ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା   ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି

ଯେଉଁମାନଙ୍କର ପାରିବାରିକ ଓ ମାନସିକ ସମସ୍ୟା ରହିଛି କରୋନା ମହାମାରୀ ଭଳି ଅନିଶ୍ଚିତ ପରିସ୍ଥିତିରେ ସେମାନେ ଅଧିକ ଭୟଭୀତ ହୋଇପାରନ୍ତି। ତେଣୁ ସେମାନଙ୍କୁ କିପରି ସାହାଯ୍ୟ କରି ହେବ?

ଯେଉଁମାନଙ୍କ ଘରେ ପରସ୍ପର ସହିତ ବୁଝାମଣା କମ୍, କେହି କାହା ସାଙ୍ଗରେ ସହଯୋଗ କରନ୍ତି ନାହିଁ, ପରସ୍ପର ସହିତ ବାଦବିସମ୍ବାଦ ଥିଲେ ସମାଧାନ ନ କରି ମନ ଭିତରେ ରାଗ ଚାପି କୁହୁଳୁଥାଆନ୍ତି, ସେମାନେ ଏକାଠି ବନ୍ଦ ହେଇ ଗୋଟାଏ ଘରେ ରହିଲେ ଯେ ଘରର ଅଶାନ୍ତି ବଢ଼ିବ, ଏକଥା ଜଣାଶୁଣା। ସେମାନେ ବାହାର ଲୋକଙ୍କୁ ନିଜ କଥା କହିବେ ନାହିଁ, କିମ୍ବା କହିଲେ ନିଜର ଭୁଲ ତ୍ରୁଟି ଘୋଡ଼େଇବେ ଓ କହିବେ ଯେ ଅନ୍ୟମାନେ କୁଶିକ୍ଷା ଦେଇ ଘରେ କଳି ପୂରେଇଛନ୍ତି।

ତେଣୁ ଯେଉଁମାନେ ନିଜ ସମସ୍ୟାର ସମାଧାନ ଚାହାନ୍ତି ନାହିଁ, ବରଂ ଅନ୍ୟର ଦୋଷ ଦେଖି ଶାସ୍ତି ଦେବାକୁ ଚାହାନ୍ତି, ସେମାନଙ୍କୁ କୌଣସି ସାହାଯ୍ୟ କରିବା ପ୍ରାୟ ଅସମ୍ଭବ। ଅନ୍ୟପକ୍ଷରେ, ଯିଏ ମିଳାମିଶା ହେଉ ବୋଲି ଚାହେଁ ଓ ନିଜର ଭୁଲ ବା ଦୋଷ ପାଇଁ କ୍ଷମା ମାଗିବାକୁ ପଛେଇଯାଏ ନାହିଁ, ତାକୁ କାଉନସେଲର ଓ ସୋସିଆଲ୍ ୱାର୍କରମାନେ ସାହାଯ୍ୟ କରିପାରିବେ। ସେମାନେ ସ୍ଥାନୀୟ ପରିବାର କାଉନସେଲର ବା ସୋସିଆଲ୍ ୱାର୍କରଙ୍କୁ ଫୋନ୍ କରି ତାଙ୍କ ସହିତ ପରାମର୍ଶ କରିପାରିବେ।

ବର୍ତ୍ତମାନ ଆମେରିକା, କାନାଡ଼ା, ବ୍ରିଟେନ୍ ଓ ପ୍ରାୟ ସବୁଦେଶରେ ମାନସିକ ସମସ୍ୟା ପାଇଁ ସାହାଯ୍ୟର ବ୍ୟବସ୍ଥା ରହିଛି। ସେହି ବ୍ୟକ୍ତି ବା ସଂସ୍ଥାଗୁଡ଼ିକ ସହିତ ଯୋଗାଯୋଗ କରିବା ପାଇଁ ଫୋନ୍ ନମ୍ବର ରେଡିଓ, ଟେଲିଭିଜନ୍ ଓ ଖବରକାଗଜରେ ଦିଆହେଉଛି। ଓଡ଼ିଶାରେ ମଧ୍ୟ ସାଧାରଣ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେବାର ବ୍ୟବସ୍ଥା କଲେ ଅନେକଙ୍କର ଉପକାର ହେବ। କାରଣ ନିଜେ ଭାବି ଚିନ୍ତି ନିଜର ଅବସ୍ଥା ସୁଧାରିବା ସମସ୍ତଙ୍କ ପକ୍ଷରେ ସହଜ ନୁହେଁ।

