ଗୀତା ଦାସ

ମଦ କାହିଁକି ଲୋକେ ପିଅନ୍ତି? ପଢ଼ନ୍ତୁ ବାବଦରେ ’ଣ କହନ୍ତି ଡାକ୍ତର, ସମାଜବିଜ୍ଞାନୀ ମନ–ବିଶେଷଜ୍ଞ।

ମଦ ପିଇବାକୁ ଭଲ ଲାଗିବାର କାରଣ ବହୁ ଅଂଶରେ ଶାରୀରିକ। ମଦ୍ୟାସକ୍ତର କ୍ରେଭିଂ ବା ଅସମ୍ଭାଳ ଇଚ୍ଛା ମଧ୍ୟ ଶାରୀରିକ କାରଣରୁ ହିଁ ହୋଇଥାଏ।

ସମାଜ ବିଜ୍ଞାନୀଙ୍କ ମତରେ:

ସମାଜରେ ମଦ୍ୟପାନ ଓ ଆଧୁନିକତାର ଚିହ୍ନ ହେବାରୁ ଲୋକେ ମଦ ପିଇବାରେ ମନ ବଳାଉଛନ୍ତି। ବେକାରୀ, ଦାରିଦ୍ର୍ୟ, ଅସୁଖୀ ଜୀବନ, ବିପଥଗାମୀ ମନୋବୃତ୍ତି ଯୋଗୁଁ ଓ ଅପରାଧପ୍ରବଣତା ଏ ଦିଗରେ ମଣିଷକୁ ଆହୁରି ଆଗେଇ ନେଉଛି। ତା’ ସହିତ ଚାରିଆଡେ ମଦ ମିଳିବାରୁ ଲୋକେ ଅନ୍ୟ କ’ଣ କରିହେବ ସେକଥା ନ ଭାବି ମଦ ପିଇ ମନଭାର ଲାଘବ କରିବାକୁ ଚାହୁଁଛନ୍ତି।

ମନୋବିଜ୍ଞାନୀଙ୍କ ମତରେ:

କେତେକ ବ୍ୟକ୍ତିଙ୍କର ବୈଶିଷ୍ଟ୍ୟ ଓ ମାନସିକପ୍ରବଣତା ଥିବାରୁ ଲୋକେ ମଦ ପିଇବାକୁ ଆଗ୍ରହୀ ହେଉଛନ୍ତି। ପରିମିତ ଭାବରେ ପିଇବା ସମ୍ଭବ ନ ହେବାରୁ ବହୁତ ପିଇ ଶେଷରେ ମଦ୍ୟାସକ୍ତ ହେଉଛନ୍ତି। ମାନସିକପ୍ରବଣତା ଶାରୀରିକ ପ୍ରକ୍ରିୟାରୁ କେତେକାଂଶରେ ଜାତ ହୋଇଥାଏ ସତ, କିନ୍ତୁ ବିଭିନ୍ନ କାରଣ ଯଥା-ଅନ୍ୟର ଅନୁକରଣ, ସଙ୍ଗଦୋଷ, ନ୍ୟୂନତାବୋଧ, ସାଙ୍ଗମାନଙ୍କ ପ୍ରଶଂସା ପାଇବାର ଲାଳସା, ମାନସିକ ଚାପ, ଉତ୍କଣ୍ଠା, ପ୍ରଚ୍ଛନ୍ନ ଭୟ, ହତାଶା ଓ ନିରୁପାୟ ଭାବ ଏବଂ ଜୀବନର ଜଟିଳ ସମସ୍ୟାର ସହଜ ସମାଧାନ ଚାହିଁବାରୁ ମଦ ପିଇବା ବିଷୟରେ ମଣିଷ ଆଗ୍ରହୀ ହୋଇଥାଏ। ମନର ଏପରି ଉନ୍ମୁଖ ଭାବ ନଥିଲେ ସେ ଆଗେଇନଥାନ୍ତା।

