ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି

କରୋନା ଭାଇରସ୍ ପରି ମହାମାରୀ ରୋଗ ବିଷୟରେ ପିଲାଙ୍କୁ କିଭଳି ବୁଝାଇବା? – ଆଜି ଘରେ ଘରେ ଏକଥା ଭାବି ଲୋକେ ଚିନ୍ତାରେ ପଡ଼ିଯାଉଛନ୍ତି। ତେବେ ପିଲାଙ୍କ ବୟସ ଓ ବୁଝିବା କ୍ଷମତା ଅନୁସାରେ ସେମାନଙ୍କୁ ଯେ କୌଣସି ବିଷୟ କହିବାକୁ ପଡ଼େ। ଭାଷା ସରଳ ଓ ସଂକ୍ଷେପ କରି କହିଲେ ପିଲା ବିଭ୍ରାନ୍ତ ହେବେ ନାହିଁ। ଯଥା – ଏ ରୋଗ ହାଡ଼ଫୁଟି ଓ ମିଳିମିଳା ପରି ଡିଆଁ ରୋଗ। କାଶିଲେ ବା ଛିଙ୍କିଲେ ନାକରୁ ଓ ମୁହଁରୁ ଯେଉଁ ପାଣିଠୋପା ଚାରିଆଡ଼େ ପଡ଼େ ସେଥିରେ ଭାଇରସ୍ ଥାଏ। ଅନ୍ୟ ଲୋକ ପାଖରେ ଥିଲେ ତାଙ୍କ ଦେହରେ ପଡ଼ିଲେ ତାଙ୍କ ଦେହକୁ ଭାଇରସ୍ ଯାଏ।

ତେବେ କରୋନା ଭାଇରସ୍ କଥା କହିଲା ବେଳେ ‘ଭୂତାଣୁ’ ବୋଲି କହିବାନି। କାରଣ ‘ଭୂତାଣୁ’ କହିଲେ ପିଲା ହୁଏତ ଭୂତ ବୋଲି ବୁଝିବେ।

ତେଣୁ ପିଲାଙ୍କୁ ଆମେ ବୁଝାଇଦେବା ଯେ, କାଶିଲା କି ଛିଙ୍କିଲା ବେଳେ ହାତରେ କି ରୁମାଲରେ ଯଦି ନାକ ପୋଛିବ, ତାହା ହେଲେ ହାତରେ ଓ ରୁମାଲରେ ଭାଇରସ୍ ରହିବ। ସେଥିପାଇଁ ସବୁବେଳେ ହାତ ସାବୁନରେ ଧୋଇବା କଥା। ଜାମାପଟା, ଚାଦର, ତଉଲିଆ ସବୁ ପାଣିରେ ବ୍ଲିଚ୍ ଦେଇ ଧୋଇବାକୁ ପଡ଼ିବ। ନିଜର ବ୍ୟବହାର କରିଥିବା ଲୁଗା, ସଫା ଲୁଗାଠାରୁ ଅଲଗା କରି ଦୂରରେ ରଖିବ।

ପିଲା ପଚାରିବେ, କାହିଁକି ମୁଁ ସାଙ୍ଗ ଘରକୁ ଦଶ ମିନିଟ୍ ପାଇଁ ଯାଇପାରିବି ନାହିଁ? ପାଞ୍ଚ ମିନିଟ୍ ପାଇଁ ବାହାରକୁ ଗଲେ କ’ଣ ଖରାପ ହେବ? ଏଠି ସେମାନଙ୍କୁ ବୁଝେଇବାକୁ ପଡ଼ିବ। ସାମାଜିକ ଦୂରତା କଟକଣା ପୂର୍ବରୁ ଲୋକେ ଅନ୍ୟ ଲୋକଙ୍କ ମିଶୁଥିଲେ। କାହା ଦେହରେ ଏ ରୋଗ ଅଛି ଓ କାହାର ନାହିଁ, ସେକଥା କାହାକୁ ଜଣା ନାହିଁ। ବାହାରକୁ ଲୋକ ଗଲେ ଗହଳି ବଢ଼ିବ ଓ ରୋଗ ବ୍ୟାପିବ। ଏକାଠି ବହୁତ ଲୋକଙ୍କୁ ରୋଗ ହେଲେ ଔଷଧ ମିଳିବ ନାହିଁ। ରୋଗୀଙ୍କୁ ଚିକିତ୍ସା କରିବାକୁ ଲୋକ ମିଳିବେ ନାହିଁ। ଏଥିପାଇଁ ଆମେ ସମସ୍ତେ ଯଦି ଘରେ ରହିବାର ଅସୁବିଧା ସହିଯିବୁ, ତାହାହେଲେ ରୋଗ କାଁ ଭାଁ ଲୋକଙ୍କୁ ହେଲେ ସେମାନଙ୍କ ଚିକିତ୍ସା କରିହେବ ଓ ସେମାନେ ଭଲ ହୋଇଯିବେ।

