ଅଭିପ୍‌ସା ବରାଳ

ଓଲିଉଡ ଜଗତର ଜଣେ ସୁପରିଚିତ ଗାୟକ ବିଷ୍ଣୁ ମୋହନ କବିଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର।

“ଜଣେ ଗାୟକ ଭାବେ ଶ୍ରୋତାମାନଙ୍କଠାରୁ ଭଲ ପାଇବା ଓ ପ୍ରଶଂସା ସାଉଣ୍ଟିବା ଆଗରୁ ଅନ୍ୟ ପୁଅମାନଙ୍କ ଭଳି ମୁଁ ବି ମୋ ପରିବାରର ଦାୟିତ୍ଵ ତୁଲାଉଥିଲି। ଏଥିପାଇଁ ମତେ ଦିନ ସାରା ବାହାରେ ରହି କାମ କରିବାକୁ ପଡ଼ୁଥିଲା। କିନ୍ତୁ ସଙ୍ଗୀତ ପ୍ରତି ଥିଲା ମୋର ଅହେତୁକ ଦୁର୍ବଳତା। ସେଇଥିପାଇଁ ବୋଧହୁଏ ମୁଁ ଥକି ନଯାଇ ରାତି ଅନିଦ୍ରା ହୋଇ ଗୀତ ଅଭ୍ୟାସ କରୁଥିଲି”, କହିଛନ୍ତି ବିଷ୍ଣୁ ମୋହନ କବି।

ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ସଙ୍ଗୀତ ବାନ୍ଧି ରଖିଥାଏ। ସମସ୍ତେ ନିଜ ନିଜ ପସନ୍ଦର ଗୀତ ଶୁଣିବାକୁ ଭଲ ପାଇଥାନ୍ତି। କିନ୍ତୁ ଗୀତ ଗାଇ ଅନ୍ୟକୁ ଖୁସି ଦେଉଥିବା ବା ଯନ୍ତ୍ରଣା ଉପଶମ କରୁଥିବା ଗାୟକର ଦୁଃଖ ବୋଧହୁଏ ଆମେମାନେ ଜାଣିନଥାନ୍ତି। ସେହିପରି ଓଲିଉଡ ଜଗତର ଜଣେ ସୁପରିଚିତ ଗାୟକ ହେଉଛନ୍ତି ବିଷ୍ଣୁ ମୋହନ କବି। ଯିଏକି ନିଜର କଠିନ ପରିଶ୍ରମ ଓ ସଙ୍ଘର୍ଷ ବଳରେ ଆଜି ସଫଳତାର ସିଡି ଚଢ଼ିପାରିଛନ୍ତି।“ସମସ୍ତେ କୁହନ୍ତି ସଙ୍ଘର୍ଷ ପରେ ସଫଳତା ମିଳିଥାଏ। କିନ୍ତୁ ମୋ ମତରେ ସଙ୍ଘର୍ଷ ଓ ସଫଳତା କେବେ ମଣିଷଠାରୁ ଦୂରେଇ ନଥାଏ। ଆଜିବି ମୁଁ ସଙ୍ଘର୍ଷ କରୁଛି। ହୁଏତ ତାହା ପୂର୍ବାପେକ୍ଷା ଟିକେ କମ୍ ହୋଇଯାଇଛି କିନ୍ତୁ ପୂରା କମିନି। ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଏହା ଜାରି ରହିବ”, କହିଛନ୍ତି ବିଷ୍ଣୁ ମୋହନ।

୨୦୧୧ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ ଏକ ସଙ୍ଗୀତ ରିଅଲିଟି ସୋ’ ‘ଭଏସ ଅଫ ଓଡ଼ିଶା’ର ବିଜୟୀ ହୋଇ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁ ମୋହନ କବି। ଓଡ଼ିଆକୁ ଛାଡ଼ିଦେଲେ ପ୍ରାୟ ୮ରୁ ୧୦ଟି ଭାଷାରେ ସେ ଗୀତ ଗାଇ ପାରୁଛନ୍ତି। ନିକଟରେ ଏକ ମରାଠି ସିନେମା ‘ପାଟିଲ’ରେ ମଧ୍ୟ ସେ ଗୀତ ଗାଇଛନ୍ତି। ତେବେ ସଙ୍ଗୀତ ଦୁନିଆରେ ରାଜ କରୁଥିବା ବିଷ୍ଣୁଙ୍କ ପିଲା ଦିନ ଏକ ଛୋଟିଆ ଗାଁରେ କଟିଛି। ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜିରିତାଳ ଗାଁରେ ତାଙ୍କର ଜନ୍ମ। ବାପା ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଗୃହିଣୀ। ବିଷ୍ଣୁଙ୍କ ଦୁଇ ଭାଇ ମଧ୍ୟ ରହିଛନ୍ତି।