ଆମ ସମସ୍ତଙ୍କର ପ୍ରାୟ ଅଳ୍ପ ବହୁତ ମାନସିକ ସମସ୍ୟା ଅଛି। କାହାର ନିଜ ଜୀବନର ପରିସ୍ଥିତି ଯୋଗୁଁ ସେ ମନକଷ୍ଟରେ ଅଛି, କାହାର ପୂର୍ବରୁ ଡିପ୍ରେସନ୍ ଥିବାରୁ ସବୁବେଳେ ମନମରା ହେଇ ରହୁଥିଲା, ବିପଦ ଆପଦ ହେବ ଭାବି ଅକାରଣ ଚିନ୍ତା କରୁଥିଲା। ସେ ବର୍ତ୍ତମାନ ବିପଦରେ ପଡ଼ି ଆହୁରି ବ୍ୟାକୁଳ ହେଉଛି। ଯେଉଁମାନେ ବ୍ରେନ୍ ଓ ସ୍ନାୟୁମଣ୍ଡଳରେ ବ୍ୟାଘାତ ଯୋଗୁଁ ପ୍ରତିକୂଳ ପରିସ୍ଥିତିରେ ପଡ଼ିଛନ୍ତି ସେମାନେ ଅସ୍ଵାଭାବିକ ବ୍ୟବହାର କରନ୍ତି। ତେଣୁ ଅବସ୍ଥାର ଗୁରୁତ୍ଵ ଅନୁସାରେ କିଏ ସାହାଯ୍ୟ କରିପାରିବ ତାହା ଜାଣିବା କଥା। କାରଣ ସୋସିଆଲ୍ ୱାର୍କର ସାଇକିଆଟ୍ରିଷ୍ଟଙ୍କ ପରି ଔଷଧ ଦେଇ ଚିକିତ୍ସା କରିପାରିବେ ନାହିଁ। ବରଂ ବିଭିନ୍ନ ସମସ୍ୟାର ସମାଧାନ ଲୋଡ଼ୁଥିବା ବ୍ୟକ୍ତି ବା ପରିବାର ଘରେ କେମିତି ଚଳିବେ ସେ ବିଷୟରେ ସୋସିଆଲ୍ ୱାର୍କର ସାହାଯ୍ୟ କରିପାରିବେ।

ଯେଉଁମାନେ ସାଧାରଣତଃ ବନ୍ଦ ଘରେ ରହିପାରନ୍ତି ନାହିଁ, ବା ସେମାନଙ୍କୁ ରୁନ୍ଧି ହେଇଗଲା ପରି ଲାଗେ, ସେମାନେ ଘରେ ବନ୍ଦ ହେଇ ରହିଲେ ଅତିଶୟ ବ୍ୟସ୍ତ ହୁଅନ୍ତି। କାହାର ପିଲାଦିନେ ପୁରୁଣା କାଳିଆ ପଙ୍ଖାର ଦଉଡ଼ି ଛିଡ଼ିଗଲାରୁ ତାହା ଛାତ ସିଲିଂରୁ ଖସି ପଡ଼ିବା ଦେଖି ମନରେ ଭୟ ରହିଯାଇଛି। ସେ ତେଣୁ ଇଲେକ୍ଟ୍ରିକ୍ ପଙ୍ଖା ତଳେ କେଭେ ବସନ୍ତି ନାହିଁ। କେତେ ଲୋକ ପିଲାଦିନେ କଲେରା ବା ବସନ୍ତ ବ୍ୟାପିଲା ବେଳେ ସମସ୍ତଙ୍କର ଅସହାୟ ଭାବ, ଆସନ୍ନ ମୃତ୍ୟୁର ପ୍ରତୀକ୍ଷାରେ ରହିବାର ଅତିଶୟ ଉଦବେଗ, ଘର ଲୋକଙ୍କର ମୃତ୍ୟୁ ହେଲେ କ’ଣ ହେବ ଭାବି ପୁରୁଣା ଭୟ ଓ ଆତଙ୍କ ଆଉଥରେ ଅନୁଭବ କରୁଛନ୍ତି।

