ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି

କରୋନା ଭାଇରସ୍‌ ପାଇଁ ସମସ୍ତେ ଚିନ୍ତିତ! ସାଧାରଣ ବ୍ୟବସାୟୀ, ମଧ୍ୟବିତ୍ତ ପରିବାର ସାଙ୍ଗକୁ ଚାଷୀ, ଖଟିଖିଆ, ଡ୍ରାଇଭର୍, ଇଲେକ୍ଟ୍ରିସିଆନ୍, ପାଣି କାରିଗର, ମିସ୍ତ୍ରୀ, ବଢ଼େଇ ଓ ରଙ୍ଗମିସ୍ତ୍ରୀଙ୍କ ଭଳି ଦୈନିକ ରୋଜଗାର ଉପରେ ବଞ୍ଚୁଥିବା ମଣିଷ ଆଜି ରୋଜଗାର ନଥିବାରୁ ଅତିଶୟ ଚିନ୍ତାରେ ଅଛନ୍ତି। ତାଙ୍କର ମାନସିକ ଅବସ୍ଥା ଖରାପ। ଏ ସମୟରେ ତାଙ୍କୁ କ’ଣ କହି ଆଶ୍ଵାସନା ଦେଇପାରିବା?

ଯେତେବେଳେ ମନରେ ଭୟ ଓ ଦୁଃଶ୍ଚିନ୍ତା ବଢ଼େ ଆମ ସମସ୍ତଙ୍କର ବୁଝିବା କ୍ଷମତା କମିଯାଏ। ତେଣୁ ଏ ସମୟରେ ଉପଦେଶ ଶୁଣି ମନ ବୁଝିଲା ଅବସ୍ଥାରେ ନଥାଏ। ଯିଏ ଯନ୍ତ୍ରଣାରେ କାତର, ତା’ର ଏକମାତ୍ର ଚିନ୍ତା ହେଲା କେମିତି ଯନ୍ତ୍ରଣା କମିବ। ତେଣୁ ତାକୁ କେବଳ ପରାମର୍ଶ କି ପ୍ରବୋଧନା ଦେଲେ ସେ ବୁଝିବ ନାହିଁ।

corona

ମାନସିକ ଯନ୍ତ୍ରଣା ମଧ୍ୟ ସେହିପରି। ବାପା ମାଆଙ୍କର ମୃତ୍ୟୁ ପରେ ଶ୍ରାଦ୍ଧ କର୍ମ କରି ଆତ୍ମାର ଅମରତା ବିଷୟରେ ପ୍ରବଚନ ଶୁଣି ଅତି ଅଳ୍ପ ଲୋକ ସାନ୍ତ୍ଵନା ପାଇଥା’ନ୍ତି। ଏଥିପାଇଁ ବିଭିନ୍ନ ଦେଶରେ ମାନସିକ ଅବନତି ଯୋଗୁଁ ଆତ୍ମହତ୍ୟାର ଘଟଣା ବଢ଼ିବା ନିଶ୍ଚିତ ଜାଣି ସେ ବିଷୟରେ କାର୍ଯ୍ୟପନ୍ଥା ସ୍ଥିର କରୁଛନ୍ତି। ସେମାନେ ସୋସିଆଲ୍ ୱାର୍କର ଓ ମନୋବିଜ୍ଞାନୀଙ୍କ ସହିତ ପରାମର୍ଶ କରି ସ୍ଥାନୀୟ ପରିସ୍ଥିତି ଓ ଯେଉଁ ଲୋକମାନେ ଅତିଶୟ ନର୍ଭସ ବା ଟେନସନରେ ଅଛନ୍ତି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମନର ଅବସ୍ଥା ବୁଝିବା ଲାଗି ଘର ଲୋକ, ଘନିଷ୍ଠ ବନ୍ଧୁ ଓ ବିଶ୍ଵାସୀ ସହକର୍ମୀମାନଙ୍କୁ ପରାମର୍ଶ ଦେଉଛନ୍ତି।

