ଛନ୍ଦା ମିଶ୍ର

Bhinna Manisa

ଜିହ୍ଵାକୁ ସଂଯତ ରଖିବା ଏତେ ସହଜ ନୁହେଁ। ଏଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି ଓ ନିରନ୍ତର ଅଭ୍ୟାସ। ଏହିପରି କିଛିଦିନ ଚାଲିଲେ ଜିଭ ଆପଣଙ୍କ ଦେହ, ମନ ଓ ସମଗ୍ର ପରିବେଶ ପାଇଁ ହୋଇଉଠିବ କଲ୍ୟାଣକାରୀ ଓ ଆପଣଙ୍କର ଏହି ପ୍ରିୟ ସାଥୀଟି ଆପଣଙ୍କୁ ଆଗେଇନେବ ଉନ୍ନତି ପଥରେ।

ରାଜାଙ୍କ ଦରବାର। ପାତ୍ର, ମିତ୍ର ଓ ଅମାତ୍ୟଙ୍କ ଗହଣରେ ସଭାକାର୍ଯ୍ୟ ଚାଲିଥାଏ। ଦୁଇଜଣ ବ୍ୟକ୍ତି ଦୂତ ସହ ଭିତରକୁ ପ୍ରବେଶ କଲେ। ସେମାନେ ଦୁଇବନ୍ଧୁ ବୃତ୍ତିରେ ଜ୍ୟୋତିଷ।

ଦୁହେଁ ରାଜସଭାରେ ପଦବୀଟିଏ ପାଇଁ ଲାଳାୟିତ। ରାଜା ପରୀକ୍ଷା କରିବା ପାଇଁ ଆଗକୁ ବଢାଇଦଲେ ହାତଟି। ପ୍ରଥମ ଜ୍ୟୋତିଷ ହାତ ଉପରେ ନଜର ବୁଲାଇ ଆଣି ଭ୍ରୂକୁଞ୍ଚନ କରି ଦୀର୍ଘଶ୍ୱାସ ଛାଡି କହିଲେ, ମହାରାଜ ଆପଣଙ୍କ ଭବିଷ୍ୟତ ଅନ୍ଧକାରମୟ। ଘୋର ଦୁର୍ଦ୍ଦିନ ମାଡିଆସୁଛି। ଆପଣଙ୍କ ଚକ୍ଷୁ ଆଗରେ ଆପଣ ନିଜ ପରିବାରଜନଙ୍କ ମୃତ୍ୟୁକୁ କରିବେ ସାମ୍ନା। ଜଣେ ପରେ ଜଣେ ପ୍ରିୟଜନଙ୍କୁ ଅକାଳମୃତ୍ୟୁ ଗ୍ରାସ କରୁଥିବ ହେଲେ ଆପଣ ଥିବେ ନିରୁପାୟ। ଏତିକି ଶୁଣି ରାଜାଙ୍କ ଚକ୍ଷୁ ରକ୍ତିମ ହୋଇଉଠିଲା।

ହାତ ମୁଠାମୁଠା ଓ ଦାନ୍ତ କଡମଡ କରି ଆଦେଶ ଦେଲେ ଜ୍ୟୋତିଷୀଙ୍କୁ କାରାରୁଦ୍ଧ କରିବା ପାଇଁ । ପ୍ରଥମ ଜ୍ୟୋତିଷ ଦୃଷ୍ଟି ଆଢୁଆଳକୁ ଚାଲିଗଲା ପରେ ରାଜା ହେଲେ ପ୍ରକୃତିସ୍ଥ ଓ ଦ୍ଵିତୀୟ ଜ୍ୟୋତିଷଙ୍କୁ ଦେଖି କହିଲେ, ଆପଣଙ୍କର କିଛି କହିବାର ଅଛି ?

