କମଳାକାନ୍ତ ପତି

କରୋନା କବଳିତ ଅର୍ଥନୀତିର ଖରାପ ସମୟ ଦୂର ହେଉଛି କି? ସେପ୍ଟେମ୍ବର ମାସରେ ଜିଏସଟି ଆଦାୟରେ ବୃଦ୍ଧି, ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ଉତ୍ସାହ, ରପ୍ତାନୀରେ ସାମାନ୍ୟ ଅଗ୍ରଗତିରୁ ମିଳୁଥିବା ସୂଚନା କିଛିଟା ଆଶାର ସଞ୍ଚାର କରୁଛି

ଟ୍ରିଲିୟନ୍ ସ୍ଵପ୍ନକୁ ଭାଙ୍ଗିଦେଲା କରୋନା

କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଲଗାତର ଭାବେ ଦ୍ଵିତୀୟଥର ପାଇଁ କ୍ଷମତାସୀନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତିକୁ ୨୦୨୫ ମସିହା ସୁଦ୍ଧା ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବାର ସ୍ଵପ୍ନ ଦେଖାଇଥିଲେ। ସେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଆରମ୍ଭ କରି ଅନ୍ୟମନ୍ତ୍ରୀ ଓ ବିଜେପିର କେନ୍ଦ୍ରୀୟ ନେତାମାନେ ଖାଲି ଟ୍ରିଲିୟନ୍ ଟ୍ରିଲିୟନ୍ ଘୋଷି ହେଲେ। ସାଧାରଣରେ ପ୍ରଶ୍ନ  ଉଠିଲା ଏହି ଟ୍ରିଲିୟନ୍ କ’ଣ? ସତରେ ଫେରୁଛି କି “ଅଚ୍ଛେଦିନ୍”?lockdownଦେଶବାସୀଙ୍କ ମନରେ ଏଭଳି ଏକ ସକାରାତ୍ମକ ଭାବନା ଉଙ୍କି ମାରି ଆସୁଥିବା ବେଳକୁ ଅତିମାରୀ କରୋନା ଭୂତାଣୁ ସରକାର ଓ ଦେଶବାସୀଙ୍କ ସ୍ଵପ୍ନକୁ ଧୂଳିସାତ୍ କରିଦେଲା। ଏହି ଅଦୃଶ୍ୟ ଭୂତାଣୁ ଯୋଗୁଁ କେବଳ ଜୀବନ ବିପନ୍ନ ହୋଇନାହିଁ, ଜୀବିକାକୁ ମଧ୍ୟ ପ୍ରଚଣ୍ଡ ଆଘାତ ଲାଗିଛି। କରୋନା କାରଣରୁ ଲକଡାଉନ୍, ସଟଡାଉନ୍, ଅନଲକ୍ ଭିତରେ ମଧ୍ୟ ଯାବତୀୟ କଟକଣା, ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ପଙ୍ଗୁ କରିଦେଇଛି। ଶିଳ୍ପ ଶ୍ରମିକଙ୍କଠାରୁ କୃଷକ, ଫୁଟପାଥ୍ ଦୋକାନୀ, ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଓ ସଙ୍ଗଠିତ ତଥା ଅସଙ୍ଗଠିତ କ୍ଷେତ୍ର ସବୁଠି ସ୍ଥାଣୁ ଅବସ୍ଥା। ଅବଶ୍ୟ ଏବେ ଅର୍ଥନୈତିକ କାର୍ଯ୍ୟକଳାପର ଦିଗ କିଛିଟା ଖୋଲିଲାଣି। କିନ୍ତୁ ସରକାରଙ୍କ ଟ୍ରିଲିୟନ୍ ସ୍ଵପ୍ନକୁ ବାସ୍ତବତାକୁ ଆଣିବାର ଆଶା ନିକଟ ଭବିଷ୍ୟତରେ କ୍ଷୀଣ। ଏଭଳି ଆକଳନ କରୁଛନ୍ତି ଅର୍ଥନୀତି ବିଷାରଦମାନେ।ସଙ୍କଟକାଳରେ ସାମାନ୍ୟ ଆଶ୍ଵସ୍ତି

