ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଗୋଟିଏ ଦିନରେ ତିନୋଟି ସଭାରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।

ମିଶନ୍ କର୍ଣ୍ଣାଟକରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ମୋଦି ଆଜିଠାରୁ କର୍ଣ୍ଣାଟକ ଯାତ୍ରା କରିଛନ୍ତି। ୧୨ ଦିନରେ ୧୫ଟି ସଭାରେ ମୋଦି ଉଦବୋଧନ ଦେବେ।

ଆଜି କର୍ଣ୍ଣାଟକର ତିନୋଟି ସ୍ଥାନରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ମୋଦି ସିଧାସଳଖ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

ନରେନ୍ଦ୍ର ମୋଦି ଚାମରାଜନଗରରୁ ତାଙ୍କର ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏଠାରେ ଆୟୋଜିତ ସଭାରେ ମୋଦି ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ। କହିଥିଲେ, କଂଗ୍ରେସ ଅଧ୍ୟକ୍ଷ କେବଳ ନାଁକୁ ନେଇ ଗର୍ବ କରନ୍ତି। କିନ୍ତୁ ଆମେ କାମରେ ବିଶ୍ୱାସ କରୁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଥାକୁ ମାନୁ ନଥିଲେ ରାହୁଲ। ହେଲେ ଏବେ ସେ ତାଙ୍କ ମା’ଙ୍କ କଥା ଟିକେ ମାନନ୍ତୁ ବୋଲି ମୋଦି କହିଥିଲେ।

ଉଡୁପି ଏବଂ ବେଲଗାଇଠାରେ ଅନୁଷ୍ଠିତ ସଭାରେ ମୋଦି ପୁଣି ରାହୁଲଙ୍କ ଉପରେ ବର୍ଷିଥିଲେ।

ନରେନ୍ଦ୍ର ମୋଦି କହିଛନ୍ତି, “ମେ ୧ ହେଉଛି କର୍ଣ୍ଣାଟକ ଏବଂ ଗୁଜରାଟର ପ୍ରତିଷ୍ଠା ଦିବସ। ଏହାସହ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକମାନେ କଠିନ ପରିଶ୍ରମ କରି ଦେଶକୁ ଆଗକୁ ନେଉଛନ୍ତି। ହେଲେ କଂଗ୍ରେସ ଅଧ୍ୟକ୍ଷ କେବେ କାମକୁ ଅପେକ୍ଷା କରନ୍ତି ନାହିଁ।”

ମୋଦି ଆହୁରି କହିଛନ୍ତି ଯେ ଦୁଇଟି ରାଜନୀତିକ ଦଳ ଭିତରେ ମତଭେଦ ଥାଏ। କିନ୍ତୁ ପରସ୍ପର ପ୍ରତି ସମ୍ମାନ ରହିବା ଉଚିତ୍। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା ଯେତେବେଳେ ଦିଲ୍ଲୀ ଆସିଛନ୍ତି ମୁଁ ତାଙ୍କୁ ସମ୍ମାନର ସହ ସ୍ୱାଗତ କରିଛି। କିନ୍ତୁ ରାହୁଲ ଗାନ୍ଧି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁଭାଗ୍ୟଜନକ।

କଂଗ୍ରେସ ଶାସନ ଅମଳରେ କର୍ଣ୍ଣାଟକରେ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏ ବାବଦରେ କଂଗ୍ରେସକୁ ଜବାବ ଦେବାକୁ ପଡ଼ିବ। କଂଗ୍ରେସ ଇଜ୍‌ ଅଫ୍ ଡୁଇଙ୍ଗ ମର୍ଡର ସଂସ୍କୃତିରେ ବିଶ୍ୱାସ କରୁଛି।

LEAVE A REPLY

Please enter your comment!
Please enter your name here