ସବୁ ଲୋକଙ୍କର ମଦ ପ୍ରତି ସମାନ ଆଗ୍ରହ ନଥାଏ। କିଏ ମଦ ପିଇ ନିଜର ସମସ୍ୟା ଭୁଲିଯିବାକୁ ଚାହେଁ, ମଦ ପିଇ ମନରେ ଦମ୍ଭ ଆଣେ, ନିଷିଦ୍ଧ କାମ କଲା ପୂର୍ବରୁ ସାହସ ବାନ୍ଧେ। କିଏ ମଦ ନପିଇ ରହିପାରେ ନାହିଁ। ଥରେ ଚାଖିଲେ କ୍ରମାଗତ ପିଉଥାଏ। କିଏ ବା ୱାଇନ୍ ଓ ସାମ୍ପେନର ରୋମାଣ୍ଟିକ୍ ମଦିରତା କଳ୍ପନା କରି ତା’ର ସ୍ୱାଦ ଗନ୍ଧରୁ ଆନନ୍ଦ ପାଏ। କିଏ ସାଙ୍ଗମେଳରେ ପଡ଼ି ଥରେ ଅଧେ ପିଏ ଓ କାହାର ଟିକେ ମଦ ପିଇଲେ କାନମୁଣ୍ଡା ଗରମ ହୋଇଯାଏ, ମୁଣ୍ଡ ବୁଲାଏ, ପେଟ କେମିତି ଲାଗେ। ଏମାନଙ୍କୁ ମଦ ଭଲ ଲାଗେ ନାହିଁ କି ବାଧ୍ୟରେ ପଡ଼ିଲେ ସୁଦ୍ଧା ବେଶୀ ମଦ ପିଇପାରନ୍ତି ନାହିଁ। ଜାପାନୀ, କୋରିଆନ୍ ଓ ଚାଇନିଜ ଲୋକମାନଙ୍କ ଭିତରେ ପ୍ରତିକୂଳ ଶାରୀରିକ ପ୍ରତିକ୍ରିୟା ବେଶି ଦେଖା ଯାଉଥିବାରୁ ସେମାନେ ବହୁତ ବେଶି ମଦ ପିଅନ୍ତି ନାହିଁ।

ଭାରତ ଓ ଭାରତ ବାହାରେ ଯେଉଁ ଭାରତୀୟମାନେ ଅଛନ୍ତି ସେମାନଙ୍କ ଗୋଷ୍ଠୀରେ ଅଳ୍ପସଂଖ୍ୟକ ଲୋକ ମଦ ପିଅନ୍ତି। ମାତ୍ର ଯେଉଁମାନେ ପିଅନ୍ତି ସେମାନେ ବହୁତ ପରିମାଣରେ ପିଉଥିବାର ଦେଖାଯାଏ ଓ ସେମାନଙ୍କର ଜୀବନରେ ମଦଘଟିତ ସମସ୍ୟା ମଧ୍ୟ ବହୁତ ବେଶି ଦେଖାଯାଏ। ଏହାର କାରଣ କ’ଣ ସେକଥା ଠିକ୍ ଭାବରେ ଜଣାଯାଇ ନାହିଁ। ତେବେ ଅନୁମାନ କରାଯାଏ ଭାରତୀୟ ସମାଜରେ ମଦ ଗୋଟିଏ ନିଷିଦ୍ଧ ପାନୀୟ (ହିନ୍ଦୁ ଓ ବୌଦ୍ଧ ଧର୍ମରେ ମଦ ବାରଣ ଓ ମୁସଲମାନ ଧର୍ମରେ ମଦ ନିଷିଦ୍ଧ) ହୋଇଥିବାରୁ ପରିମିତ ଭାବରେ ମଦ ପିଇବାର ଅଭ୍ୟାସ ଆମର ହେଉ ନାହିଁ।

ଦ୍ୱିତୀୟରେ ବ୍ୟକ୍ତିଗତ ସମସ୍ୟା ବା ପାରିବାରିକ ସମସ୍ୟା ଦେଖାଦେଲେ ଏସବୁ ସମସ୍ୟା ସହିଯିବା ଲାଗି ସମସ୍ତେ ପରାମର୍ଶ ଦିଅନ୍ତି ସିନା ଅନ୍ୟ ସମାଧାନର ଉପାୟ କେହି ଭାବନ୍ତି ନାହିଁ। ଫଳରେ ‘ମୁଁ ନିରୁପାୟ’, ମୋର ଏ ଦଶାରୁ ମୁକ୍ତି ନାହିଁ’ ଭାବି ଲୋକ ମଦ ପିଇ ସବୁ ଭୁଲିଯିବାକୁ ଚାହାଁନ୍ତି।

(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)

Comment