ଏସବୁ ଛଡ଼ା ଆମ ସମସ୍ତଙ୍କ ମନର ଦୁର୍ଘଟଣାର ଭୟ, ରୋଗ ଭୟ, ମୃତ୍ୟୁ ଭୟ, ଭୂତ, ଡାହାଣୀ ଭୟ ପରି ବହୁ ଭୟ ଅଛି। ବିପଦ ବେଳେ ଏସବୁ ଭୟ ବର୍ତ୍ତମାନର ଦୁଶ୍ଚିନ୍ତା ସହିତ ମିଶି ସମସ୍ତଙ୍କୁ ବିଚଳିତ କରିଥାଏ। ଅଥଚ ନିଜର ଅକାରଣ ଭୟ ଓ ଦୁର୍ଭାବନାକୁ ଆମେ ଅନ୍ୟମାନଙ୍କୁ କହିବାକୁ ସଙ୍କୋଚ କରୁ। ଆମେ ଭାବୁ ଲୋକେ ଆମକୁ ଡରୁଆ କହି ହସିବେ। ବେଶୀ କହିଲେ ଭାବିବେ ଆ’ର ଚିନ୍ତାରୋଗ ଅଛି। ମାତ୍ର ବର୍ତ୍ତମାନ ପ୍ରାୟ ସମସ୍ତେ ଭୟଭୀତ ହେଲାଠୁ ଓ ସମସ୍ତଙ୍କ ମନରେ ରୋଗ ଭୟ ହେବାରୁ ଏବେ ଦୁର୍ଭାବନା ଓ ଭୟ କଥା ମନଖୋଲି ଆଲୋଚନା କରିହେବ। କ’ଣ କଲେ ନିଜର ଭୟର ଉପଶମ ହେବ ସେ ଉପାୟ ଖୋଜିବା।

ମନୋବିଜ୍ଞାନୀ ଗୀତା ଦାସ

ଭୟର ଉପଶମ:

ଭୟର ଉପଶମ ପାଇଁ ଦୁଇ ପ୍ରକାର ପ୍ରଚେଷ୍ଟା ଦରକାର। ୧. ଯୌଥ ପ୍ରଚେଷ୍ଟା ୨. ବ୍ୟକ୍ତିଗତ ପ୍ରଚେଷ୍ଟା।

ଯୌଥ ପ୍ରଚେଷ୍ଟା: ଟେଲିଭିଜନ, ରେଡିଓ, ପଡକାଷ୍ଟ, ସୋସିଆଲ୍ ମିଡିଆରେ ଅନ୍ତତଃ ଏକ ତୃତୀୟାଂଶ ବିଷୟ ହସ, କୌତୁକ, ମଜାକଥା ଓ ସାହାଯ୍ୟ, ସହଯୋଗିତା ତଥା ଦୁର୍ବଳ ଓ ଅସହାୟ ଲୋକଙ୍କ ପାଇଁ କିଏ କ’ଣ ସାହାଯ୍ୟ କରୁଛି ସେ ସବୁ କଥା ବାହାର କଲେ ଶ୍ରୋତାମାନଙ୍କ ମନରେ ଦୁର୍ଭାବନା କମିବ।

ଯେଉଁମାନେ ଧର୍ମବିଶ୍ଵାସୀ, ସେମାନେ ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ଵାରରେ ଯେଉଁ ପୂଜାପାଠ ଭଜନ ହେଉଛି, ତା’ର “ଲାଇଭ୍ ଷ୍ଟ୍ରିମିଙ୍ଗ୍’’ ଦେଖିଲେ ମନରେ ଆଶ୍ଵାସନା ପାଇବେ। ଯଥା- ପୋପ ରୋମ୍‌ର ବିଶାଳ ସେଣ୍ଟପିଟର୍ସ ସ୍କୋୟାରରେ ଏକୁଟିଆ ବସି ପ୍ରବଚନ ଦେଉଛନ୍ତି। ଯେଉଁଠି ପୂର୍ବେ ଜନସମୂହ ଥିଲା ବର୍ତ୍ତମାନ ସେଠି କୌଣସି ଭକ୍ତ ନାହାନ୍ତି। ମାତ୍ର ଟେକ୍ନୋଲୋଜି ମାଧ୍ୟମରେ ଘରେ ଥାଇ ଶୁଣୁଛନ୍ତି।

