା’ର କର୍ମଦକ୍ଷତା କମିଯାଏ। କଥାରେ ଜଡ଼ତା ଦେଖାଯାଏ, ଚାଲିଲେ ଟଳିପଡେ ଓ ଅସଂଲଗ୍ନ ଭାବରେ ଭାବିବାକୁ ଆରମ୍ଭ କରେ।

ବେଶି ମଦ ପିଇଲେ ଏଭଳି ଅବନତି- ଯିଏ ନିଶାଖୋର ହେବ, ତା’ଠାରେ ଦେଖାଯାଏ ନାହିଁ। ସେମାନେ ଯଥେଷ୍ଟ ବେଶି ପରିମାଣରେ ମଦ ପିଇଲେ ମଧ୍ୟ ତାଙ୍କୁ ନିଶା ଘାରେ ନାହିଁ। ଯେତେବେଳେ ପିଇବା ବନ୍ଦ କରିଦିଅନ୍ତି, ସେତେବେଳେ ତାଙ୍କର ଅବନତି ଦେଖାଯାଏ। ତେଣୁ ଆଉ ଥରେ ଟିକେ ପିଇଦେଲେ ସେମାନେ ପୁଣି ସ୍ୱାଭାବିକ ଭାବରେ ବ୍ୟବହାର କରନ୍ତି।

ଏଥିରୁ ଦେଖାଯାଉଛି ଯେ ଏଇ ଦୁଇ ଶ୍ରେଣୀର ଲୋକଙ୍କ ଭିତରେ ନିଶା ସହ ପରିବାର କ୍ଷମତାରେ ତଫାତ୍ ରହୁଛି ଓ ନିଶାର ପ୍ରତିକ୍ରିୟା ମଧ୍ୟ ଭିନ୍ନ ଭାବରେ ସେମାନଙ୍କୁ ପ୍ରଭାବିତ କରୁଛି।

ଏମାନଙ୍କର ଯକୃତର କ୍ରିୟାରେ ମଧ୍ୟ ପାର୍ଥକ୍ୟ ରହୁଛି। ଯକୃତ ମଦର ବିଷାକ୍ତ ଅଂଶର ରକ୍ତରୁ ଅଲଗା କରିଦିଏ ଓ ଏହାପରେ ମୂତ୍ର ଆକାରରେ ଦେହରୁ ବାହାରିଯାଏ। ମଦ୍ୟାସକ୍ତ ଲୋକର ଯକୃତର କ୍ରିୟା ଅସ୍ୱାଭାବିକ ହୋଇଥିବାରୁ ତା’ର ଯକୃତ ବିଷାକ୍ତ ଅଂଶ ଖୁବ୍ ବିଳମ୍ବରେ ରକ୍ତରୁ କାଢ଼େ। ଫଳରେ ତା’ର ଦେହରେ ବିଷାକ୍ତ ପଦାର୍ଥ ବେଶି ସମୟ ରହିବାକୁ ଦେହକୋଷ ଓ ସ୍ନାୟୁକୋଷରେ ବିକୃତି ଘଟେ।

ମଦ୍ୟାସକ୍ତ ଲୋକର ପିଲାମାନଙ୍କର (ଯିଏ କେବେ ମଦ ପିଇ ନାହାନ୍ତି) ମଧ୍ୟ ଯକୃତରେ ଅସ୍ୱାଭାବିକତା ଦେଖାଯାଏ। ଲାବୋରେଟୋରୀରେ ପରୀକ୍ଷିତ ହେଲାବେଳେ ସାମାନ୍ୟ ମଦ ପିଇଲା ପରେ ଦେଖାଯାଉଛି ଯେ ସେମାନଙ୍କର ଯକୃତ ମଧ୍ୟ ସ୍ୱାଭାବିକ ରୀତିରେ ରକ୍ତରୁ ମଦ ବିଶୋଧନ କରିପାରୁ ନାହିଁ।

ମଦ୍ୟାସକ୍ତ ଲୋକର ପରିବାରରେ ମାନସିକ ରୋଗ ଥିବାର ମଧ୍ୟ ଜଣାଯାଉଛି। ଏମାନଙ୍କ ଭିତରେ ମଧ୍ୟ ବେଶି ସଂଖ୍ୟାରେ ଡିପ୍ରେସନ ଓ ଉତ୍କଣ୍ଠା ରୋଗଥିବାର ଦେଖାଯାଉଛି। ଉତ୍କଣ୍ଠା ବା ଡିପ୍ରେସନ ହେଲେ ମନର ଭାର ଲାଘବ କରିବା ପାଇଁ ଲୋକେ ମଦ ପିଉଛନ୍ତି ନା ମଦ ପିଇବାରୁ ସେମାନଙ୍କର ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଗୋଳମାଳ ସୃଷ୍ଟି ହୋଇ ସେମାନଙ୍କଠାରେ ଡିପ୍ରେସନ, ଉତ୍କଣ୍ଠା ଓ ସାଧାରଣ ମାନସିକ ଅଶାନ୍ତି ଦେଖାଯାଉଛି- ସେ ବିଷୟ ନେଇ ବିଶେଷଜ୍ଞଙ୍କ ଭିତରେ ମତଭେଦ ରହିଛି। ଯାହାହେଉ, ଯେଉଁମାନଙ୍କ ପରିବାରରେ ମାନସିକ ରୋଗ ଅଛି ସେମାନଙ୍କର ମଦ ପିଇବା ବିଷୟରେ ସାବଧାନ ହେବା କଥା। କାରଣ ଶାରୀରିକପ୍ରବଣତା ଯୋଗୁଁ ମଦ୍ୟାସକ୍ତିର ସମ୍ଭାବନା ବଢ଼ିଥାଏ ବୋଲି ଜେନେଟିକ୍ ଗବେଷଣାରୁ ଜଣାଗଲାଣି।

