ଓଡ଼ିଶାଲାଇଭ୍ ବ୍ୟୁରୋ

- ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ
- ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର
- କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା
ଓଡ଼ିଶା ସ୍କିଲ୍ସ-୨୦୧୮ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମଧୁବାବୁ ଜନ୍ମ ବାର୍ଷିକୀରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତୀ ଖୁସି ବ୍ୟକ୍ତ କରିଛନ୍ତି।
“ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ସେ ଥିଲେ ପ୍ରଥମ ଓଡ଼ିଆ ଶିଳ୍ପଦ୍ୟୋଗୀ। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସୁନାମ ପାଇଁ ସେ ଅନେକ ତ୍ୟାଗ କରିଯାଇଛନ୍ତି। ତାଙ୍କ ଜନ୍ମ ଦିନରେ ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ବହୁତ ଖୁସି”, କହିଛନ୍ତି ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଆୟୋଜନ କରାଯାଇଛି। ନିଜ ଦକ୍ଷତା ପ୍ରତିପାଦନ ପାଇଁ ଏହା ସେମାନଙ୍କ ପାଇଁ ବଡ଼ ପ୍ଲାଟଫର୍ମ ହେବ ବୋଲି ମୁଁ ଆଶା କରୁଛି। ରାଜ୍ୟର ଆଇଟିଆଇଗୁଡ଼ିକ ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ହାସଲ କରିଛନ୍ତି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।
ଓଡ଼ିଶା ସ୍କିଲ୍ସ ୨୦୧୮ ଅନ୍ତର୍ଗତ ଭୁବନେଶ୍ବର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏପ୍ରିଲ ୨୯ରୁ ପ୍ରତିଯୋଗିତା ଆରମ୍ଭ ହୋଇ ଏପ୍ରିଲ ୩୦ ଯାଏଁ ଚାଲିବ। ଏଥିରେ ୨୦୦ ଜଣ ଅଂଶଗ୍ରହଣକାରୀ ୨୫ଟି ସ୍କିଲ ପ୍ରଦର୍ଶନ କରିବେ।
ପ୍ରତିଯୋଗିତାରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ନବୀନ। ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର, କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ। ଏହି ଅବସରରେ ସ୍କିଲ୍ଡ ଅନ୍ ଓଡ଼ିଶା ଲୋଗୋ ଉନ୍ମାଚିତ ହୋଇଛି।














