ରବୀନ୍ଦ୍ର ନାରାୟଣ ମିଶ୍ର

ସୁଯୋଗ ଥରେ ଉଡ଼ିଗଲେ ଆଉ ଫେରିଆସି ପାରେନା। ସବୁଦିନ ପାଇଁ ସୁଯୋଗରୁ ମଣିଷ ବଞ୍ଚିତ ହୁଏ।
ପୃଥିବୀ ବିଖ୍ୟାତ ଗ୍ରୀକ୍ ବୀର ଆଲେକ୍ଜାଣ୍ଡରଙ୍କୁ କିଏ ନ ଜାଣେ; ମାତ୍ର ଖୁବ୍ କମ୍ ଲୋକ ଜାଣନ୍ତି ଏ ବୀରପୁରୁଷଙ୍କୁ କିଏ ପ୍ରେରଣା ଦେଇଥିଲା ବିଶ୍ୱ ଜୟ କରିବାକୁ।
ମାସିଡୋନିଆର ଏଇ ବୀରପୁରୁଷ ଥରେ ପହଞ୍ଚିଥିଲେ ଏଥେନ୍ସ ନଗରୀର ଜଣେ ପ୍ରସିଦ୍ଧ ଭାସ୍କରଙ୍କ କର୍ମଶାଳାରେ। ଆଲେକ୍ଜାଣ୍ଡର କର୍ମଶାଳା ପରିସରରେ ବୁଲିବୁଲି ପ୍ରତିମୂର୍ତ୍ତିଗୁଡ଼ିକୁ ନିରୀକ୍ଷଣ କରୁଥାଆନ୍ତି ଓ ଭାସ୍କରଙ୍କ କୃତିକୁ ପ୍ରଶଂସା କରିଯାଉଥାନ୍ତି। ହଠାତ୍ ତାଙ୍କ ଦୃଷ୍ଟି ନିବଦ୍ଧ ହେଲା ଏକ ପ୍ରତିମୂର୍ତ୍ତିରେ। ତାଙ୍କ ପାଇଁ ପ୍ରତିମୂର୍ତ୍ତିଟି ଅର୍ଥହୀନ ଜଣାପଡ଼ୁଥିଲା।
ସେ ଭାସ୍କରକୁ ପ୍ରଶ୍ନ ପଚାରିଲେ, ‘‘ଏ ପ୍ରତିମୂର୍ତ୍ତିର କ’ଣ ନାମକରଣ କରିଛ ଶିଳ୍ପୀ?’’ ଶିଳ୍ପୀ ଉତ୍ତର ଦେଲେ, ‘‘ଏହାର ନାମ ହେଉଛି ସୁଯୋଗ।’’
ଆଲେକ୍ଜାଣ୍ଡର ପୁଣି ପ୍ରଶ୍ନ କଲେ, ‘‘ତୁମେ ଏହାର ମୁଖମଣ୍ଡଳକୁ ଆବୃତ୍ତ କରିଛ କାହିଁକି?’’ ଭାସ୍କର ଖୁବ୍ ଗମ୍ଭୀର ହୋଇ କହିଲେ, ‘‘ଲୋକମାନେ ସେମାନଙ୍କ ଜୀବନକୁ ଲକ୍ଷ୍ୟହୀନ କରି ରଖିଥାନ୍ତି। କୌଣସି ଧାରାକୁ ଆପଣେଇ ନେଇ ନ ଥାନ୍ତି। ତେଣୁ ସେମାନଙ୍କ ଚକ୍ଷୁ ସମ୍ମୁଖରେ ଚାଲି ଯାଉଥିବା ‘ସୁଯୋଗ’କୁ ସେମାନେ ଦେଖିପାରନ୍ତି ନାହିଁ। ଚକ୍ଷୁଷ୍ମାନ୍ ହୋଇ ମଧ୍ୟ ସେମାନେ ଅନ୍ଧ ହୋଇଥାନ୍ତି। ତେଣୁ ସେମାନଙ୍କୁ ଦୃଷ୍ଟିହୀନତା ବିଷୟରେ ସଚେତନ କରିବାକୁ ମୁଁ ଏଇ ସୁଯୋଗ ପ୍ରତିମୂର୍ତ୍ତିଟିର ଚକ୍ଷୁଯୁଗଳକୁ ଆବୃତ କରିଦେଇଛି।
‘‘ଆଲେକ୍ଜାଣ୍ଡର ପୁଣି ପ୍ରଶ୍ନ କଲେ, ‘‘ମାତ୍ର ତୁମେ ଏହାର ଦୁଇ ପାଦରେ ଦୁଇଟି ପକ୍ଷ ସୃଷ୍ଟି କରିଛ ଯେ।’’ ଶିଳ୍ପୀ କହିଲେ, ‘‘ଏଇ ସୁଯୋଗ ଥରେ ଉଡ଼ିଗଲେ ଆଉ ଫେରିଆସି ପାରେନା।’ ସବୁଦିନ ପାଇଁ ସୁଯୋଗରୁ ମଣିଷ ବଞ୍ଚିତ ହୁଏ। ସେଥିପାଇଁ ଦୁଇ ପାଦରେ ଦୁଇଟି ପକ୍ଷ ବା ଡେଣା ଲଗାଇ ଦେଇଛି।’’
ସେଇ ସୁଯୋଗ ପ୍ରତିମୂର୍ତ୍ତି ପାଖରେ ଅଟକିଗଲେ ଯୌବନୋଦ୍ଦୀପ୍ତ ଆଲେକ୍ଜାଣ୍ଡର। ଶିଳ୍ପୀର ସେଇ ପ୍ରତିମୂର୍ତ୍ତିଟି ଯେମିତି ତାଙ୍କୁ ଆହ୍ୱାନ ଜଣାଇ ଚେତାବନୀ ଶୁଣାଉଛି, ‘‘ହେ ବୀର! ସୁଯୋଗକୁ ହାତଛଡ଼ା କରନା। ସୁଯୋଗର ସଦ୍ବ୍ୟବହାର କର। ଜୀବନକୁ ଗୌରବୋଜ୍ଜ୍ୱଳ କରିଦିଅ। ତଦ୍ଦ୍ୱାରା ହୋଇ ଉଠିବ କିମ୍ବଦନ୍ତୀ ପୁରୁଷ।’’
ଆଲେକ୍ଜାଣ୍ଡରଙ୍କ ମନରେ ଅଦମ୍ୟ ଅଭୀପ୍ସା ଜାଗ୍ରତ ହୋଇଉଠିଲା। ତା’ ପରେ ଯେକୌଣସି ଗୋଟିଏ ସୁଯୋଗକୁ ବିନା ଉପଯୋଗରେ ବିଦାୟ ଦେଲେନି।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)