ମଦ୍ୟାସକ୍ତ ବାପାମାଆଙ୍କର ପିଲା ଜନ୍ମ ପରେ ଦତ୍ତକ ପିଲା ହୋଇ ଅନ୍ୟ ଘରେ ବାପାମାଆଙ୍କଠାରୁ ଅଲଗା ହୋଇ ବଢ଼ିଛି, ଅଥଚ ବଡ଼ ହେଲା ପରେ ସେଭଳି ପିଲାଙ୍କ ଭିତରୁ ଅନେକ ଯୁବକ ଅବସ୍ଥାରେ ହିଁ ବହୁତ ମଦ ପିଉଛନ୍ତି ଓ କେତେକଙ୍କର ମଦ୍ୟାସକ୍ତି ମଧ୍ୟ ହେଉଛି। ତେଣୁ ଏଠି ଅନୁକରଣ କରି ଶିଖିବା କିମ୍ବା ଘରର ମଦୁଆ ପରିବେଶ ଯୋଗୁଁ ଆଗ୍ରହୀ ହୋଇ ମଦ ପିଇବାର ଘଟଣା ଘଟୁଛି ବୋଲି କହିହେବ ନାହିଁ। ଏମାନଙ୍କ ସହିତ ଯେଉଁ ବାପାମାଆଙ୍କର ମଦ୍ୟାସକ୍ତି ନାହିଁ ସେମାନଙ୍କର ମଦ ପିଇବା ଅଭ୍ୟାସ ତୁଳନା କରି ଦେଖିଲେ ଦେଖାଯାଉଛି ଏ ପିଲାମାନେ ମଧ୍ୟ ମଦ ପିଅନ୍ତି, କିନ୍ତୁ ଏମାନଙ୍କ ଭିତରୁ ଅତି ଅଳ୍ପସଂଖ୍ୟକ ପିଲା ମଦ୍ୟାସକ୍ତ ହେଉଛନ୍ତି।

ଏଥିରୁ ଭାବିବା ଠିକ୍ ନୁହେଁ, ଯାହାର ବାପାମାଆ ମଦ ପିଅନ୍ତି ନାହିଁ, ତା’ର ପିଲା ମଦ ପିଇଲେ ମଦ୍ୟାସକ୍ତ ହେବ ନାହିଁ। ଏଠି ମନେ ରଖିବା କଥା ଯେ ଶାରୀରିକପ୍ରବଣତା ଯୋଗୁଁ ମଦ୍ୟାସକ୍ତିର ସମ୍ଭାବନା ବହୁତ ବଢ଼େ ସତ, ମାତ୍ର ଅନ୍ୟାନ୍ୟ କାରଣ ଯୋଗୁଁ ମଧ୍ୟ ମଦ୍ୟାସକ୍ତି ଘଟିଥାଏ। ଯାହାର ଶାରୀରିକ ପ୍ରବଣତା ନାହିଁ ସେ ମଧ୍ୟ ଅନ୍ୟ କାରଣର ପ୍ରଭାବରୁ ମଦ୍ୟାସକ୍ତ ହୋଇପାରେ।

ମଦ ପିଇଲେ ନିଜ ସନ୍ତାନର ଭବିଷ୍ୟତ କ’ଣ ହେବ- ସେ କଥା ଚିନ୍ତା କରି ମଦ ପିଇବା କଥା। କାରଣ ଗର୍ଭବତୀ ମାଆ ମଦ ପିଇଲେ ସନ୍ତାନ ମାଆ ପେଟରୁ ମାତାଲ ହୋଇ ଜନ୍ମୁଛି ଓ ତା’ର ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଆମେରିକାର ଶତକଡ଼ା ୨୫ ଜଣ ନିର୍ବୁଦ୍ଧିଆ ପିଲା ଓ ଶାରୀରିକ ତ୍ରୁଟି ନେଇ ଜନ୍ମ ହୋଇଥିବା ପିଲା ମଦ ଓ ନିଶା ଖାଉଥିବା ମାଆଠାରୁ ଜନ୍ମ ହେଉଛନ୍ତି। ବାପା ମଦ ପିଉଥିଲେ ଓ ମାଆ ମଦ ପିଉନଥିଲେ ମଧ୍ୟ ବ୍ରେନ୍ ସ୍ଥାନରୁ ପିଲାର ମସ୍ତିଷ୍କରେ ଅସ୍ୱାଭାବିକତା ଥିବାର ଦେଖାଦେଉଛି। ବାପାମାଆଙ୍କର ନିଶା ଯୋଗୁଁ ଅସହାୟ ଶିଶୁ କଷ୍ଟ ଓ ଯନ୍ତ୍ରଣାରେ ଘାରି ହେଉଛି।

(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)

Comment