ଓଡ଼ିଶାଲାଇଭ୍ ବ୍ୟୁରୋ

ଗୀତା ଦାଶ …ସଙ୍ଗୀତ ଜଗତରେ ଏକ ସୁନାମଧନ୍ୟ ଚେହେରା। ତାଙ୍କ ସୁମଧୁର କଣ୍ଠ ଆଜି ବି ଘରେ ଘରେ ଶୁଣିବାକୁ ମିଳେ। ମାତ୍ର ୩ ବର୍ଷ ବୟସରୁ ସେ ସଙ୍ଗୀତ ପ୍ରତି ଆକୃଷ୍ଠିତ ହୋଇଥିଲେ। ସେ କେବେ ସଙ୍ଗୀତ ଶିଖିନଥିଲେ ହେଲେ ପିଲାଟି ବେଳପରୁ ସୁର, ଲୟ ଓ ତାଳରେ ଥିଲା ତାଙ୍କର ପ୍ରଗାଢ଼ ଜ୍ଞାନ।

ଗୀତାଙ୍କ ଜେଜେବାପା ଜଣେ ବଂଶୀବାଦକ ସହ ଥିଲେ ଜଣେ ପାଲା ଗାୟକ ଏବଂ ବାପା ମଧ୍ୟ ଭଲ ଗୀତ ଗାଉଥିଲେ। କିନ୍ତୁ ଗୀତା ଦାସଙ୍କ ପାଇଁ ଗୀତ ଗାଇବା ଏତେଟା ସହଜ ନଥିଲା। ବହୁ ବାଧା ବିଘ୍ନର ସାମ୍ନା କରି ସେ ଆଜି ତିଆରି କରିଛନ୍ତି ନିଜର ଭିନ୍ନ ଏକ ପରିଚୟ।

“୪୦ ବର୍ଷ ପୂର୍ବର କଥା ଯଦି କହିବି.. ଓଡ଼ିଆ ବ୍ରାହ୍ମଣ ଘରର ଝିଅ ବାହାରକୁ ଯାଇ ମେଲୋଡିରେ ମଞ୍ଚ ଉପରେ ଠିଆ ହୋଇ ଗାଇବା ଅସମ୍ଭବ ଥିଲା। ମୋ କ୍ଷେତ୍ରରେ ମୋ ମାଆଙ୍କୁ ଛାଡ଼ିଦେଲେ ମୋତେ କେହି ସମର୍ଥନ କରିନଥିଲେ। ତେଣୁ ନିଜକୁ ନିଜେ ସଶକ୍ତ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି ଏବଂ ଗୀତ ଗାଇବା ଆରମ୍ଭ କରିଥିଲି” କହନ୍ତି ଗୀତା ଦାଶ।

ସେ ମଧ୍ୟ କହନ୍ତି, “ମୋ ବାପା ଜଣେ ଏଏଏସ୍ ଅଫିସର। ତାଙ୍କ ପାଖରେ ଗୋଟେ ରେଡିଓ ଥିଲା। ସେ ରେଡିଓ ଭିତରୁ କିଏ ଗୀତ ଗାଉଛି ବୋଲି ଜାଣିବାକୁ ଚାହିଁ ମୁଁ ସେ ରେଡିଓଟିକୁ ଭାଙ୍ଗି ଦେଇଥିଲି। ମୋର ଗୀତ ପ୍ରତି ଆଗ୍ରହ ଦେଖି ବାପା ମୋତେ ଅଲ୍ ଇଣ୍ଡିଆ ରେଡିଓ ଅଫିସ ନେଇଗଲେ। ସେଠାରେ ମୁଁ ଦେଖିଲି କେମିତି ରେଡିଓରେ କଳାକାରମାନେ ଗୀତ ଗାଉଛନ୍ତି।”

ସମୟ ବିତିବା ସହ ଗୀତାଙ୍କ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିବାର ଲାଗିଲା। ବାପାଙ୍କ ବାରଣ ସତ୍ତ୍ଵେ ସେ ଲୁଚିକି ବସ୍‌ରେ ବସି ମେଲୋଡି ଗାଇବାକୁ ଯାଉଥିଲେ। ଏହାରି ଭିତରେ ଗୀତା ସିନେମାରେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ବାପାଙ୍କ ମନକୁ ପରିବର୍ତ୍ତନ କରିପାରିଲେ। ଶେଷରେ ପରିବାର ଲୋକ ୧୯ ବର୍ଷ ବୟସରେ ଗୀତାଙ୍କ ବିବାହ କରିଦେଇଥିଲେ।

ସେ କୁହନ୍ତି, “ମୋ ପାଇଁ ମୋ ବାପାଙ୍କର ସ୍ଵାସ୍ଥ୍ୟ ବିଗିଡ଼ିଯାଇଥିଲା। ତେଣୁ ଘର ଲୋକ ମୋର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସୌଭାଗ୍ୟର କଥା ମୋ ଶାଶୁ ଘର ଲୋକ ମୋ ସଙ୍ଗୀତକୁ ପ୍ରତ୍ସାହନ ଦେଇଥିଲେ। ଖାସ କରି ମୋ ଶାଶୁ ଓ ଶ୍ଵଶୁର। ଯେହେତୁ ମୁଁ କେବେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଶିକ୍ଷା ନେଇନଥିଲି ତେଣୁ ବିବାହ ପରେ ମୁଁ ସ୍ଵାମୀ ମୋ ପାଇଁ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଥିଲେ।”

ନବେ ଶତକରେ ଓଡ଼ିଆ ସିନେମାରେ ଗୀତାଙ୍କ ସଙ୍ଗୀତର ଯାଦୁ ଆକାଶ ଛୁଉଁଥିଲା। ଅକ୍ଷୟ ମହାନ୍ତି ଓ ପ୍ରଭୁଲ୍ଲ କର ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ଥିଲେ ଗୀତା। ତାଙ୍କ ସଙ୍ଗୀତ ଭିତରୁ ନାହାନ୍ତି ଲୋ ସଖୀ ନାହାନ୍ତି, ହେ ଚକା ଆଖି, କେତେ ସୁନ୍ଦରୀ, ଆହେ ମହାପ୍ରଭୁ, ଏଇ ଆଖି ଆମ ସାଥୀ, ଠାକୁର ଅଛନ୍ତି ଚଉ ବାହାକୁ, ଲକ୍ଷ୍ମୀ ପୁରାଣ, ମାଛବାଲି ମୁଁ ମାଛବାଲି, ଡମ୍ ଡମ୍ ଡିଗା ଡିଗା, ଅମାନିଆ ଏଇ ମୋ ମନ ଆଦି ଗୀତ ଏବେ ବି ଦର୍ଶକଙ୍କ ମନରୁ ଲିଭିନାହିଁ। ଗୀତା ଦାଶ ନିଜ ୫ଟି ଗୀତ ପାଇଁ ରାଜ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Tags: #GeetaDash #OdiaSinger #Ollywood #SoecialInterview #Odisha

Comment