ବର୍ତ୍ତମାନ ଇଣ୍ଟରନେଟରେ ଆତ୍ମହତ୍ୟାର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ବିଷୟରେ କେଉଁ ଦେଶ କ’ଣ କରୁଛି ଓ ୱାର୍ଲଡ ହେଲଥ ଅର୍ଗାନାଇଜେସନଙ୍କର କ’ଣ ଯୋଜନା ସବୁ ରହିଛି ସେ ବିଷୟରେ ସୂଚନା ମିଳିପାରିବ। ଓଡ଼ିଶାର ସାମ୍ବାଦିକମାନେ ଏସବୁ ବିଷୟରେ ଜନସାଧାରଣଙ୍କୁ ଜଣାଇ ପାରିବେ। ବ୍ରିଟେନରେ ସରକାରଙ୍କ ଅନୁରୋଧ ଶୁଣି ଛଅସ୍ତରି ହଜାର ଲୋକ ସ୍ୱେଚ୍ଛାସେବୀ ହୋଇ ନିଜ ସହରର ଓ ସାହିର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେଠିକାର ନ୍ୟାସନାଲ୍ ହେଲ୍‌ଥ ସର୍ଭିସ୍ ଶୃଙ୍ଖଳିତ ଭାବରେ କିଏ କ’ଣ କରିବ ଓ କେଉଁ ଜାଗାରେ କାମ କରିବ ତା’ର ବ୍ୟବସ୍ଥା କରିଛି। ଆମ ଦେଶରେ ବହୁ ସ୍ୱେଚ୍ଛାସେବୀ ସଂଘ ଜନହିତକର କାମରେ ଲାଗିଛନ୍ତି। ସେମାନଙ୍କୁ ସଂକ୍ଷିପ୍ତ ତାଲିମ ଦେଇ “ଆତ୍ମହତ୍ୟା ପ୍ରତିରୋଧ’’ ଦିଗରେ ନିଯୁକ୍ତ କରିହେବ।

ସେହିପରି ସଙ୍କଟ ସମୟରେ ପାରିବାରିକ ଅଶାନ୍ତି ବଢ଼ିଲାରୁ ମଣିଷର ସଂଯମ ଶକ୍ତି କମିଯାଏ। ଫଳରେ ପୂର୍ବେ ଯଦିଓ ବଚସା, ପାଟିତୁଣ୍ଡ, ଗାଳି ଗୁଲଜ ହେଉଥିଲା ବର୍ତ୍ତମାନ ବାଡିଆପିଟା ହେବା, କଠୋର ଶାସ୍ତି ଦେବା ଓ ବିଭିନ୍ନ ପ୍ରକାରର ନିର୍ଯାତନା ବଢ଼ିବାର ଘଟଣା ପ୍ରାୟ ସବୁ ଦେଶରେ ବଢ଼ିଲାଣି। ଯେଉଁମାନେ ନାରୀ ସମସ୍ୟା ବାବଦରେ କାମ କରନ୍ତି, ସେମାନଙ୍କର ରିପୋର୍ଟ ପଢ଼ି ୟୁନାଇଟେଡ୍ ନେସନର ସେକ୍ରେଟାରୀ ଜେନେରାଲ୍ ଏ ସମୟରେ ପାରିବାରିକ ଅତ୍ୟାଚାର ପ୍ରତିରୋଧ କରିବା ପାଇଁ ସବୁ ଦେଶର ସରକାର ଓ ବିଭିନ୍ନ ଘରୋଇ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି। ତେଣୁ ବିଭିନ୍ନ ସ୍ଥାନରେ ଯେଉଁ କମିଟି କରୋନା ଭାଇରସ୍ ରୋଗ ବିଷୟରେ ବୁଝାବୁଝି କରୁଛନ୍ତି, ସେମାନେ ରୋଗର ପ୍ରତିରୋଧ ଓ ପ୍ରତିକାର ସହିତ ଆନୁସଙ୍ଗିକ ମାନସିକ ସମସ୍ୟା ବିଷୟ ନେଇ ପଦକ୍ଷେପ ଗ୍ରହଣ କଲେ, ଲୋକଙ୍କ ମନରେ ଆଶ୍ଵାସନା ଆସିବ।

କେବଳ ସରକାର ନୁହନ୍ତି, ବ୍ୟାଙ୍କ୍ ଯେଉଁମାନଙ୍କୁ ଧାର କରଜ ଦେଇଛି ସେମାନଙ୍କ ସହିତ ଯେଉଁଠି ସମ୍ଭବ ଭିଡିଓ କନଫରେନ୍ସ ମାଧ୍ୟମରେ ସେମାନଙ୍କର ଅସୁବିଧା ଶୁଣି କ’ଣ କରିବା ଦରକାର ସେ ବିଷୟରେ ଯଦି ପରାମର୍ଶ ଦିଅନ୍ତି, ତାହାହେଲେ ଲୋକେ ଉପକୃତ ହେବେ। ଅଧିକାଂଶ ଉନ୍ନତ ଦେଶରେ ‘ଡେଟ୍ କାଉନସେଲିଂ’ ବା ଧାର କରଜ ଯୋଗୁଁ ଯେଉଁମାନେ ଥଳକୂଳ ପାଉନାହାନ୍ତି ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା ରହିଛି।