ବିଦେଶରେ ପ୍ରଭାବଶାଳୀ ଟେଲିଭିଜନ କମ୍ପାନିମାନେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ କର୍ମଚାରୀମାନେ କେମିତି ନିଜ ସ୍ଵାର୍ଥବଳି ଦେଇ ଅନ୍ୟର ସେବା କରୁଛନ୍ତି, ତାଙ୍କର ଆତ୍ମତ୍ୟାଗକୁ ବହୁ ମାନ୍ୟତା ଦେଉଛନ୍ତି ସେ ବିଷୟ ଜାଣିଲେ ମନରେ ଆଶା ସଞ୍ଚାର ହେବ।

ନିଜ ଚେଷ୍ଟା: ସବୁବେଳେ ମୋର ବିପଦ ହେବ, ରୋଗ ହେଲେ ଭଲ ହେବ ନାହିଁ – ଏକଥା ଭାବିଲେ ମନରେ ଭୟ ବଢ଼ି ବଢ଼ି ଯିବ। ଭୟ ବଢ଼ିଲେ ନିଜର ମନ ଭାରାକ୍ରାନ୍ତ ହୋଇ ଅସ୍ଥିର ଓ ଦୁଶ୍ଚିନ୍ତା ଗ୍ରସ୍ତ ହେଲାରୁ ଡିପ୍ରେସନ୍ ଆରମ୍ଭ ହୁଏ। ଅନିଦ୍ରା ଯୋଗୁଁ ବା ବସି ରହିଲା ଯୋଗୁଁ ଦେହ ନିସ୍ତେଜ ହେଇଯାଏ। ଏଥିପାଇଁ ନିଜର ଦେହ ଓ ମନକୁ ସୁସ୍ଥ ଓ ବଳିଷ୍ଠ କରିବାର କ୍ଷମତା କେବଳ ନିଜ ହାତରେ ରହିଛି। ଅନ୍ୟମାନେ ଉପଦେଶ ଦେବେ, ମାତ୍ର କାର୍ଯ୍ୟକାରୀ କରିପାରିବେ ନାହିଁ। ନିଜ ବିଷୟ ଭାବି ଦେଖିଲେ ଜଣାପଡ଼େ ଯେ “କ’ଣ କରିବା କଥା’’ ସେ ବିଷୟ ଆପଣ ଜାଣନ୍ତି। କିନ୍ତୁ ଅନ୍ୟମାନଙ୍କୁ ସେସବୁ ବିଷୟରେ ଉପଦେଶ ଦିଅନ୍ତି ସିନା ନିଜେ ତାହା ଅଭ୍ୟାସ କରନ୍ତି ନାହିଁ।

ମଣିଷର ଜାଣିବା ଓ କରିବା ଭିତରେ ଯେଉଁ ବ୍ୟବଧାନ ଅଛି, ସେ ବିଷୟ ଅନୁଭବ କରି ଅର୍ଜୁନ କୃଷ୍ଣଙ୍କୁ କହିଥିଲେ ଯେ, “ଧର୍ମ କ’ଣ ମୁଁ ଜାଣେ, ମାତ୍ର ସେ ସବୁ କରିବା ପାଇଁ ମୋର ଇଚ୍ଛା ହେଉନି। ଅଧର୍ମ କ’ଣ ତା ବି ଜାଣିଛି, ମାତ୍ର ନିଜକୁ ସେଥିରୁ ନିବୃତ୍ତ କରି ପାରୁନାହିଁ, ତେଣୁ ତୁମେ ମୋତେ କରାଅ।’’

ଏ ଯୁଗରେ କାଉନସେଲର କହିବେ, ତୁମେ ଅଳ୍ପ ଅଳ୍ପ କରି ବ୍ୟାୟାମ କରିବା ଆରମ୍ଭ କର, ସହଜରେ ଯାହା କରିହେବ ସେଭଳି ବ୍ୟାୟାମ କର। ରାତିରେ ନିଦ ନ ହେଲେ ମଧ୍ୟ ଦିନ ରାତି ମିଶି ଯେମିତି ଆଠ ଘଣ୍ଟା ନିଦ ହେବ ସେଥିପ୍ରତି ମନ ଦିଅ। ମଝି ରାତିରେ ନିଦ ଭାଙ୍ଗିଗଲେ କାହିଁକି ନିଦ ହେଉ ନାହିଁ ଭାବି ଛଟପଟ ନ ହେଇ ନିଜ ଜୀବନର ସୁଖମୟ ଘଟଣା, ସାଙ୍ଗସୁଖଙ୍କ ସାଙ୍ଗରେ ଆନନ୍ଦ, ପୁନିଅଁ ପର୍ବର ମଜା ଇତ୍ୟାଦି କଥା ଭାବିଲେ ଧୀରେ ଧୀରେ ନିଦ ହେଇଯିବ।

