ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚତୁର୍ଥ ବର୍ଷରେ ପାଦ ଦେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର। ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କ ପାଇଁ ନୂଆ ଯୋଜନା ପ୍ରଣୟନ କରିବା ସହ ଦେଶରେ ୨୦ଟି ନୂଆ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିବାକୁ କ୍ୟାବିନେଟ୍‌ରେ ହୋଇଛି ନିଷ୍ପତ୍ତି।

କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ। ଏହି ବୈଠକରେ ଚାଷୀଙ୍କ ବିକାଶ ଉପରେ ଫୋକସ୍ ଦିଆଯାଇଛି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଦେବା ପାଇଁ ଦେଶରେ ଆଉ ୨୦ଟି ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟରେ ଘୋଷଣା କରାଯାଇଛି।

କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ୧୧ଟି ଭିନ୍ନ ଭିନ୍ନ ଯୋଜନା ପ୍ରଣୟନ କରାଯାଇଥିଲା। ଏବେ ଏସବୁ ଯୋଜନାକୁ ମିଶାଇ ଗୋଟିଏ ବଡ଼ ଯୋଜନା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନାର ନାଁ ରଖାଯିବ ‘ହରିତ କ୍ରାନ୍ତି କୃଷି ଉନ୍ନତି ଯୋଜନା’। ସେହିପରି ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ବିଶେଷ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ୩୦୮ ଜିଲ୍ଲାକୁ ସାମିଲ କରାଯିବ।”

ହରିତ କାନ୍ତି କୃଷି ବିକାଶ ଯୋଜନାରେ ୨୦୧୯-୨୦ ବର୍ଷ ପାଇଁ ୩୩,୨୭୩ କୋଟି ଟଙ୍କା ବ୍ୟୟ କରାଯିବ।

ରବିଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ ନବ ନିର୍ମାଣ ଯୋଜନାରେ ତିନୋଟି ଏୟାରପୋର୍ଟକୁ ଆଧୁନିକୀକରଣ କରାଯିବ। ଲକ୍ଷ୍ନୌ, ଚେନ୍ନାଇ ଏବଂ ଗୌହାଟୀ ବିମାନ ବନ୍ଦରର ଆଧୁନିକୀକରଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

LEAVE A REPLY

Please enter your comment!
Please enter your name here