କରୋନାସ୍ଥିତିରେ କ୍ରମେ ସୁଧାର ଆସୁଛି ବୋଲି ସରକାରୀ ଭାବେ ଦାବି କରାଯାଉଥିଲେ ମଧ୍ୟ ସଙ୍କଟ କଟିନାହିଁ। ଗତ ୬-୭ ମାସ ଧରି ଜୀବନ ଜୀବିକା ଉପରେ ଝଡ଼ ବୋହିଗଲାଣି। ଏହି ଅବସ୍ଥାରେ ସରକାରୀ ମହଲରୁ ମିଳୁଥିବା କେତେକ ସୂଚନା ସାମାନ୍ୟ ଆଶାର ସଞ୍ଚାର କରିଛି। ଯେପରିକି ସେପ୍ଟେମ୍ବର ମାସରେ ଦ୍ରବ୍ୟ ସେବା କର (ଜିଏସଟି) ସଂଗ୍ରହରେ ଅଭିବୃଦ୍ଧି। କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ୨୪ରୁ ସାରାଦେଶରେ ଆରମ୍ଭ ହୋଇଯାଇଥିଲା ଲକ୍‌ଡାଉନ୍। ଫଳରେ ଜିଏସଟି ରାଜସ୍ୱ ସଂଗ୍ରହ ୩୨,୧୭୨ କୋଟି ଟଙ୍କାକୁ ଖସି ଆସିଥିଲା। ମେ ଓ ଜୁନ୍‌ରେ କରୋନା କଟକଣା ସତ୍ତ୍ୱେ ଜିଏସଟି ସଂଗ୍ରହରେ କିଛି ସୁଧାର ଆସିଥିଲେ ମଧ୍ୟ ଜୁଲାଇ ଓ ଅଗଷ୍ଟରେ ଏହା ପୁଣି ହ୍ରାସ ପାଇଥିଲା। ଆଶ୍ଵସ୍ତିର କଥା ହେଉଛି ସେପ୍ଟେମ୍ବରରେ ଏହା ୯୫ ହଜାର ୪୮୦ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। କରୋନା ମାଡ଼ରେ ବିପର୍ଯ୍ୟସ୍ତ ଅର୍ଥନୀତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହା ସବୁଠାରୁ ଅଧିକ। ଅର୍ଥାତ୍ ପୂର୍ବ ମାସ ତୁଳନାରେ ୯ ହଜାର କୋଟି ବେଶୀ।

ବଢ଼ିଛି ଶିଳ୍ପ ଉତ୍ପାଦନ ସୂଚକାଙ୍କ

ଆଶ୍ଵାସନର ବିଷୟ ହେଉଛି ସେପ୍ଟେମ୍ବର ମାସରେ କଳକାରଖାନା ଉତ୍ପାଦନ ସୂଚକାଙ୍କ ମଧ୍ୟ ବଢ଼ିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଏହି ସୂଚକାଙ୍କ ଜାନୁୟାରୀ ମାସର ୫୫୦୩ ଶତାଂଶରୁ ହ୍ରାସ ପାଇ ଏପ୍ରିଲ୍ ମାସ ବେଳକୁ ୨୭.୪ ଶତାଂଶରେ ପହଞ୍ଚି ଯାଇଥିଲା। ସେପ୍ଟେମ୍ବର ଏହା ୫୬.୮ ଶତାଂଶକୁ ବୃଦ୍ଧି ପାଇଛି। ଏହି ସ୍ଥିତିରୁ ଦେଶର ଅର୍ଥନୀତି କିଛିଟା ଅଣ୍ଟା ସଳଖୁଛି ବୋଲି ସୂଚନା ମିଳୁଛି। ସେପ୍ଟେମ୍ବର ମାସରେ ମାରୁତି, ହୁଣ୍ଡାଇ, ଟାଟା ମୋଟର୍ସ ଭଳି ଅଟୋ ମୋବାଇଲ୍ ସଂସ୍ଥାର ଗାଡ଼ି ବିକ୍ରି ବଢ଼ିଛି। ଠିକ୍ ସେହିପରି ଗତ ୬ ମାସର ସଙ୍କୁଚନ ପରେ ସେପ୍ଟେମ୍ବରରେ ରପ୍ତାନୀ ମଧ୍ୟ ୫.୨୭ ଶତାଂଶ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ପିଏମଆଇ ବା ପର୍ଚ୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକସ ଅନୁଯାୟୀ ଶିଳ୍ପ କାରଖାନାରେ ଉତ୍ପାଦନ ସୂଚକାଙ୍କ ବୃଦ୍ଧି ସେତେବେଳେ ଧରାଯାଏ ଯେତେବେଳେ ଏହା ୫୦ ପ୍ରତିଶତରୁ ଅଧିକ ହୋଇଥାଏ।