ବ୍ୟବସାୟରେ କ୍ଷତି, ଘରର ଅନଟନ, ଘରେ ରାଗ ରୁଷା ଇତ୍ୟାଦି ଜମାରୁ ମନେ ପକାଇବ ନାହିଁ। ଜୀବନରେ ସବୁ କ୍ଷଣସ୍ଥାୟୀ। ସୁଖ କ୍ଷଣସ୍ଥାୟୀ ଭାବି ଆମେ ଆଶଙ୍କିତ ହେଉ, ଅଥଚ ଦୁଃଖ କ୍ଷଣସ୍ଥାୟୀ ବୋଲି ଭାବିପାରୁନା। ଖରାପ ଅବସ୍ଥାର ମଧ୍ୟ ପରିବର୍ତ୍ତନ ହେବ ଓ ପୁଣି ଜୀବନର ଗତି ଭଲ ହେବ ବୋଲି ଭାବିଲେ ମନର ଭୟ ବା ଦକ କମେ।

ଯେଉଁ କଥା ଭାବି ମନକଷ୍ଟ ହେଉଛି, ସେ ବିଷୟକୁ ଅନ୍ୟ ଦୃଷ୍ଟିରୁ ଦେଖିଲେ ମନର ଦକ କମେ। ଏହି କଥାକୁ ନିଜ ଉପରେ ନିଜେ ପ୍ରୟୋଗ କଲେ ଆମେ ଜାଣିପାରିବା। ବିଦେଶର ମନୋବିଜ୍ଞାନୀମାନେ ଏଭଳି ନିଜର ଭାବନା ଓ ଚିନ୍ତା ବଦଳେଇ ନିଜର ଆଶଙ୍କା ଓ ବିଷାଦକୁ ଆୟତ୍ତ କରିବାର ଉପାୟକୁ ‘କଗନିଟିଭ୍ ବିହେଭିୟର୍ ଥେରାପି’ ବୋଲି ଆଖ୍ୟା ଦେଇଛନ୍ତି।

ଆମ ପରମ୍ପରାରେ ବୁଦ୍ଧଦେବ ଦୁଃଖରୁ ନିବୃତ୍ତିର ଉପାୟ ବିଷୟରେ କହିଥିଲେ। ସେହିପରି ଗୀତାରେ କୃଷ୍ଣ ଅର୍ଜୁନଙ୍କୁ ନିଜର ପୁରୁଣା ତଥା ପାରମ୍ପରିକ ଚିନ୍ତାଧାରା ବଦଳେଇବା ପାଇଁ ଉପନିଷଦର ସାର ବାଣୀ କହି ତାଙ୍କୁ ଅଧର୍ମ ବିରୋଧରେ ଯୁଦ୍ଧ କରିବାକୁ ପ୍ରବୃତ୍ତ କରିଥିଲେ। ଭାଗବତରେ ମଧ୍ୟ ମହାରାଜ ପରୀକ୍ଷିତ ଯଦୁବଂଶର ଅଭ୍ୟୁଦୟ, ବିକାଶ ଓ ପତନ କାହାଣୀ ଜାଣି ସାର୍ଥକ ଜୀବନର ମର୍ମ ବୁଝିଥିଲେ ଓ ଶାନ୍ତିରେ ଦେହ ତ୍ୟାଗ କରି ଇତିହାସରେ ଅମର ହେଲେ ।

ତେଣୁ ବର୍ତ୍ତମାନ ଅବସ୍ଥାରେ ମନର ଅବସାଦ ସହିତ ମନର ଉନ୍ନତି ବିଷୟରେ ଆଲୋଚନା କରି ଆମ ମନରେ କେମିତି ଧୈର୍ଯ୍ୟ, ସୌର୍ଯ୍ୟ ଓ ପ୍ରଶାନ୍ତି ବଢ଼ିବ, ସେଥିପ୍ରତି ଯତ୍ନବାନ୍ ହେବା ଦରକାର।

(ପ୍ରସ୍ତୁତି: ନୀଳାମ୍ବର ରଥ)

Comment