“ମୋ ମା’ ବାପା ଦୁଇଜଣ ଗୀତ ଗାଉଥିଲେ। ସେମାନେ ରାଧାକୃଷ୍ଣଙ୍କ ଭକ୍ତ ହୋଇଥିବାରୁ ଆମ ଘରେ ସବୁବେଳେ ଭଜନ କୀର୍ତ୍ତନର ମାହୋଲ ଲାଗିରହିଥାଏ। ସେହି ଦୃଷ୍ଟିରୁ ସଙ୍ଗୀତ କଳାଟି ମୋ ରକ୍ତରେ ରହିଛି। ତେଣୁ ସେମାନେ ହେଉଛନ୍ତି ମୋର ପ୍ରଥମ ଗୁରୁ। ତାଙ୍କଠାରୁ ମୁଁ ସଙ୍ଗୀତ ଶିଖିଛି”, କହିଛନ୍ତି ବିଷ୍ଣୁ।ବିଷ୍ଣୁଙ୍କ ଜୀବନରେ ସଙ୍ଗୀତ ଏକ ବଡ଼ ପରିବର୍ତ୍ତନ ଆଣିବ ସେ ନିଜେ ବି ଜାଣିନଥିଲେ। ଏମିତି କି ସଙ୍ଗୀତରେ କ୍ୟାରିୟର କରିବେ ତାହା ତାଙ୍କ ଭାବନାଠାରୁ ବହୁ ଦୂରରେ ଥିଲା। ବାପା ମା’ଙ୍କୁ ଗୀତ ଗାଉଥିବାର ଦେଖି ସେ ମଧ୍ୟ ଗୀତ ଗାଇବାକୁ ଇଚ୍ଛାପ୍ରକାଶ କଲେ। ଏମିତି ଦିନ ଆସିଲା ସଙ୍ଗୀତ ତାଙ୍କର ନିଶାରେ ପରିଣତ ହୋଇଗଲା। ତେଣୁ ସେ ସପ୍ତମ ଶ୍ରେଣୀରୁ ଗୀତ ଶିଖିବା ଆରମ୍ଭ କରିଦେଲେ। ପ୍ରଥମେ ସେ “ଭାରତୀୟ ନୃତ୍ୟ ସଙ୍ଗୀତ କଳା” ପରିଷଦରେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଗାଁ ଗହଳିରେ ହେଉଥିବା ମେଲୋଡ଼ି, ପୂଜା ପର୍ବାଣିଗୁଡ଼ିକରେ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ମଧ୍ୟ ଯାଆନ୍ତି ବୋଲି କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା କଲେଜରୁ ଯୁକ୍ତ ଦୁଇ ଓ ନିମ୍ସରୁ ଡିପ୍ଲୋମା ସହିତ, ସେ ‘ହରେକୃଷ୍ଣ ବେହେରା କଲେଜ ଅଫ ଆର୍ଟ ଆଣ୍ଡ କଲଚର’ରୁ ସଙ୍ଗୀତରେ ସ୍ନାତକ ଶିକ୍ଷାଲାଭ କରିଛନ୍ତି। ପରେ ଭୁବନେଶ୍ଵରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତରେ ସ୍ନାତକୋତ୍ତର ମଧ୍ୟ କରିଛନ୍ତି। ଆଜି ସୁଦ୍ଧା ପ୍ରାୟ ୫ ଶହରୁ ଅଧିକ ଗୀତ ସେ ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି। ସେଥିମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ଆଲବମ୍ ରହିଛି।

