ଗୀତା ଦାସ

ମଦ ନପିଇଲେ ନଚଳେ! ଜଣେ ବ୍ୟକ୍ତି ଏଭଳି ଅବସ୍ଥାକୁ ଆସିଗଲା ପରେ ତା’ଠାରେ କି’ ଲକ୍ଷଣସବୁ ଦେଖାଯାଏ? ଆସନ୍ତୁ ଜାଣିବା।
ପ୍ରଥମ ଅବସ୍ଥା
ବର୍ତ୍ତମାନ ମଦ ପିଇବା ବେଳେ ତା’ର ପୂର୍ବ ପରି କାଣ୍ଡଜ୍ଞାନ ରହୁ ନାହିଁ। ତା’ଠାରେ ଅସଂଯତ ଓ ଅଶାଳୀନ ବ୍ୟବହାର ଦେଖାଯାଉଛି। ମଦ ପିଇଲା ବେଳେ ରାଗିଗଲେ ଜିନିଷପତ୍ର ଫୋପାଡ଼ୁଛି, ଭାଙ୍ଗୁଛି, କ’ଣ ନାଇଁ କ’ଣ କହୁଛି, ବାଡ଼ିଆପିଟା କରିବାକୁ ବାହାରୁଛି, ସାମାନ୍ୟ କଥାରେ ଝଗଡ଼ା ଲଗାଉଛି, ମନ ଦୁଃଖ ହେଲେ ବିଭିନ୍ନ ଦୁଃଖ କଥା କହୁଛି, ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛି, ଚାଲିଲା ବେଳକୁ ଟଳୁଛି, ଝୁଣ୍ଟୁଛି ଓ ପଡ଼ିଗଲେ ଅଚେତ ହୋଇ କାଠଗଡ଼ା ପରି ପଡ଼ି ରହୁଛି।
ଇଏ ହେଲା ମଦ୍ୟାସକ୍ତର ପ୍ରଥମ ଅବସ୍ଥା। ମଧ୍ୟମ ଓ ଶେଷ ଅବସ୍ଥା ବିଷୟରେ ସଂକ୍ଷେପରେ ଲେଖୁଛି।
ମଧ୍ୟମ ଅବସ୍ଥା
୧- ବର୍ତ୍ତମାନ ତା’ର ନିଜ ଉପରୁ ଆୟତ୍ତ ଚାଲିଗଲାଣି। ସେ ନିଜ ବଶରେ ନ ରହି ମଦର ବଶୀଭୂତ ହେଲାଣି। ସେ କ’ଣ ମଦ ପିଇବ, ମଦ ତା’କୁ ପିଇବା ଆରମ୍ଭ କଲାଣି।
୨- ଚାକିରି ଥିଲେ ଚାକିରି ଗଲାଣି। ଚାଷବାସ କରୁଥିଲେ ବା ବ୍ୟବସାୟ ଥିଲେ ସେ ସବୁ ଆଉ ଚଳେଇପାରୁ ନାହିଁ।
୩- ପୂର୍ବେ ଯେଉଁସବୁ ଅସାମାଜିକ ଓ ବିପଥଗାମୀ ପ୍ରବୃତ୍ତି ପ୍ରଚ୍ଛନ୍ନ ଭାବରେ ଭିତରେ ଥିଲା, ବର୍ତ୍ତମାନ ସେସବୁ ବାହାରିଲାରୁ ସେ ଅସାମାଜିକ କାମ କରୁଛି, କୁପଥରେ ଯାଉଛି। ପୂର୍ବେ ଯାହାଙ୍କଠାରେ ସାମାନ୍ୟ ଅପରାଧପ୍ରବଣତା ଥିଲା, ବର୍ତ୍ତମାନ ବଡ଼ ଆକାରରେ ସେସବୁ ଦେଖାଯାଉଛି।
୪- କ୍ଷୋଭ, ଲଜ୍ଜା ଓ ଅନୁତାପ, ନିଜର ସଫେଇ ଗାଇବା, ସବୁ ବିଷୟର ଆଗ୍ରହ ଚାଲିଯିବା।