କରୋନା ଭାଇରସ୍‌ ପ୍ରଭାବ ଯୋଗୁଁ ଲୋକେ ଜୀବିକା ହରାଉଛନ୍ତି। ସରକାର ସେମାନଙ୍କୁ ଅର୍ଥ ସାହାଯ୍ୟ ଦେବେ ବୋଲି ଘୋଷଣା କରିଛନ୍ତି। ମାତ୍ର ଘୋଷଣା କରିବା ଓ ଲୋକଙ୍କ ପାଖରେ ତାହା ପହଞ୍ଚିବାର ବ୍ୟବସ୍ଥା କରିବା ତଥା ପ୍ରୟୋଜନ ବେଳେ ସାହାଯ୍ୟ ମିଳିବା ଭିତରେ ସାଧାରଣତଃ ଅନେକ ବ୍ୟବଧାନ ରହିଥାଏ। ଅନେକ ସମୟରେ ମାନସିକ ଦୁଃଶ୍ଚିନ୍ତାର ଏକ ପ୍ରଧାନ କାରଣ ହେଲା ଯେ ସମୟରେ ସାହାଯ୍ୟ ମିଳିବ ନାହିଁ ଓ ମିଳିଲେ ମଧ୍ୟ ତାହା “ସମୁଦ୍ରକୁ ଶଙ୍ଖେ ପାଣି’’ ଦେଲା ପରି। ଏଭଳି ସାହାଯ୍ୟ ଫଳରେ କାହାର ଅବସ୍ଥାରେ ବିଶେଷ ଉନ୍ନତି ହେବ ନାହିଁ। କାରଣ କଟକଣା ଉଠିଲା ପରେ ପୂର୍ବ ଅବସ୍ଥା ଫେରିବାକୁ ବା ଜୀବନ ସାଧାରଣ ହେବାକୁ କେତେ ସମୟ ଲାଗିଯିବ।

କରୋନା ଭାଇରସ୍‌ ପୃଥିବୀର ଅର୍ଥନୀତିକୁ ଓଲଟପାଲଟ କରିଦେଇଛି। ଏବେ ଲୋକଙ୍କ ହାତରେ ପଇସା ନଥିଲେ ସେମାନେ ଆଗପରି କିଣାକିଣି କରିପାରିବେ ନାହିଁ। ଯାହାର ପଇସା ଅଛି ସେ ମଧ୍ୟ ଆଗପରି ଖୋଲା ହାତରେ ଖର୍ଚ୍ଚ ନ କରି ଖର୍ଚ୍ଚ କମେଇବ। ଚାହା ଦୋକାନୀଠାରୁ ଆରମ୍ଭକରି ହୋଟେଲ୍, ଉଡ଼ାଜାହାଜ କମ୍ପାନି ଯାକେ ସମସ୍ତେ ଭାବୁଛନ୍ତି କଟକଣା କେବେ ଉଠିବ ଓ ଉଠିଲେ ଆଗପରି ଆର୍ଥିକ ଅବସ୍ଥା ଭଲ ଆଡକୁ ଆସିବାକୁ କେତେଦିନ ଲାଗିବ। ଯେ ଚାକିରିରୁ ଛଟେଇ ହେଉଛି କଟକଣା ଉଠିଲେ ସେ କ’ଣ ପୁଣି ନିଯୁକ୍ତି ପାଇବ? ରାଜମିସ୍ତ୍ରୀ, କାଠ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ଡ୍ରାଇଭର୍, ଷ୍ଟେସନର କୁଲି ଏମାନେ କେମିତି କେତେ ରୋଜଗାର କରିବେ ଯେ ଧାର କରଜ ଶୁଝି ଡାକ୍ତର ଔଷଧ ଦେଇ ଘର ଖରଚ ତୁଲେଇବେ?