ବେକାରୀ ହାର ୬.୬୭%କୁ ଖସିଛି

କେନ୍ଦ୍ର ସରକାର ମାର୍ଚ୍ଚ ଶେଷ ବେଳକୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିବା ବେଳେ ବେକାରୀ ହାର ଥିଲା ୮.୭୫ ପ୍ରତିଶତ। ଲକ୍‌ଡାଉନ୍ ବେଳେ ଏପ୍ରିଲ୍-ମେରେ ପ୍ରତି ୪ ଜଣରେ ଜଣେ ଥିଲେ କର୍ମହୀନ। ସେହି ହାର ସେପ୍ଟେମ୍ବରରେ ୬.୬୭ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗୋଟିଏ ପକ୍ଷରେ ଆଶ୍ଵସ୍ତିର କଥା ବୋଲି ସରକାର ଦାବି କରୁଥିଲେ ମଧ୍ୟ ପରିସଂଖ୍ୟାନ ବାସ୍ତବତା ଭିନ୍ନ।

ଉପଦେଷ୍ଟା ସଂସ୍ଥା ସିଏମଆଇଇ ଅନୁଯାୟୀ ସେପ୍ଟେମ୍ବର ମାସରେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି ୫୧ ଲକ୍ଷ ଲୋକ। ଅଥଚ ଘୋଷିତ କର୍ମହୀନଙ୍କ ସଂଖ୍ୟା ହ୍ରାସ ପାଇଚି ୭୩ ଲକ୍ଷ। ଏହାର କାରଣ ହେଉଛି ବେକାରୀ ସଂଖ୍ୟା ଦୁଇ ପ୍ରକାର ହ୍ରାସ ପାଇଥାଏ। ପ୍ରଥମତଃ କେହି କାର୍ଯ୍ୟର ସୁଯୋଗ  ପାଇବା ଏବଂ ଦ୍ଵିତୀୟତଃ କେହି ଆପାତତଃ ନିଜକୁ ନିଯୁକ୍ତି ବଜାରରୁ ଓହରାଇ ନେଇଯିବା ଠିକ୍ ସେହି ଅବସ୍ଥା  ଦେଖା ଦେଇଛି ସେପ୍ଟେମ୍ବର ପରିସଂଖ୍ୟାନରେ। ନିଜ ଯୋଗ୍ୟତା ମୁତାବକ ଜୀବିକା ନ ପାଇ ଅନେକେ ନିଯୁକ୍ତି ବଜାରରୁ ଓହରି ଯାଇଛନ୍ତି। ଏହା ନିଯୁକ୍ତି ସଙ୍କୁଚନର ପ୍ରତିଫଳନ। ଅର୍ଥାତ୍ ଅର୍ଥନୀତି ପ୍ରତି ଶୁଭଙ୍କର ନୁହେଁ ବୋଲି ଅର୍ଥ ବିଷାରଦଙ୍କ ମତ।

ଉତ୍ସବର ଋତୁ ଉତ୍ସାହ ଆଣିବ କି?