ସେ କୁହନ୍ତି, “ବହୁତ ବଡ଼ ଷ୍ଟାର ହେବା ମୋର ଲକ୍ଷ୍ୟ ନୁହେଁ, ମୋର ଲକ୍ଷ୍ୟ ହେଉଛି ସଙ୍ଗୀତକୁ ଏକ ବିସ୍ତାରିତ ରୂପ ଦେବା। ମୋ ପରେ ଦର୍ଶକମାନେ ଯେମିତି ମତେ ଓ ମୋ ଗୀତକୁ ଝୁରିବେ। ମୋ ଶେଷ ନିଃଶ୍ଵାସ ତ୍ୟାଗ କରିବା ପୂର୍ବରୁ ପ୍ରାୟ ୨ହଜାର ଗୀତ ଦର୍ଶକଙ୍କୁ ଉପହାର ଦେବାକୁ ମୁଁ ଲକ୍ଷ୍ୟ ରଖିଛି।”କରୋନା ମହାମାରୀକୁ ନେଇ ବିଷ୍ଣୁ ମୋହନ କବି କହିଛନ୍ତି, “ଏହା ବିଶେଷକରି କଳାକାରମାନଙ୍କୁ ଏକ ଭଲ ଶିକ୍ଷା ଦେଇଛି। ପୂର୍ବରୁ ଆମେ ପରିବାରକୁ ଏତେଟା ସମୟ ଦେଇପାରୁନଥିଲୁ, କିନ୍ତୁ କରୋନା କାଳରେ ସୁଟିଂ ବାତିଲ୍ ହେବା କାରଣରୁ ଆମେ ପରିବାରକୁ ସମୟ ଦେଇପାରିଲୁ। କିନ୍ତୁ ଗୋଟିଏ ଦୁଃଖ ଅନେକ ଦିନ ପର୍ଯ୍ୟନ୍ତ ସୁଟିଂ ବନ୍ଦ ରହିବା କାରଣରୁ ରୋଜଗାରରେ ବାଧା ଉପୁଜିଲା। ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି, ଆଉ କଳାକାରମାନେ ପୁଣିଥରେ କାମକୁ ଫେରୁଛନ୍ତି।”

ବିଷ୍ଣୁ ମୋହନ କବିଙ୍କ ପ୍ରଥମ ଗୀତ ‘ରୁମକୁ ଝୁମାନା’ ସିନେମାର “ଭୁଲ ମୁଁ କରିଛି ଯଦି ଭଲ ପାଇରେ…ରବ ମୁଝେ ମାଫ୍ କରେ…” ଥିଲା। ଏହି ଗୀତକୁ ସେହି ସମୟରେ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଚାଲିଛନ୍ତି ବିଷ୍ଣୁ। ଅଳସି ବଉଦ, ପ୍ରଥମ ପ୍ରେମକୁ ପାରୁନି ମୁଁ ଭୁଲି, ତତେ ଚାହିଁବାରେ ଯେଉଁ ମଜା ଅଛି, ତୁ ରଜା ଝିଅ ମୁଁ ଫେରିବାଲା, ଶ୍ରାବଣରେ ଶ୍ରାବଣ ଆଦି ଗୀତ ଶ୍ରୋତାମାନଙ୍କ ମନକୁ ଛୁଇଁଛି।

ଆଗକୁ ଏହିଭଳି ଅନେକ ଗୀତ ଗାଇ ଓଲିଉଡ ଜଗତରେ ନିଜର ଛାପ ଛାଡ଼ିଯିବାକୁ ସେ ଚାହାଁନ୍ତି। ଏଥିସହ ସେ ଯୁବ ଗାୟକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, “ଯେଉଁମାନେ ପ୍ରକୃତରେ ସଙ୍ଗୀତକୁ ବା କଳାକୁ ଭଲପାଉଛନ୍ତି, ସେମାନେ ଗୋଟିଏ କିମ୍ବା ଦୁଇଟି ଗୀତ କରି ସନ୍ତୁଷ୍ଟ ନ ହୋଇ ନିଜର ଯାତ୍ରା ଜାରି ରଖନ୍ତୁ। ବିଶେଷକରି ମିଶ୍ରିତ ଭାବରେ ସଙ୍ଗୀତ ନ କରି ଓଡ଼ିଆ ସଙ୍ଗୀତକୁ ଅଧିକ ପ୍ରଧାନ୍ୟ ଦେଇ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ସଙ୍ଗୀତର ସ୍ଵତନ୍ତ୍ରତା ବଜାୟ ରଖନ୍ତୁ।”

LEAVE A REPLY

Please enter your comment!
Please enter your name here