ଦ୍ଵିତୀୟ ଜ୍ୟୋତିଷ ପରିସ୍ଥିତିକୁ ଉତ୍ତମ ରୂପେ ଅନୁଧ୍ୟାନ କରିନେଇଥିଲେ। ସେ ରାଜାଙ୍କ ହସ୍ତରେଖା ଦେଖି ନିଜ ଆଙ୍ଗୁଠି ଚାଳନା କରି ଅତ୍ୟନ୍ତ ଉତ୍‌ଫୁଲ୍ଲ ହୋଇ କହିଲେ, ମହାରାଜ ଏପରି ହସ୍ତରେଖା କ୍ଵଚିତ୍ ଦେଖିବାକୁ ମିଳେ। ଆପଣଙ୍କର ଜୀବନରେଖା କହୁଛି ଯେ ଆପଣ ଏକ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନର ଅଧିକାରୀ ହେବେ। ଆହୁରି ଅନେକ ବର୍ଷ ଆପଣଙ୍କର ଏହିଭଳି ସୁଶାସନରେ ପ୍ରଜାମାନେ ଆନନ୍ଦରେ କାଳ କାଟିବେ।

କହିବା ବାହୁଲ୍ୟ, ରାଜା ପ୍ରୀତ ହୋଇ ଅନେକ ଧନରତ୍ନ ଦେଇ ଦ୍ଵିତୀୟ ବ୍ୟକ୍ତିଙ୍କୁ ପୁରସ୍କୃତ କରିବା ସହ ରାଜଦରବାରରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କଲେ ।

ଏହା ତ କାହାଣୀଟିଏ।  ମାତ୍ର ଏହିଭଳି ଘଟଣା ନିତି ପ୍ରତିଦିନ ଆମ ସହିତ ଘଟେ। କିଏ ବା ଭଲ ନପାଏ ମିଠା କଥା ପଦେ ଶୁଣିବା ପାଇଁ। ଆମ ଜିହ୍ଵା ବା ରସନା ଏଥିପାଇଁ ଦ।ୟୀ।

ସଂସ୍କୃତରେ ଅଛି –

ପ୍ରିୟବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ,

ତସ୍ମାଦ୍ ତେଦବ ବକ୍ତବ୍ୟଂ ବଚନେ କା ଦରିଦ୍ରତା।

ତେଣୁ ମିଠା କଥା କହିବାରେ କାର୍ପଣ୍ୟ କାହିଁକି? ତା’ମାନେ ନୁହେଁ ଯେ କୁହାଳିଆ ହୋଇ ଆଗଚଲା ହୋଇଯିବା। ନହେଲେ ମାଡ ଖାଇବା ହିଁ ହେବ ସାର। ହେଲେ ଆମ ଭିତରେ ଅନେକେ ଅଛନ୍ତି ଯେଉଁମାନେ ବିରି ଫେଣେଇଲା ପରି କଥା ଫେଣେଇ ଚାଲିଥାନ୍ତି। ଅନ୍ୟର ଭଲଗୁଣର ପ୍ରଶଂସା କରନ୍ତି ନାହିଁ। ବରଂ ଖରାପ ଗୁଣଗୁଡ଼ିକୁ ବାଛି ନିଜ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଚିହ୍ନାପରିଚିତ ଯେତେ ଅଛନ୍ତି ସମସ୍ତଙ୍କୁ ବଖାଣିବାରେ ପାଆନ୍ତି ଢେର ଆନନ୍ଦ। ସେମାନଙ୍କର ଜିଭ ନିଜ ନିୟନ୍ତ୍ରଣରେ ନଥାଏ। ଗୁଡାଏ ଚବରଚବର ନହେଲେ ସେମାନଙ୍କୁ ତୃପ୍ତି ମିଳେନା।

କହୁକହୁ କଥା ଦୁଇକାନ ଚାରିକାନ ହୋଇ ହଜାରରେ କେତେବେଳେ ପହଞ୍ଚାଏ, ସେଥିକୁ ନଜର ନଥାଏ। କୁଆ ଉଡିଗଲା କୁଆ ଉଡିଗଲା କହୁକହୁ କେତେବେଳେ ଯେ ତାହା ଛୁଆ ଉଡିଗଲା ହୋଇଯାଇଛି ତା’ର ଖବର ରଖନ୍ତିନାହିଁ ଓ ଅଯଥାରେ ଲୋକହସା ହୁଅନ୍ତି। ଦୁନିଆରେ ଏହିଭଳି କୁହାଳିଆଙ୍କର ଅଭାବ ନାହିଁ। ଆପଣ ତାଙ୍କୁ ପଚାରିଲେ କହିବେ – ହଁ ମ କହୁ କହୁ କହିଦେଲି, କଣଟା ଭାସିଗଲା ଯେ।
ଓଡ଼ିଆରେ ଗୋଟିଏ ଢଗ ଅଛି-ଏମିତି ଜାଗାରେ ବସିପଡିଥିବୁ କହିବେନି କେହି ଉଠ୍ ବୋଲି, ଏମିତି ବାଗରେ କଥା କହୁଥିବୁ କେହି କହିବେନି ଝୁଟ୍ ବୋଲି।