ଜିଏସବି ସଂଗ୍ରହରେ ବୃଦ୍ଧି, ଶିଳ୍ପ ଉତ୍ପାଦନ ସୂଚକାଙ୍କ ଊର୍ଧ୍ଵଗାମୀ ହେବା ଓ ରପ୍ତାନୀ କ୍ଷେତ୍ରରେ କିଛିଟା ଉତ୍ସାହ ଦେଖା ଦେଇଥିବାରୁ ସରକାର ଏବଂ ସମ୍ପୃକ୍ତ ମହଲ ଖୁସି। ସେମାନଙ୍କର ଦାବି ଶେଷରେ ଅର୍ଥନୀତି ସଳଖ ରାସ୍ତାକୁ ଆସିବା ଆରମ୍ଭ କରିଛି। ସେପ୍ଟେମ୍ବରରେ ଏହି ବୃଦ୍ଧି ଦେଖାଦେଇଛି, ଅର୍ଥ ଆସନ୍ନ ଉତ୍ସବ ଋତୁରେ ଆହୁରି ବୃଦ୍ଧି ଘଟିବ। ତେବେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ସଂଖ୍ୟା ଛୁଇଁବାକୁ ସମୟ ଲାଗିବ ବୋଲି ସରକାରୀ ମହଲରେ ବିଶ୍ଵାସ। କିନ୍ତୁ ଅର୍ଥ ମନ୍ତ୍ରଣାଳୟର ଏହି ପରିସଂଖ୍ୟାନ ଦେଖି ଅର୍ଥ ବିଶେଷଜ୍ଞମାନେ ଖୁବ୍ ଆଶାବାଦୀ ନୁହନ୍ତି। ସେମାନଙ୍କର ମତ ହେଉଛି ଜିଏସଟି ସଂଗ୍ରହ କିଛିଟା ବୃଦ୍ଧି ହେବା ମୂଳରେ ଆମଦାନୀ ସାମଗ୍ରୀ, ଆମଦାନୀ ସେବା ସମେତ ଦେଶୀୟ ନେତା … ବେଶି ଟିକସ ସଂଗ୍ରହର ଅବଦାନ ରହିଛି। ସେପ୍ଟେମ୍ବରରେ ଏହି ୨ଟିର ଶତାଂଶ ହାର ଥିଲା ଯଥାକ୍ରମେ ୧୦୨ ଏଂ ୧୦୫ ପ୍ରତିଶତ। ଠିକ୍ ସେହିପରି ସେପ୍ଟେମ୍ବରରେ ଗାଡ଼ି ବିକ୍ରି ବୃଦ୍ଧିକୁ ବିଶେଷଜ୍ଞମାନେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ସହ ତୁଳନା କରିାବକୁ ନାରାଜ। ସେମାନଙ୍କର ଯୁକ୍ତି ହେଉଛି  ଲକଡାଉନ୍, ସଟଡାଉନ୍ କାରଣରୁ ଅଟକି ଯାଇଥିବା ବିକ୍ରି ସେପ୍ଟେମ୍ବରରେ ଦେଖିବାକୁ ମିଳିଲା। ଏବେ ଦେଖିବାକୁ ପଡ଼ିବ ଉତ୍ସବ ଋତୁରେ ନୂଆ ଚାହିଦା ସୃଷ୍ଟ ହେଉଛି କି ନାହିଁ।

ସତରେ ଆଶାର ସମୟ ଆସିଛି

ଏସବୁ ଅଭିବୃଦ୍ଧିକୁ ନଜରରେ ରଖି ବିଶ୍ଵାସ କରାଯାଇପାରିବ କି ଆଶା ବାନ୍ଧିବାର ଅନୁକୂଳ ସମୟ ଆସିଛି? ଅର୍ଥନୀତି ଖୁବ୍ ଶୀଘ୍ର ସଳଖ ରାସ୍ତାକୁ ଫେରିବ? ଶେୟାରବଜାର ସୂଚକାଙ୍କ ୩୬ ହଜାର ପଏଣ୍ଟରୁ ଉଠି ୩୮ ହଜାର ଅଙ୍କରେ ପହଞ୍ଚିବା ଘଟଣା ନିବେଶକଙ୍କ ଆଶାର ପ୍ରତିଫଳନ କି? ଅର୍ଥନୀତି ବିଷାରଦମାନେ କିନ୍ତୁ ସତର୍କ କରାଇଲେଣି – ଦୀର୍ଘ ଲକଡାଉନ୍, ସଟଡାଉନ୍ ପରେ ଉତ୍ସବ ଋତୁରେ ବଢ଼ିପାରେ କିଛି କିଣାବିକା। କିନ୍ତୁ ରୋଜଗାର ନ ବଢ଼ିଲେ, ସେହି ଚାହିଦା ଆଗକୁ ସ୍ଥାୟୀ ହୋଇ ରହିବ କି? ସରକାର ଯଦି ଖର୍ଚ୍ଚ ବୃଦ୍ଧି ନ କରିଛି ତାହେଲେ ନିଯୁକ୍ତି ଓ କାର୍ଯ୍ୟର ସୁଯୋଗ ବଢ଼ିବ କିପରି? ଲୋକଙ୍କ ହାତକୁ ଅର୍ଥ ନ ଆସିଲେ ବଜାର ଚାହିଦା ଊର୍ଧ୍ଵଗାମୀ ହୋଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment