ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ୨୦୧୯ ନିର୍ବାଚନ ଲଢ଼ିବା ଦଳ ପାଇଁ ମୁସ୍କିଲ ହୋଇପାରେ ବୋଲି ଆଲୋଚନା ହେଉଛି। ଆସନ୍ତା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ସଂକଳ୍ପ କରିଛି। ହେଲେ ଅର୍ଥ ପ୍ରତିବନ୍ଧକ ଥିବାରୁ କେତେଦୂର ତାହା ପୂରଣ ହୋଇପାରିବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ କଂଗ୍ରେସର ଆର୍ଥିକ ସଙ୍କଟ ଏତେ ଗଭୀରକୁ ଚାଲିଯାଇଛି ଯେ ବିଗତ ୫ ମାସ ଧରି ବିଭିନ୍ନ ରାଜ୍ୟରେ ଦଳୀୟ କାର୍ଯ୍ୟ ପାଇଁ ଯେତିକି ନ୍ୟୁନତମ ଅର୍ଥ ଦିଲ୍ଲୀରୁ ପଠାଇବା କଥା ତାହାକୁ ଅଟକାଇ ଦିଆଯାଇଛି।

ଆର୍ଥିକ ଅବସ୍ଥା ଉପରେ ନଜର ରଖୁଥିବା କିଛି କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଦଳର ସଦସ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ କୁହାଯାଇଛି। ଏଥି ସହିତ ପଦାଧିକାରୀଙ୍କ ଖର୍ଚ୍ଚ କାଟ କରିବା ପାଇଁ ମଧ୍ୟ କୁହାଯାଇଛି।

ପୂର୍ବରୁ ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ପାର୍ଟି ଚାନ୍ଦା ଆଦାୟ କରିବାରେ ବିଜେପି ସମସ୍ତ ପୁରୁଣା ରେକର୍ଡ଼କୁ ଭାଙ୍ଗିଦେଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୮୧ ପ୍ରତିଶତ ବୃଦ୍ଧି ସହିତ ବିଜେପି ୧୦୩୪ କୋଟି ଟଙ୍କା ରୋଜଗାର କରିଥିଲା। ଏହି ଚାନ୍ଦା ୬ଟି ବଡ଼ ବଡ଼ ଦଳର ଚାନ୍ଦା ଆଦାୟ ଠାରୁ ୬ ଗୁଣା ଅଧିକ। ବିଜେପି, କଂଗ୍ରେସ, ବିଏସପି, ତୃଣମୂଳ କଂଗ୍ରେସ, ସିପିଆଇ ପ୍ରଭୃତି ଦଳକୁ ଗତ ଆର୍ଥିକ ବର୍ଷରେ ମୋଟ ୧୫୫୯ କୋଟି ଚାନ୍ଦା ମିଳିଥିଲା। ଏଥି ମଧ୍ୟରୁ କେବଳ ବିଜେପିର ଭାଗ ହେଉଛି ଦୁଇ ତୃତୀୟାଂଶ।

ସାଧାରଣତଃ ଯେଉଁ ଦଳ କେନ୍ଦ୍ରରେ କ୍ଷମତାରେ ଥାଏ ସେହି ଦଳକୁ ସବୁଠାରୁ ଅଧିକ ଚାନ୍ଦା ମିଳିଥାଏ। ବିଜେପିକୁ ମିଳିଥିବା ୧୦୩୪ କୋଟି ଭିତରୁ ସ୍ୱଇଚ୍ଛାରେ ଦାନର ପରିମାଣ ୯୯୭ କୋଟି। ତେଣେ କଂଗ୍ରେସର ଚାନ୍ଦା ଆଦାୟ ବିଗତ ବର୍ଷ ତୁଳନାରେ ଢେର କମିଛି।

ଗତ ଆର୍ଥିକ ବର୍ଷରେ ଦଳକୁ ମାତ୍ର ୨୨୫ କୋଟି ଟଙ୍କା ମିଳିଥିଲା। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସର ଏକ ରିପୋର୍ଟ କହୁଛି ଯେ କଂଗ୍ରେସର ରୋଜଗାର ମୁଖ୍ୟତଃ କୂପନ ଜରିଆରେ ହୋଇଛି। କିନ୍ତୁ ୨୦୧୮ ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା କଂଗ୍ରେସ ଦଳ ଆୟର ୯୬ ଭାଗ ଟଙ୍କା ଖର୍ଚ୍ଚ କରିସାରିଛି। ସେଇଥିପାଇଁ ଦଳର ଆର୍ଥିକ ଅବସ୍ଥା ଗୁରୁତର।

LEAVE A REPLY

Please enter your comment!
Please enter your name here