ଧନୁରୁ ତୀର ଓ ମୁଖରୁ କଥା ଥରେ ବାହାରିଗଲେ ଲେଉଟିବା ଅସମ୍ଭବ। ଏହି ଜିହ୍ଵାର କାରସାଦି ଫଳରେ ଲୋକେ ଶତ୍ରୁ ଓ ମିତ୍ର ତିଆରି କରନ୍ତି। ଏହାର ମ୍ୟାଜିକ ଚଳାଇ ବ୍ୟକ୍ତି ପାଏ ସମାଜରେ ପ୍ରତିଷ୍ଠା ଓ ସମ୍ମାନ। କିଏ ମିଠାକଥା କହି ଦୁନିଆକୁ ଜୟ କରେ ତ କେହି କଟୁକଥା କହି ମରଣକୁ ଦିଏ ନିମନ୍ତ୍ରଣ। ତେଣୁ ଜ୍ଞାନୀଜନେ କୁହନ୍ତି, ଦୁଇଟି କାନ ଓ ଦୁଇଟି ଚକ୍ଷୁ ସହ ଗୋଟିଏ ଜିହ୍ୱା ଭଗବାନ ଦେଇଛନ୍ତି।

ଏହାର ତାତ୍ପର୍ଯ୍ୟ ହେଉଛି ଦେଖିବ ବେଶି, ଶୁଣିବ ବେଶି ମାତ୍ର କହିବ ତା’ର ଅଧା। ତାହା ମଧ୍ୟ କେବଳ ଦରକାର ସମୟରେ। ଜଡ ଭରତଙ୍କ ବିଷୟରେ କିଏ ବା ନଜାଣେ? ଅଯଥା ଗୁଡାଏ କଥା ନ କହି ଯେତିକି ଦରକାର ତଥା ମଧୁର ସେତିକି କହିଲେ ଜୀବନ ହୁଏ ପ୍ରଶାନ୍ତିମୟ।

ଏବେ ଜିହ୍ୱାର ଦ୍ଵିତୀୟ କାର୍ଯ୍ୟଟିକୁ ଦେଖିବା। ଖାଦ୍ୟର ସ୍ଵାଦ ବାରି ଭଲ ସୁଆଦିଆ ଖାଦ୍ୟ ଖାଇବାକୁ ଜିହ୍ଵା ସବୁବେଳେ ଆଗଭର ଓ ଏହି ଇନ୍ଦ୍ରିୟଟିକୁ ତୁଷ୍ଟ କରିବା ପାଇଁ ଆମେ ମଧ୍ୟ ସର୍ବଦା ଚେଷ୍ଟିତ। ତେବେ ଜିହ୍ଵାକୁ ତୃପ୍ତିଦେବା ପାଇଁ ଆଗେଇ ଆସୁଥିବା ଏହି ବ୍ୟକ୍ତିମାନଙ୍କୁ ଏପରି କରିବାକୁ ବାରଣ କଲେ ସେମାନେ ଜିଭର ପକ୍ଷ ନେଇ କେତେ ଯେ ବିତଣ୍ଡା ଯୁକ୍ତି କରିବେ, ତା’ର ତାଲିକା କରିହେବ ନାହିଁ।

