ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଧ୍ୟାପକ ପୁଞ୍ଜିଲାଲ ମେହେର। ବହୁଦିନର ଖୋଳତାଡ଼ ପରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କହିଛି କ୍ରାଇମବ୍ରାଞ୍ଚ ଟିମ୍।

ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣାର ମାଷ୍ଟରମାଇଣ୍ଡ୍ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କହିଛି କ୍ରାଇମବ୍ରାଞ୍ଚ ଟିମ୍।

ଗତ ତିନିଦିନ ତଳେ ମେହେରପଡ଼ାର ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ବୋମା ବିସ୍ଫୋରଣରେ ହାତ ଥିବା ସନ୍ଦେହ କରି ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ ପୋଲିସ। ଏହାସହ ଅଧ୍ୟାପକଙ୍କ ଘରୁ ପୁଲିସ ଅଧ ବ୍ୟାଗ ବାରୁଦ ଜବତ କରିଥିଲା।

ମୃତ ସୌମ୍ୟ ଶେଖରଙ୍କ ମା’ ମଧ୍ୟ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି। ଗତ କିଛିଦିନ ତଳେ ଅଧ୍ୟକ୍ଷ ପଦବୀକୁ ନେଇ ପୁଞ୍ଜିଲାଲ ଓ ସୌମ୍ୟଙ୍କ ମା’ଙ୍କ ମଧ୍ୟରେ କିଛିଟା ମନୋମାଳିନ୍ୟ ଥିଲା। ଏହାର ପ୍ରତିଶୋଧ ନେବା ପାଇଁ ପୁଞ୍ଜିଲାଲ ଏଭଳି ଷଡ଼ଯନ୍ତ୍ର ରଚିଥିଲେ।

ଏକ ଅଜଣା ଚିଠିରୁ ବଲାଙ୍ଗୀର ପୋଲିସକୁ ଏନେଇ ସୁରାଗ ମିଳିଥିବା ଜଣାପଡ଼ିଛି। ଏବେ ପୁଞ୍ଜିଲାଲ ମେହେରଙ୍କ ସହଯୋଗୀଙ୍କୁ ଖୋଜୁଛି ପୋଲିସ।

“ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛି ପୁଞ୍ଜିଲାଲ ମେହେର। ଘଟଣାରେ ଜଡ଼ିତ ଥିବା ଅନ୍ୟ ଦୋଷୀଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ ରାୟପୁର ଯାଇ ତଦନ୍ତ ଚଳାଇଛି। ଉଚିତ ସମୟରେ ସମସ୍ତ ଘଟଣା ପଦାକୁ ଆସିବ”, କହିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।

ଗତ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ। ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ କୋରିଅର ଜରିଆରେ ଏକ ଗିଫ୍ଟ ପାର୍ସଲ ଆସିଥିଲା। ଏହାକୁ ଖୋଲିବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ପ୍ରାଣ ହରାଇଥିଲେ। ରିମା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ତଳେ ରିମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment