ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ଓଡ଼ିଶା ସ୍କିଲ୍ସ-୨୦୧୮। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ପରେ ପ୍ରତିଯୋଗିତାରେ ୨୦୦୦ ପ୍ରତିଯୋଗୀ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରୁଛନ୍ତି।
ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଉତ୍ସାହର ସହ ଆରମ୍ଭ ହୋଇଛି ଓଡ଼ିଶା ସ୍କିଲ୍ସ-୨୦୧୮। ଏହି ଦକ୍ଷତା ବିକାଶ ମେଳାରେ ସାରା ରାଜ୍ୟରୁ ୨୦୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି। ୬ଟି କ୍ଷେତ୍ରରେ ୨୫ଟି ଦକ୍ଷତାକୁ ନେଇ ପିଲାମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।
ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଅଟୋମୋବାଇଲ୍ ଟେକ୍ନୋଲୋଜି, ଅଟୋବଡି ମରାମତି, ବ୍ୟୁଟି ଥେରାପି, ହେୟାର୍ ଡ୍ରେସିଂ, କ୍ୟାବିନେଟ୍ ମେକିଂ, କାର ପେଣ୍ଟିଂ, ଗ୍ରାଫିକ୍ସ ଡିଜାଇନ୍, ହେଲ୍ଥ କେୟାର୍, ମୋବାଇଲ୍ ରୋବୋଟିକ୍, ରେସ୍ତୋରାଁ ସର୍ଭିସେସ୍, ଇଲୋକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଦକ୍ଷତାକୁ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ସଫଳତା ପାଇବା ପରେ ଆସନ୍ତା ବର୍ଷ ଜାତୀୟସ୍ତରରେ ହେବାକୁ ଥିବା ଦକ୍ଷତା ସମ୍ମିଳନୀରେ ଭାଗ ନେବେ।
ବର୍ଜ୍ୟବସ୍ତୁରୁ ଫ୍ୟାସନ ସାମଗ୍ରୀ
ଏହି ପ୍ରଦର୍ଶନୀରେ ଆଇଟିଆଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ଏଠାରେ ଦେଖାଉଛନ୍ତି। ପ୍ରତିଯୋଗୀମାନେ ଅଦରକାରୀ ସାମଗ୍ରୀରୁ ବହୁ ସୁନ୍ଦର ସୁନ୍ଦର ବ୍ୟବହାର ଉପଯୋଗୀ ଫ୍ୟାସନ ସାମଗ୍ରୀ ତିଆରି କରିଛନ୍ତି। ଭୁବନେଶ୍ୱର ଆଇଟିଆଇର ଛାତ୍ରୀମାନେ ପୁରୁଣା କପଡ଼ା, ସ୍କାର୍ଫ ଓ ଡ୍ରେସ୍ ବଟମ୍କୁ ନେଇ ବିଭିନ୍ନ ପ୍ରକାରର ହାର, ବ୍ୟାଗ୍, କାନଫୁଲ, ପଟ୍ଟଚିତ୍ର ଆଦି ତିଆରି କରିଛନ୍ତି। ସେହିପରି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ଅବ୍ୟବହୃତ ବିଭିନ୍ନ ଗାଡିର ପାର୍ଟସକୁ ନେଇ ଆକର୍ଷଣୀୟ ରୋବର୍ଟ, ଛୋଟ ବାଇକ୍, ଘଣ୍ଟା, ପିଭିସି ପାଇପରୁ ବିଭିନ୍ନ କଳାକୃତି ତିଆରି କରିଛନ୍ତି। ଏହି ଷ୍ଟଲ୍ ପାଖରେ ଲୋକଙ୍କ ଭିଡ଼ ଜମୁଛି।
ବିଜ୍ଞାନ ସଂଗ୍ରହାଳୟରେ ଜମୁଛି ଭିଡ଼
ନ୍ୟାସନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମରେ ସ୍ଥାନ ପାଇଥିବା ବିଭିନ୍ନ ପ୍ରକାରର ବିଜ୍ଞାନଭିତ୍ତିକ ଉପକରଣ ଓ ଏହାର ବ୍ୟବହାର ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ଏକ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟୁଜିଅମରେ ସ୍ଥାନ ପାଇଥିବା ପିନ୍ ହୋଲ୍ କ୍ୟାମେରା, କ୍ରେଜି ମେଜ୍ ଓ ୩ଡି ହୋଲୋଗ୍ରାମ ଛାତ୍ରଛାତ୍ରୀମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଆକର୍ଷଣ ସାଜିଛି ବ୍ୟୁଟିଥେରାପି ଓ ହେୟାର ଡ୍ରେସିଂ
ବ୍ୟୁଟିଥେରାପି ଓ ହେୟାର ଡ୍ରେସିଂରେ ଓଡ଼ିଆ ଝିଅ କିପରି ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ସେଥିପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଭାବରେ ସେମାନଙ୍କୁ ତାଲିମ୍ ଦିଆଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସିଥିବା କୃତୀ ପ୍ରତିଯୋଗୀମାନେ ଏଠାରେ ନିଜର ଦକ୍ଷତାକୁ ପ୍ରଦର୍ଶନ କରୁଛନ୍ତି।
ହେୟାର ଡ୍ରେସିଂ ବିଭାଗରୁ ୯ଜଣ ଓ ବ୍ୟୁଟିଥେରାପି ବିଭାଗରୁ ୧୦ଜଣ ବାଳିକା ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି। ଏହି ବିଭାଗର ବାଳିକାମାନେ ହାତରେ ବ୍ରସ୍, କଇଁଚି, ମେକ୍ଅପ୍ କିଟ୍ ଓ ଅତ୍ୟାଧୁନିକ ଯନ୍ତ୍ର ଧରି ସେମାନଙ୍କର ପାରଦର୍ଶିତାକୁ ପ୍ରମାଣିତ କରିବା ପାଇଁ ଲାଗିପଡ଼ିଛନ୍ତି। ଅଲଗା ଅଲଗା ସ୍ଥାନରେ ବ୍ୟୁଟିଥେରାପି ମେକ୍ଅପ୍ ରଖାଯାଇଥିଲା ବେଳେ ହେଆର ଡ୍ରେସିଂ ପାଇଁ ଲଙ୍ଗ୍ ହେୟାର ପାର୍ଟି ଷ୍ଟାଇଲିଂ ରଖାଯାଇଥିଲା। ୧୮ରୁ ୨୦ ବର୍ଷର ଯୁବତୀମାନେ ପୂର୍ବରୁ ସଟ୍ ଟର୍ମ ଓ ଲଙ୍ଗ୍ ଟର୍ମ ଏହି କୋର୍ସରେ ଟ୍ରେନିଂ ନେଇ ସାରିଛନ୍ତି।
ଲେୟାର କଟ୍, ଲେଜର୍ କଟ୍, ଫିଜର କଟ୍ ମାଧ୍ୟମରେ ବାଳିକାମାନେ ହେଆର ଡ୍ରେସିଂରେ ଗୁରୁତ୍ୱ ଦେଉଥିଲା ବେଳେ ୱେଡିଂ ମେକ୍ଅପ୍, ପାର୍ଟି ମେକ୍ଅପ୍ ଆଦି କ୍ଷେତ୍ରରେ ବ୍ୟୁଟିଥେରାପିର ବାଳିକାମାନେ ଗୁରୁତ୍ୱ ଦେଉଛନ୍ତି।
ରେଷ୍ଟୁରାଣ୍ଟ ସର୍ଭିସେସ୍
ଓଡ଼ିଶାର ପିଲାମାନେ କିପରି ବିଭିନ୍ନ ତାରକା ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ହୋଟେଲ୍ ମ୍ୟାନେଜମେଣ୍ଟ ସର୍ଭିସ୍ ବଏ ଆଦି କ୍ଷେତ୍ରରେ ନିଜର କ୍ୟାରିଅରକୁ ପ୍ରତିଷ୍ଠିତ କରିପାରିବେ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଇଛି। ବିଭିନ୍ନ ହୋଟେଲ୍ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନରୁ ୧୨ ଜଣ ପ୍ରତିଯୋଗୀମାନେ ଆସି ଏହି ପ୍ରଦର୍ଶନୀରେ ନିଜର ଦକ୍ଷତାକୁ ମଧ୍ୟ ପ୍ରତିପାଦନ କରୁଛନ୍ତି।
ଅଟୋ ମୋବାଇଲ୍ ଟେକ୍ନୋଲୋଜି
ଅଟୋ ମୋବାଇଲ୍ ଟେକ୍ନୋଲୋଜି ଆଜିର ଦିନରେ ଏକ ବଡ଼ କ୍ୟାରିୟର। ଏହି କ୍ଷେତ୍ରରେ ବିଭିନ୍ନ ସରକାରୀ ଆଇଟିଆଇ ଓ ବିଶ୍ୱବିଦ୍ୟାଳୟରୁ ୮ ଜଣ ପିଲା ଆସି ବିଭିନ୍ନ ଚାରିଚକିଆ ଗାଡ଼ିର ମରାମତି ପାଇଁ ଟ୍ରେନିଂ ନେବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି। ବିଭିନ୍ନ ଏକ୍ସପର୍ଟମାନେ ଭଲ ଗାଡ଼ିକୁ ଡିଫେକ୍ଟ କରୁଛନ୍ତି। ଯେଉଁ ପିଲାମାନେ କମ୍ ସମୟରେ ଏହି ଡିଫେକ୍ଟକୁ ବାଛିପାରୁଛନ୍ତି ସେହିମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ବୋଲି ଟେକ୍ନିକାଲ୍ ଏକ୍ସପର୍ଟ ନିହାର ରଞ୍ଜନ ପଣ୍ଡା କହିଛନ୍ତି।
କାର୍ ପେଣ୍ଟିଙ୍ଗ୍
କାର୍ ପେଣ୍ଟିଙ୍ଗ୍ ଏବେ ଯୁବପିଢ଼ିଙ୍କ ପାଇଁ ପ୍ରମୁଖ କ୍ୟାରିଅର ଭାବେ ଛିଡ଼ା ହୋଇଛି। ଯଦି କାର୍ଟିର ରଙ୍ଗ ଆକର୍ଷଣୀୟ ହୋଇଥାଏ ତାହାଲେ ଏହା ସୁନ୍ଦର ଦେଖାଯାଏ। ତେଣୁ ବିଭିନ୍ନ ସ୍ପ୍ରେୟର ମାଧ୍ୟମରେ ରଙ୍ଗର ଅନୁପାତକୁ ନେଇ ରଙ୍ଗ ଦେବାରେ ଲାଗିଛନ୍ତି ପ୍ରଦର୍ଶନୀରେ ଭାଗ ନେଇଥିବା ୫ ଜଣ ପ୍ରତିଯୋଗୀ। ବିଭିନ୍ନ ଆଇଟିଆଇରୁ ବଛା ଯାଇଥିବା ଏହି ୫ ଜଣ ଛାତ୍ର ନିଜ ନିଜର ପ୍ରତିଭା ଦେଖାଉଛନ୍ତି।