କେହି କହିବ ରଖ ତୋ ତୁମର ଭାଷଣ, କେତେଦିନ ବଞ୍ଚିବ ଯେ ଏପରି କଷାପିତା ଖାଇ ମନକୁ ମାରୁଥିବ। – ହେଲେ ଏହା ଯେ ଶରୀର ପାଇଁ ଅହିତକର। ତେବେ ଡାକ୍ତରମାନେ କାହିଁକି ଅଛନ୍ତି, ସେମାନେ ତ ପୁଣି ଚଳିବେ। ଆଉ ଯେଉଁମାନେ ଏସବୁ ଖାଦ୍ୟକୁ ବିକ୍ରି କରୁଛନ୍ତି ସେମାନଙ୍କର ଚୁଲି ଜଳିବ କିପରି? ଆହା, ଅନ୍ୟ ପାଇଁ ପ୍ରାଣରେ କେତେ ଦରଦ ସତେ!

ଆଉ ଭୋଜିଭାତ ହେଲେ ତ କଥା ସରିଲା। ପତରରେ ମାଛ ଓ ମାଉଁସର କୁନି କୁନି ପାହାଡମାନ ଦୃଷ୍ଟିଗୋଚର ହୁଏ। ସେଥିକୁ ପୁଣି ଗୃହକର୍ତ୍ତାଙ୍କ ତାଗିଦ୍, ଆଜ୍ଞା ଅମୁକ ଆଇଟମଟି ସ୍ପେଶାଲ କରାହୋଇଛି ନିଶ୍ଚୟ ଖାଇବେ। କିହୋ, ଆମେ କ’ଣ ଖାଇବୁ ନ ଖାଇବୁ ସେଟା କଣ ତୁମେ ଡିସାଇଡ କରିବ?

ପୁଣି ଖାଇ ସାରିଲା ପରେ ଖୋଜା ହେବ ଜଲଜିରା, ଜେଲୋସିଲ, ହାଜମୋଲା ଆଦି କେତେ କ’ଣ। କେହି ପାଟିରେ ହାତ ପୂରାଇ ବାନ୍ତି କରି ପକାଇବ ତ କେହି ପାଇଖାନା ଯାଇଯାଇ ନୟାନ୍ତ। ଟିକେ ସତର୍କ ହୋଇ ପେଟ ଗ୍ରହଣ କରୁଥିବା ଖାଦ୍ୟ ଚୟନ କରି ଉଦରସ୍ଥ କଲେ ତ କଥା ସରନ୍ତା।

ଆଜି କେବଳ ଏହି ବିଶୃଙ୍ଖଳିତ ଖାଦ୍ୟପାନୀୟ ପାଇଁ ଲୋକେ କେତେ ଯେ ରୋଗକୁ ଆପଣାଉଛନ୍ତି ତାର ହିସାବ ନାହିଁ। ଆଉ ଆମମାନଙ୍କର ଜିହ୍ଵା ଲାଳସା ଦେଖି ଅନେକ ବ୍ୟବସାୟୀ ମଧ୍ୟ ଲାଭବାନ। କେହି ସ୍ଵାଦିଷ୍ଟ ଖାଦ୍ୟ ଦୋକାନ କରି, କେହି ବା ଔଷଧ ବିକି।

ଏବେ ଆଉ ଏକ ନୂଆ ଗୋଷ୍ଠୀ ବାହାରିଛନ୍ତି ଯାହାଙ୍କୁ ଆମେ କହୁଛେ ହେଲଥଟ୍ରେନର। ଅଧଘଣ୍ଟା ଧଇଁସଇଁ ହୋଇଚାଲିବା ପରେ ସେମାନେ ଆପଣଙ୍କୁ କହିବେ, ଆପଣଙ୍କର କେତେ କ୍ୟାଲୋରି ଲସ୍ ହେଲା ଜାଣନ୍ତି, ଗୋଟିଏ ଗୋଲାପଜାମୁର ବା ଗୋଟାଏ ସିଙ୍ଗଡାର।

ଖାଦ୍ୟଗୁଡିକର ନାଁ ଶୁଣି ଆପଣ ଜିଭରେ ଭିତରେ ଡରିଯାଉଥିବେ, ମନେମନେ ପ୍ରତିଜ୍ଞା କରୁଥିବେ ନା ଏସବୁ ଆଉ ଛୁଇଁବିନି। ହେଲେ ଜିହ୍ଵା-ରାକ୍ଷସ ଖୁବ୍ ବଳଶାଳୀ, ଆପଣଙ୍କୁ କଳେ ବଳେ କୌଶଳେ ନିଜ କବ୍ଜାକୁ ନେବା ପାଇଁ ସେ ଦୃଢପରିକର।