ପିଲାଙ୍କୁ ଭୟ ଲାଗିଲେ କି ମନ ବ୍ୟସ୍ତ ଲାଗିଲେ ସବୁକଥା ବୁଝାଇକରି କହିବା। ଡରୁଆ, ଛେରୁଆ କହି ଥଟ୍ଟା କରି ଦବେଇ ଦବ ନାହିଁ। କାରଣ ନିଜକୁ ସାହସୀ ବୋଲି ଅନ୍ୟକୁ ଦେଖାଇବା ପାଇଁ ସେ କଟକଣା ମାନିବ ନାହିଁ। ତେଣୁ ଲୁଚିକରି ବାହାରକୁ ଯାଇ ଅନ୍ୟମାନଙ୍କ ସାଙ୍ଗେ ବୁଲିବ। କିନ୍ତୁ ରାତିରେ ମନରେ ଭୟ ରହିଲାରୁ ଭଲରେ ନିଦ ହେବ ନାହିଁ। ନିଦ ହେଲେ ନିଦରେ ଖରାପ ସ୍ଵପ୍ନ ଦେଖି ଚିରଚିରେଇ ହେବ। ପିଲାଙ୍କୁ ବୁଝାଇଦେଲେ ଏ ସମସ୍ୟା ରହିବ ନାହିଁ।

ବେଳେ ବେଳେ ପିଲା ଅବୁଝା ହବ, ଜିଦ୍ କରିବ ଓ କଳି ଲଗେଇବ। ତେଣୁ ଏଭଳି ଅସ୍ଵାଭାବିକ ପରିସ୍ଥିତିରେ କିପରି ପିଲାଙ୍କୁ ଘରେ ଶାନ୍ତ ଅବସ୍ଥାରେ ରଖିବା ସେ ବିଷୟରେ ଘରର ପ୍ରତିଟି ଲୋକଙ୍କୁ ପଚାରି କାମ କଲେ ସନ୍ତୋଷଜନକ ଉପାୟ ବାହାରିବ।

ପିଲା ଯାହା ପଚାରିବେ ତା’ର ସଠିକ୍ ଉତ୍ତର ଯାହା ଆମେ ଜାଣିଛୁଁ ସେହି ଅନୁସାରେ କହିବା। ସେମାନଙ୍କୁ ଧମକେଇବା କିମ୍ବା “କାହିଁକି ବକ୍ ବକ୍ ହେଉଛୁ’’ କହି ଦବାଇବା ଠିକ୍ ନୁହେଁ। କାରଣ ମାନସିକ ଚାପ ବଢ଼ିଲେ ପିଲାର ଅସ୍ଥିରତା ବଢ଼େ। ଫଳରେ କିଏ ବେଶୀ କଥା କହେ, ବେଶୀ ଖାଏ, ଅନବରତ ଚାଲେ ବା ଗୋଟିଏ କାମକୁ ବାରମ୍ବାର କରେ। ପୁଣି ଆଉ କିଏ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଇ ଚୁପ୍‌ ଚାପ୍‌ ବସି ରହେ। ଖାଇବାକୁ ମନ କରେନା, ସବୁବେଳେ ଶୋଇ ରହେ। ପଚାରିଲେ କହେ ମୋ ମୁଣ୍ଡ ବୁଲାଉଛି। ମୋତେ ସବୁ ପିତା ଲାଗୁଛି। ଦେହ ଜମାରୁ ଭଲ ଲାଗୁ ନାହିଁ।

କ’ଣ କଲେ ମନ ଭଲ ଲାଗିବ – ସେ ବିଷୟରେ ବଡ଼ମାନେ ପରାମର୍ଶ ଦେବେ ସିନା, ମାତ୍ର ପିଲା ନିଜେ ସେ ପରାମର୍ଶ ଅନୁସାରେ କାମ ନ କଲେ ମନ କେମିତି ଭଲ ହୋଇପାରିବ? ଏ ସମୟରେ ସମସ୍ତେ ପ୍ରାଣାୟାମ ଓ ଯୋଗ ଆସନ କଲେ ଦେହରେ ନିସ୍ତେଜ ଭାବ କମିଯିବ। ପିଲାମାନେ ମଧ୍ୟ ପାଞ୍ଚ ମିନିଟରୁ ଦଶ ମିନିଟ୍ ପର୍ଯ୍ୟନ୍ତ ଧ୍ୟାନ କରିବା ଅଭ୍ୟାସ କଲେ ମାନସିକ ଚାପ କମାଇପାରିବେ। ୟୁଟ୍ୟୁବରେ ଧ୍ୟାନ ଶିଖାଇବା ପାଇଁ ଭିଡିଓ ମିଳିବ। ଯେଉଁ ପ୍ରକାର ଧ୍ୟାନ କଲେ ନିଜେ ଉପକୃତ ହେଉଛନ୍ତି, ସେହି ପ୍ରକାରର ଧ୍ୟାନ ପିଲାଙ୍କୁ ଅଭ୍ୟାସ କରିବା ଲାଗି କହିବେ।

(ପ୍ରସ୍ତୁତି: ନୀଳାମ୍ବର ରଥ)

Comment