୫- ସକାଳୁ ଉଠିବା ମାତ୍ରକେ ମଦ ପିଇବା।
୬- ବେଶି କମ୍ପ ହେବା, ହାତ ଥରିବା, ଦେହ ଥରିବା।
୭- ‘ପ୍ରଥମେ ମଦ ଓ ତା’ ପରେ ଆଉ ସବୁ କଥା’- ଏ ଢଙ୍ଗ ଦେଖି ଘର ଲୋକ ଓ ଆତ୍ମୀୟସ୍ୱଜନମାନଙ୍କ ଜୀବନ ଦୁର୍ବିଷହ ହୋଇଉଠେ।
୮- ସ୍ତ୍ରୀ ଘର ଛାଡ଼ି ବାପଘରକୁ ଚାଲିଯାଏ ବା ପିଲାମାନଙ୍କୁ ନେଇ ଗାଆଁକୁ ବା ଅନ୍ୟ ବାସସ୍ଥାନକୁ ଚାଲିଯାଏ। ମୋଟ ଉପରେ କୌଣସି କାରଣ ଦେଖାଇ ଏକାଠି ରୁହେ ନାହିଁ।
୯- ବଦଳି ହୋଇଯାଏ। ନୂଆ ଜାଗାରେ ନୂଆ କରି ଜୀବନ ଗଢ଼ିବାକୁ ଚେଷ୍ଟା କରେ, ମାତ୍ର ସେଠି ମଧ୍ୟ ଅଳ୍ପଦିନ ପରେ ମଦ ପିଇବା ଆରମ୍ଭ କରେ।
୧୦- ମଦ ନ ଛୁଇଁ ରହିବାକୁ ଚେଷ୍ଟା କରେ।
ଶେଷ ଅବସ୍ଥା
୧- ଅଧିକାଂଶ ସମୟରେ ପିଉଥାଏ ଓ ସବୁବେଳେ ମଦ ପାଖରେ ରଖିଥାଏ।
୨- ମଦ ପିଇବା ପାଇଁ ପଇସା ନ ଥିଲେ ଚୋରେଇ ଡାକ୍ତରଖାନାର ଘସି ଓ ଆଲ୍କୋହଲ୍, ସ୍ପିରିଟ୍ ଆଣି ଖାଏ, ସେଭିଂ ଲୋସନ ଓ ସେହିପରି ଯେକୌଣସି ଜିନିଷରେ ଆଲ୍କୋହଲ୍ ଥାଏ, ତା’କୁ ଆଣି ପିଏ। ମଦ ପିଇବା ପାଇଁ ତା’ର ଅସମ୍ଭବ ଇଚ୍ଛା ହୁଏ ଓ ପିଇଲେ ମଧ୍ୟ ଇଛା କମେ ନାହିଁ।
୩- ଅକାରଣ ଭୟ ହୁଏ ଓ କେଉଁ ବିଷୟରେ ଭୟ ହେଉଛି ସେ କଥା କହିପାରେ ନାହିଁ।
୪- ଖାଇବା ବହୁତ କମିଯାଉଥିବାରୁ ଖାଦ୍ୟାଭାବଜନିତ ବିଭିନ୍ନ ରୋଗ ଦେଖାଯାଏ।
୫- ରକ୍ତରେ ଶର୍କରା ସବୁବେଳେ କମ୍ ପରିମାଣରେ ରହୁଥିବାରୁ (କ୍ରନିକ ହାଇପୋଗ୍ଲାଇସେମିଆ) କ୍ଲାନ୍ତି, ମୁଣ୍ଡବିନ୍ଧା, ମନେ ନ ରହିବା, ସବୁବେଳେ ଘୁମ ଲାଗିବା, ମିଜାଜ ବିଗିଡ଼ିଯିବା, ଉତ୍କଣ୍ଠା, ବିଷଣ୍ଣତା ଓ ଅବ୍ୟବସ୍ଥିତ ଭାବ ବଢ଼େ ଓ ମଦ ପିଇଲେ ରକ୍ତରେ ଶର୍କରାର ପରିମାଣ ବଢ଼ିଗଲାରୁ ସେ ପିଇବା ଆରମ୍ଭ କରେ। (ପିଇବା ବନ୍ଦ କଲେ ପୁଣି ଏସବୁ ଲକ୍ଷଣ ବାହାରୁଥିବାରୁ ମଦ ପିଇ ସୁସ୍ଥବୋଧ କରିବାଟା ଭୁଲ୍ ଉପାୟ)।
୬- ଡିଲିରିଅମ ଟ୍ରିମେନନ୍ ବା ଘୋର କମ୍ପ ସହିତ ପାଗଳ ପରି ହେବାର ଲକ୍ଷଣ ଦେଖାଯାଏ (କିଏ ଅତି ଉଗ୍ର ଓ ସାଂଘାତିକ ଭାବ ଧାରଣ କରେ ଓ ଅନ୍ୟର ବିପଦର କାରଣ ହୁଏ। କିଏ ମତିଭ୍ରମ ହେଲା ପରି ଭୟଙ୍କର ବିଭୀଷିକା ଦେଖେ ବା ଭୟାନକ ରବ ପରି ଚିତ୍କାର ଶୁଣେ। କିଏ ମନକୁ ମନ ହାତରେ ତାସ ନ ଥାଇ ତାସ ଖେଳି ଯାଉଥାଏ ଓ ତା’ର ଦେହ ଥରୁଥାଏ ଏବଂ ଝାଳ ବୋହି ଯାଉଥାଏ)।
୭- ନିଜର ମାନ, ସମ୍ମାନ, ନୀତି ଅନୀତି ସବୁ ଭୁଲିଯାଏ; ବିବେକୀପଣ କ୍ରମଶଃ କମୁଥାଏ।
୮- ମଦ ନ ଥିଲେ ଉତ୍କଣ୍ଠାର ଭାବ ବଢ଼ିଲେ ଆତଙ୍କଗ୍ରସ୍ତ ରୋଗୀର ଲକ୍ଷଣ ସବୁ ତା’ଠାରେ ଦେଖାଯାଏ।
୯- ମଦ ପିଇଲା ବେଳେ ଅସମ୍ଭବ ରାଗ ଓ ଅତି ଉଗ୍ର ଭାବ ଦେଖାଯାଏ।
୧୦- ସ୍ମୃତିଶକ୍ତି ଓ ଚିନ୍ତାଶକ୍ତିରେ ବିଭିନ୍ନ ଗୋଳମାଳ ଦେଖାଯାଏ ଓ ମଦ ନ ପିଇଲେ କୌଣସି କାମ କରିପାରେ ନାହିଁ। ଦେହରେ ବଳ କମିଗଲେ ସବୁ କର୍ମଦକ୍ଷତା ଚାଲିଯାଏ।
କହିବା ବାହୁଲ୍ୟ, ଏ ଅବସ୍ଥାରେ ତା’ର ଚାକିରି ନଥାଏ, ପରିବାର ନ ଥାଏ, ଆଇନ ବିରୁଦ୍ଧ କାର୍ଯ୍ୟ ଯୋଗୁଁ ଜେଲ୍ ବା ଜୋରିମାନା ହୋଇଥାଏ ଓ ସେ ଏକୁଟିଆ ଅଲୋଡ଼ା ଭାବରେ ରହି ମରିବାକୁ ବାଟ ଚାହିଁ ବସିଥାଏ। ମଦ୍ୟାସକ୍ତର ଶେଷ ଜୀବନ ପ୍ରକୃତରେ ଦୁଃଖ, ଜ୍ୱାଳା ଓ ଯନ୍ତ୍ରଣାରେ ପୂରିଥାଏ। ଏ ଅବସ୍ଥାରେ ତା’କୁ କୌଣସି ପ୍ରକାର ସାହାଯ୍ୟ କରିବା ସମ୍ଭବ ହୁଏ ନାହିଁ। ଏଥିପାଇଁ ସବୁ ରୋଗ ପରି ପ୍ରଥମ ଅବସ୍ଥାରେ ଯଦି ଚିକିତ୍ସା ଓ ପୁନର୍ବାସନର ବ୍ୟବସ୍ଥା ହୋଇପାରେ, ତେବେ ତା’ର ଭଲ ହୋଇଯିବାର ସମ୍ଭାବନା ରୁହେ।
(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)