ଆପଣ ମନକୁ ବୁଝାଇେଦବେ, ଆଜି ଦୁଇଟା ସିଙ୍ଗଡା ଖାଇେଦଉଛି। କାଲି ଟିକେ ବେଶି ସମୟ ଓ୍ୱାକ୍ କରିଦେବି। ହେଲେ ତା ପରଦିନ ସକାଳୁ ଉଠିଲାବେଳକୁ ଅଜୀର୍ଣ୍ଣ ହୋଇଥିବ ବା ଅଳସୁଆ ଲାଗୁଥିବ। ପୁଣି ମନ ବୁଝିଯିବ, ହଁ ମ! ଦିନେ ଏକ୍ସରସାଇଜ ନ କଲେ କିଛି ହୁଏନି।

କଥାରେ ଅଛି ପାଟିକୁ ପିତା ଦେହକୁ ହିତ। କହିଲେ ଦେଖି, କେବେ ଆପଣ ନିମ୍ବପତ୍ର ଓ ହଳଦୀ ବାଟି ଖାଇଛନ୍ତି? ବରଂ ପେଟରେ କୃମି ହେଲେ ନୋଓ୍ୱର୍ମ ଖାଇବାକୁ ହୋଇଛନ୍ତି ଆଗଭର। ଦୁହିଁଙ୍କର କାମ ତ ସମାନ। ହେଲେ କେଉଁଟି ଦେହ ପାଇଁ ବେଶୀ ହିତକାରୀ? ମାତ୍ର କେତେ ସେକେଣ୍ଡ ପାଇଁ ଜିହ୍ଵାକୁ ପିତା ଲାଗିବ ବୋଲି ଆପଣ ନିମ୍ବପତ୍ରକୁ ଆଡେଇ ଦେଇନାହାନ୍ତି କି। କେବଳ ଜିହ୍ଵାଟିକୁ ସନ୍ତୁଷ୍ଟ କରିବାକୁ ଯାଇ ପୂରା ଶରୀରଟିକୁ ବେଢଙ୍ଗିଆ ଓ ଅସୁସ୍ଥ କରିପକାଉନାହାନ୍ତି କି ?

ଦେଖିଲେ ତ ଜିହ୍ଵାର କରାମତି। ସେ ଆପଣଙ୍କ ଅଧୀନରେ ନା ଆପଣ ତା ଅଧୀନରେ। ତେଣୁ ମିଠା କଥା କହିବା ପାଇଁ ଓ ସନ୍ତୁଳିତ ଆହାର ଗ୍ରହଣ କରିବା ପାଇଁ ଏବେ ହିଁ ଦୃଢସଂକଳ୍ପ କରନ୍ତୁ। ଜିହ୍ଵାକୁ ସଂଯତ ରଖିବା ଏତେ ସହଜ ନୁହେଁ। ଏଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି ଓ ନିରନ୍ତର ଅଭ୍ୟାସ। ଏହିପରି କିଛିଦିନ ଚାଲିଲେ ଜିଭ ଆପଣଙ୍କ ଦେହ, ମନ ଓ ସମଗ୍ର ପରିବେଶ ପାଇଁ ହୋଇଉଠିବ କଲ୍ୟାଣକାରୀ ଓ ଆପଣଙ୍କର ଏହି ପ୍ରିୟ ସାଥୀଟି ଆପଣଙ୍କୁ ଆଗେଇନେବ ଉନ୍ନତି ପଥରେ।

 (ସୌଜନ୍ୟ – ଭିନ୍ନ ମଣିଷ)

2 COMMENTS

  1. Apankara sabu Lekha gudika ati bastabata upalabdhi hue……samajara thiba samasya ku sudhariba pain bhala barta apanka lekha re anubhaba bi karihue…..Dhanybad Chhhanda ji

Comment