ଯେତେବେଳେ ଅନିଶ୍ଚୟ ଅବସ୍ଥା ଯୋଗୁଁ ବିପଦ ପରେ ବିପଦ ଆସିବାର ସମ୍ଭାବନା ଆସେ, ସେତେବେଳେ ଆଶାବାଣୀ ଶୁଣିଲେ ମଧ୍ୟ ମନରେ ନୈରାଶ୍ୟ କମେ ନାହିଁ। ବରଂ ଅନେକ ସମୟରେ ତାହା ଅବାସ୍ତବ ଆଶାବାଣୀ ବା ପରିହାସ ପରି ଲାଗେ। ତେଣୁ ଆସନ୍ତା ଛଅ ମାସରେ ମୋଟାମୋଟି ଅବସ୍ଥାନ କ’ଣ ରହିବ ସେ ବିଷୟରେ ପାଖାପାଖି ବାସ୍ତବ ଚିତ୍ରଟିଏ ଦେଲେ ଲୋକେ ତାକୁ ଗ୍ରହଣକରି ଧୀରେ ଧୀରେ ଆଶ୍ଵସ୍ତ ହେବେ। ଆମେ  ଆକୁ କହୁ “ବ୍ରେକିଂ ଦି ସର୍କିଟ୍’, ଅର୍ଥାତ୍ ଚିନ୍ତାର ନିମ୍ନଗତିକୁ ବଦଳେଇ ମନକୁ ପୁଣି ଉପର ଆଡ଼କୁ ନେବା।

ଭୟ ମଣିଷର ବ୍ରେନ୍‌କୁ ପ୍ରଭାବିତ କଲାରୁ ମନରେ ନୈରାଶ୍ୟ ଓ ବିଷାଦ ବଢ଼େ ଓ ବେଳେବେଳେ ଆତ୍ମହତ୍ୟାର ଭାବନା ଆସେ। ତେଣୁ ଏ ବିଷୟରେ ସଚେତନ ହେଲେ ଭଲ। ଆମ ଦେଶରେ ଆର୍ଥିକ ଅନଟନ ଯୋଗୁଁ ଚାଷୀ ଆତ୍ମହତ୍ୟାର ଘଟଣା ଜଣାଶୁଣା। ମାତ୍ର ଏ ଅବସ୍ଥାର ପ୍ରତିକାର ପାଇଁ ବା ଆତ୍ମହତ୍ୟା ନିବାରଣ ପାଇଁ ମାନସିକ ଓ ସାମାଜିକ କାରଣ ଓ ତା’ର ପ୍ରଭାବ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନାହିଁ। ଆମେ ଜାଣୁ ଯେ ସମାନ ପରିସ୍ଥିତିରେ ଥାଇ ସମସ୍ତେ ଆତ୍ମହତ୍ୟା କରନ୍ତି ନାହିଁ। ତେଣୁ ଯାହାର ଆତ୍ମହତ୍ୟା କରିବାର ସମ୍ଭାବନା ବେଶୀ ସେଭଳି ଲୋକଙ୍କୁ କାଉନସେଲିଂ ଦେବାର ସୁଯୋଗ ଥିଲେ ସେ ଆତ୍ମହତ୍ୟା କରିବାରୁ ନିବର୍ତ୍ତି ଯାଇପାରେ।

କରୋନା ଭାଇରସ୍ ଯୋଗୁଁ ଯେଉଁ ଅର୍ଥନୈତିକ ସଂକଟ ଆରମ୍ଭ ହେଲାଣି ସେ ବିଷୟ ଚିନ୍ତା କରି ଆତ୍ମହତ୍ୟା ନିବାରଣ, ପାରିବାରିକ ଅତ୍ୟାଚାରର ଦୂରୀକରଣ ଓ ଯେଉଁମାନେ ଅନବରତ ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ତାଙ୍କ ପାଇଁ ମନର ଭାରା ଲାଘବ କରିବା ଲାଗି ବ୍ୟବସ୍ଥା କରିବା ନିହାତି ଦରକାର। ସ୍ଥାନୀୟ କାଉନସେଲର, ମନୋବିଜ୍ଞାନୀ ଓ ମାନସିକ ରୋଗର ଚିକିତ୍ସକଙ୍କ ଭଳି ଲୋକଙ୍କୁ ନେଇ ଟାସ୍କ ଫୋର୍ସ ଗଢ଼ି କାର୍ଯ୍ୟପନ୍ଥା ତିଆରି କଲେ ସମସ୍ତଙ୍କର ଉପକାର ହେବ।

(ପ୍ରସ୍ତୁତି: ନୀଳାମ୍ବର ରଥ)

Comment