ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ର ସବୁଠୁ ବଡ଼ କଷ୍ଟ କରୋନା। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ କିଭଳି ଲୋଙ୍କ ଜୀବନଶୈଳୀ ବଦଳାଇ ଦେଲା? ପଢ଼ନ୍ତୁ ଓଡ଼ିଶାଲାଇଭ୍‌ର ଫ୍ଲାସବ୍ୟାକ୍‌ ରିପୋର୍ଟରେ…

କିଛି ଦିନ ପରେ ବଦଳିଯିବ କ୍ୟାଲେଣ୍ଡର। ନୂଆ ଆଶା, ଉନ୍ମାଦନାକୁ ନେଇ ଆସିବ ଆଉ ଏକ ବର୍ଷ। କିନ୍ତୁ ବିଦାୟୀ ବର୍ଷର ଦାରୁଣ ଦୁଃଖ ଓ ଯନ୍ତ୍ରଣାକୁ ଭୁଲିବା ସମସ୍ତଙ୍କ ପାଇଁ କଷ୍ଟ ହେବ। କାରଣ ୨୦୨୦ରେ ଏକ ଅଦୃଶ୍ୟ ଆତଙ୍କରେ ଆତଙ୍କିତ ହୋଇଛି ସାରାବିଶ୍ୱ। ବିଶ୍ୱ ମହାମାରୀ କରୋନା ପାଇଁ ବଦଳିଛି ଲୋକଙ୍କ ଜୀବନଧାରା।

କରୋନା କଲା କଲବଲ

ଚୀନରୁ ସୃଷ୍ଟି ହୋଇଥିବା କରୋନା କେବଳ ଚୀନରେ ନୁହେଁ ସାରାବିଶ୍ୱକୁ ବ୍ୟାପିଛି। ସଂକ୍ରମଣରେ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରାୟ ୮୦ଟି ଦେଶ ଆଗକୁ ଗଲେଣି। ଆମେରିକା ଓ ଭାରତ ଭଳି ଦେଶରେ ସଂକ୍ରମଣ ବଢ଼ିଚାଲିଛି। ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଏବେ ସୁଦ୍ଧା ଆମେରିକା ପ୍ରଥମରେ ଥିଲା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ଏନେଇ ଲୋକଙ୍କ ମନରେ ଆହୁରି ଭୟ ବଢ଼ିଥିଲା।

କେରଳରେ ପ୍ରଥମ କରୋନା ଆକ୍ରାନ୍ତ

କରୋନା ଭାଇରସକୁ ନେଇ ସାରାବିଶ୍ୱରେ ଆତଙ୍କ ଦେଖାଯାଇଥିଲା ବେଳେ ଭାରତରେ ପ୍ରଥମ କରୋନା ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଥିଲେ। ଓହାନରୁ ଆସିଥିବା ଜଣେ ଛାତ୍ର ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ଏହାପରେ ଭାରତରେ ସଂକ୍ରମଣ ବଢ଼ି ଚାଲିଲା। ସେହିପରି ସାଉଦି ଆରବରୁ ଆସିଥିବା କର୍ଣ୍ଣାଟକର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ଏହା ଥିଲା ଦେଶର ପ୍ରଥମ କରୋନା ମୃତ୍ୟୁ।

ଘୋଷଣା ହେଲା ଜନତା କର୍ଫ୍ୟୁ

ଭାରତରେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ।  କରୋନାର ସଫଳ ମୁକାବିଲା ପାଇଁ ମାର୍ଚ୍ଚ ୨୨ରେ ପାଳିତ ହୋଇଥିଲା ଜନତା କର୍ଫ୍ୟୁ। ଏହି ସମୟରେ ସବୁ ସରକାରୀ, ବେସରକାରୀ ଅଫିସ ସବୁ ବନ୍ଦ ରହିବା ସହିତ ପରିବହନ ସେବା ବନ୍ଦ ଥିଲା। କେବଳ ହସ୍ପିଟାଲ କର୍ମଚାରୀ, ପୋଲିସ, ଗଣମାଧ୍ୟମ କର୍ମଚାରୀ, ଅତି ଆବଶ୍ୟକ ସେବା ସଂସ୍ଥାକୁ କର୍ଫ୍ୟୁରୁ ବାଦ ଦିଆଯାଇଥିଲା।

ଘଣ୍ଟ ବଜାଇଲେ ଦେଶବାସୀ

ଜନତା କର୍ଫ୍ୟୁ ପାଳନ କରିବା ପରେ ସନ୍ଧ୍ୟା ୫ଟାରେ ଲୋକେ ଘରେ ରହି ଘଣ୍ଟ ବଜାଇଥିଲେ। ଲୋକେ ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରି ଘର ଛାତ, ବାଲକୋନିରେ ରହି ଘଣ୍ଟ, ତାଳି, ଶଙ୍ଖ ବଜାଇଥିବା ଦେଖିବାକୁ ମିଳିଲା। ସାରାଦେଶରେ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା।

