ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କୋଭିଡ୍-୧୯ ସଂକ୍ରମଣ ଏବେ ସାଂଘାତିକ ସ୍ଥିତି ଆଡ଼କୁ ଗତି କରୁଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ। ରାଜ୍ୟରେ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୫୮ଟି ନୂଆ ମାମଲା ସାମନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଓଡ଼ିଶାରେ କୋଭିଡର ୧,୧୮୬ଟି ସକ୍ରିୟ ମମାଲା ରହିଛି।

ଓଡ଼ିଶାରେ ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କୋଭିଡ୍ ସଂକ୍ରମଣ ହାର ବୃଦ୍ଧି ପାଇଛି। ଓଡ଼ିଶାର ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ରହୁଛି। ସୋନପୁର ଜିଲ୍ଲାରେ ସର୍ବାଧିକ ୧୦.୮ ପ୍ରତିଶତ ସଂକ୍ରମଣ ରହିଛି।

ଅନ୍ୟପଟେ ଓଡ଼ିଶାରେ ଗୁରୁବାର ଜଣେ ବ୍ୟକ୍ତିଙ୍କର କୋଭିଡ୍ କାରଣରୁ ମୃତ୍ୟୁ ହୋଇଥିବାକୁ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖଣ୍ଡନ କରିଛି। ୬୫ ବର୍ଷୀୟ ବ୍ୟକ୍ତି ଜଣଙ୍କର କିଡନି ଜନିତ ସମସ୍ୟା ଥିଲା। ସେ ପ୍ରଥମେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ କଟକର ଏସସିବି ମେଡିକାଲକୁ ସ୍ଥାନାନ୍ତର କରଯାଇଥିଲା।

ଅନ୍ୟପଟେ ଭାରତରେ ଶୁକ୍ରବାର ଦୈନିକ ସଂକ୍ରମଣ ୧୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୧୦୯ଟି ମାମଲା ରେକର୍ଡ କରାଯାଇଛି। ଏହା ୭ ମାସରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୯ ଜଣଙ୍କର କୋଭିଡ୍ ଜନିତ ମୃତ୍ୟୁ ହୋଇଛି।

ଏବେ ଦେଶରେ କୋଭିଡର ଦୈନିକ ସଂକ୍ରମଣର ହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଏବେ ୫.୦୧ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ସାପ୍ତାହିକ ସଂକ୍ରମଣ ୪.୨୯ ପ୍ରତିଶତ ରହିଛି। ସେହିପରି ଦେଶରେ କୋଭିଡର ୪୯ ହଜାର ୬୨୨ଟି ସକ୍ରିୟ ମମାଲା ରହିଛି। ଭାରତରେ କୋଭିଡର ରିକଭରି ରେଟ ୯୮.୭ ପ୍ରତିଶତ ରହିଛି।

ଭାରତରେ ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଏକ୍ସବିବି.୧.୧୬ ଯୋଗୁଁ ସଂକ୍ରମଣ ବଢ଼ୁଛି। ଆଗକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ସହରରେ ଏହି ସଂକ୍ରମଣ ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

Tags: #Covid19 #Corona #CovidInfection #CoronaVirus #Odisha #India

 

Comment