ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନାର ଦ୍ୱିତୀୟ ଲହର ଖୁବ୍ ଦ୍ରୁତ ଗତିରେ ବଢ଼ୁଛି। କରୋନାର ପ୍ରଥମ ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତିମାନେ ଅଧିକ ଆକ୍ରାନ୍ତ ହେଉଥିବାବେଳେ, ଏହାର ନୂଆ ଷ୍ଟ୍ରେନ ଛୋଟପିଲା ଏବଂ ଯୁବବର୍ଗଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରୁଛି। ଅନ୍ୟାନ୍ୟ ରୋଗରେ ସଂକ୍ରମିତ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଭୟଙ୍କର ସାବ୍ୟସ୍ତ ହୋଇଛି। ତେବେ ଆସ୍ଥମା ରୋଗୀଙ୍କ ପାଇଁ କରୋନା କେତେ ବିପଦଜନକ ଓ ଜଣେ ଆସ୍ଥମା ରୋଗୀ କରୋନା ସମୟରେ କିଭଳି ସତର୍କ ରହିବେ ଜାଣନ୍ତୁ।

ଆସ୍ଥମା ଓ କରୋନାର ଲକ୍ଷଣ

ଜର, ଥଣ୍ଡା, କାଶ, ଡାଇରିଆ, ସ୍ୱାଦ ନ ବାରିପାରିବା, ମାଂସପେଶିରେ କଷ୍ଟ ଅନୁଭବ ଇତ୍ୟାଦି ଲକ୍ଷଣ କରୋନା ଭୂତାଣୁର ହୋଇଥାଏ। ସେହିପରି ଭାବରେ ସୁଖିଲା କାଶ, ନିଶ୍ୱାସ ନେବାରେ ଅସୁବିଧା ଆଦି ଲକ୍ଷଣ ଆସ୍ଥମା ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଖରେ ଦେଖା ଦେଇଥାଏ।

ଆସ୍ଥମା ରୋଗୀଙ୍କ ପାଇଁ ଆଶ୍ୱସ୍ତି ଇନହେଲର୍‌

ଆସ୍ଥମା ରୋଗୀମାନେ ଇନହେଲର୍ ବ୍ୟବହାର କରିଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏମାନେ ଇନହେଲର୍ ବ୍ୟବହାର କରୁଥିବା କାରଣରୁ ସହଜରେ କରୋନା ଭୂତାଣୁ ସହିତ ଲଢ଼ି ପାରିଥାନ୍ତି। ଇନହେଲର୍ ଯୋଗୁଁ ଜଣେ ଆସ୍ଥମା ରୋଗୀପାଖରେ କରୋନାର ଲକ୍ଷଣ ଶୀଘ୍ର ବୃଦ୍ଧି ପାଇନଥାଏ। ହେଲ୍‌ଥ ଜର୍ଣ୍ଣାଲ ଲାନ୍‌ସେଟର ପ୍ରକାଶିତ ଏକ ତଥ୍ୟ ଅନୁସାରେ, ଆସ୍ଥମା ଔଷଧ ବୟସ୍କମାନଙ୍କ ପାଇଁ କୋଭିଡ ୧୯ର ଏକ ପ୍ରଭାବଶାଳୀ ଚିକିତ୍ସା ହୋଇପାରେ।

ଫୁସ୍‌ଫୁସ୍ ଉପରେ ପ୍ରଭାବ

କରୋନା ଓ ଆସ୍ଥମା ଉଭୟ ଫୁସ୍‌ଫୁସ୍ ଉପରେ ପ୍ରଭାବ ପକାଇଥାଏ। ଯଦି ଜଣେ ବ୍ୟକ୍ତିଙ୍କ ଆସ୍ଥମା ବଢ଼େ କିମ୍ବା ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି, ସେମାନଙ୍କ ପାଖରେ କରୋନା ଭୂତାଣୁର ଲକ୍ଷଣ ଭୟଙ୍କର ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ କୋଭିଡ ସମୟରେ ଆସ୍ଥମା ରୋଗୀ ଅଧିକ ସତର୍କ ରହି ନିଜର ଆସ୍ଥମାକୁ ନିୟନ୍ତ୍ରଣରେ ରଖିବା ଦରକାର।

କେମିତି ରହିବେ ସତର୍କ?

ଆସ୍ଥମା ରୋଗୀମାନେ ମାସ୍କ ପିନ୍ଧିବାକୁ ମନା କରିଥାନ୍ତି। ଅନେକ ସମୟରେ ସେମାନେ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିନଥାନ୍ତି। ସେମାନେ ଭାବନ୍ତି ମାସ୍କ ପିନ୍ଧିବା ଦ୍ୱାରା ଅଣନିଶ୍ୱାସୀ ହୋଇଯିବେ। କିନ୍ତୁ ତାହା ଠିକ୍ ନୁହେଁ। ଯଦି କୌଣସି ଆସ୍ଥମା ରୋଗୀ ମାସ୍କ ପିନ୍ଧିବାକୁ ଚାହୁଁନାହାଁନ୍ତି, ତେବେ ଜରୁରି ନଥିଲେ ବାହାରକୁ ଯାଆନ୍ତୁନାହିଁ। ଯଦି ଯାଉଛନ୍ତି ତେବେ ହାଲ୍‌କା କପଡ଼ା ମାସ୍କ ପରିଧାନ କରିବା ଅଭ୍ୟାସ ରଖନ୍ତୁ।

ଆସ୍ଥମା ରୋଗୀମାନେ ମେଡିସିନ୍ ପାଇଁ ନେବୁଲାଇଜର ବ୍ୟବହାର କରିଥାନ୍ତି। ଏହା ଏକ ଏରୋସୋଲ ଉତ୍ପାଦନ ପ୍ରକ୍ରିୟା ହୋଇଥିବାରୁ, ଅନ୍ୟମାନଙ୍କଠାରୁ ଦୂରରେ ରହି ଏହାକୁ ବ୍ୟବହାର କରନ୍ତୁ। ବନ୍ଦ କୋଠରୀ ମଧ୍ୟରେ ଏହାର ବ୍ୟବହାର କରିପାରିବେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜଣେ ଆସ୍ଥମା ରୋଗୀ ଟିକାନେବା ଆଗରୁ ତା’ର ସମସ୍ତ ସ୍ୱାସ୍ଥ୍ୟଗତ ତଥ୍ୟ ଡାକ୍ତରଙ୍କୁ ଦେବା ଆବଶ୍ୟକ। ଯଦି କୌଣସି ଜିନିଷକୁ ନେଇ ଆଲର୍ଜି ଥାଏ, ତେବେ ତାହା ମଧ୍ୟ ଡାକ୍ତରଙ୍କୁ ଜଣାନ୍ତୁ।

LEAVE A REPLY

Please enter your comment!
Please enter your name here