କରୋନା ମୁକାବିଲା ପାଇଁ ଲକଡାଉନ୍‌

ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ରେ ସାରାଦେଶରେ ଲକଡାଉନ୍‌ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୧ ଦିନ ପାଇଁ ଏପ୍ରିଲ ୧୪ ଯାଏଁ ଲକଡାଉନ ଘୋଷଣା ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ମେ‘ ୩, ତୃତୀୟ ପର୍ଯ୍ୟାୟରେ  ମେ‘୪ରୁ ମେ’ ୧୭ ଏବଂ ଚତୁର୍ଥ ପର୍ଯ୍ୟାୟରେ ମେ’ ୧୮ରୁ ମେ’ ୩୧ ଯାଏଁ ଲକଡାଉନ୍‌ ଘୋଷଣା ହୋଇଥିଲା। ଏହି ସମୟରେ ଜୀବନ ଯାତ୍ରା ଏକପ୍ରକାର ଠପ୍‌ ହୋଇପଡ଼ିଲା। ଲୋକେ ଘର ଭିତରେ ରହିଲେ। କେନ୍ଦ୍ର ପକ୍ଷରୁ ଟିକିଏ କଟକଣା କୋହଳ ହେବା ପରେ ରାଜ୍ୟମାନଙ୍କରେ ବି ସାମାନ୍ୟ କଟକଣା କୋହଳ ହୋଇଥିଲା।

ସୁପରସ୍ପ୍ରେଡର ତବଲିଗି

ଦିଲ୍ଲୀର ନିଜାମୁଦ୍ଦିନଠାରେ ଥିବା ତବଲିଗି ଜମାତରେ ଅନୁଷ୍ଠିତ ଧାର୍ମିକ ସମ୍ମଳିନୀରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ମାର୍ଚ୍ଚ ୩୧ରେ ସେଠାରେ ୨୪ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏଠାକୁ ଆସିଥିବା ଲୋକଙ୍କ ଭିତରୁ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିପାଇଁ ତବଲିଗିକୁ ସପୁରସ୍ପ୍ରେଡର ଆଖ୍ୟା ଦିଆଯାଇଥିଲା।

କ୍ୱାରେଣ୍ଟାଇନ, ଆଇସୋଲେସନ ଭଳି ନୂଆ ଶବ୍ଦ ଶିଖିଲେ

ହୋମ ଆଇସୋଲେସନ, ଲକ୍ ଡାଉନ୍, କୋଭିଡିୟଟସ୍‌, କ୍ୱାରେଣ୍ଟାଇନ, କଣ୍ଟେନମେଣ୍ଟ ଜୋନ, ସୋସିଆଲ ଡିଷ୍ଟାନସ୍ ପରି ନୂଆ ନୂଆ ଶବ୍ଦ ଏହି କରୋନା ଯୋଗୁ ଶୁଣିବାକୁ ମିଳିଲା।  ପ୍ରଥମେ ପ୍ରଥମେ ଅସୁବିଧା ହେଲେ ବି ଲୋକେ ଏହାକୁ ଗ୍ରହଣ କରି ନେଲେ। ଏହାଛଡ଼ା ଲୋକେ ସାନିଟାଇଜର, ମାସ୍କ, ସାମାଜିକ ଦୂରତାକୁ ବି ଗୁରୁତ୍ୱ ଦେଲେ। ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ ସହିତ କରୋନା ଏକ ନୂଆ ଅନୁଭୂତି ଦେଲା।

ହନ୍ତସନ୍ତ ହେଲେ ପ୍ରବାସୀ ଶ୍ରମିକ

କରୋନା ପାଇଁ ସରକାର ଅଚାନକ ଲକଡାଉନ ଘୋଷଣା କରିବା ପରେ ସବୁଠୁ ଅଧିକ ହନ୍ତସନ୍ତ ହେଲେ ପ୍ରବାସୀ। କାରଣ ମୁମ୍ବାଇ, ଦିଲ୍ଲୀ, ସୁରତ, ଗୁଜୁରାଟ ଭଳି ସ୍ଥାନରେ ଥିବା କଳାକାରଖାନା ସବୁ ବନ୍ଦ ହୋଇଗଲା। ଫଳରେ ସେଠାରେ ବିଭିନ୍ନ ରାଜ୍ୟରୁ ଆସି କାମ କରୁଥିବା ବ୍ୟକ୍ତି କାମ ହରେଇ ବସିଲେ। ଲକଡାଉନ ଗାଡ଼ି, ମଟର ବନ୍ଦ ଥିବାରୁ କିଏ ଚାଲି ଚାଲି, କିଏ ସାଇକେଲରେ ନିଜ ଗାଁକୁ ଫେରିଲେ। ଏହି ସମୟରେ ଅନେକ ରାସ୍ତାରେ ପ୍ରାଣ ହରାଇ ବସିଲେ। ମେ’ ୨୬  ତାରିଖରେ ସୁପ୍ରିମକୋର୍ଟ ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା କଥା ବୁଝିବା ସହିତ ସେମାନଙ୍କୁ ନିଜ ଘରେ ସୁରକ୍ଷିତ ଭାବେ ପହଞ୍ଚାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment