ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିଜୟ ରଥ ରୋକିବା ପାଇଁ ଏବେଠାରୁ ବିରୋଧୀମାନେ ମେଳି ବାନ୍ଧିଲେଣି। କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏହାର ଶୁଭ ପଡ଼ିଛି।

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ସରକାର ଗଠନ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଥିଲେ ମଧ୍ୟ ବିଜେପି ହାତରୁ ଖସିଯାଇଛି କର୍ଣ୍ଣାଟକ। ଏବେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଗଠନ କରିଛନ୍ତି। ଏହି ମେଣ୍ଟ ସରକାର ହିଁ ବିଜେପି ବିରୋଧୀ ନେତାମାନଙ୍କୁ ଏକାଠି କରିବାରେ ସମର୍ଥ ହୋଇଛି।

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍‌ ଡି କୁମାରସ୍ୱାମୀ। ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧୀ ନେତାମାନେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ପ୍ରମୁଖ ଯୋଗ ଦେଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧୀ ନେତାମାନେ ଏକାଠି ହୋଇ ୨୦୧୯ ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି।

୨୦୧୪ ପରେ ଦେଶର ଯେତେ ରାଜ୍ୟରେ ନିର୍ବାଚନ ହୋଇଛି ସବୁଠି ବିଜେପି ବିଜୟୀ ହୋଇଛି। ୨୦ଟି ରାଜ୍ୟରେ ଶାସନ ପ୍ରତିଷ୍ଠା କରି କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ ଉଦ୍ୟମ କରୁଥିଲା। କର୍ଣ୍ଣାଟକରେ ସରକାର ଗଠନ କରିଥିଲେ ବିଜେପି ୨୧ଟି ରାଜ୍ୟରେ କ୍ଷମତାରେ ରହିଥାନ୍ତା। ହେଲେ କଂଗ୍ରେସ-ଜେଡିଏସ୍ ମେଣ୍ଟ ବିଜେପିକୁ ବଡ଼ ଝଟକା ଦେଇଛନ୍ତି। ବିଜେପିର ସବୁ ଯୋଜନାକୁ ଭଣ୍ଡୁର କରିଛନ୍ତି ଏହି ମେଣ୍ଟ ସରକାର।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଆଘାତ ଲାଗିଥିବାରୁ ବିରୋଧୀ ଶିବିରରେ ଖୁସିର ମାହୋଲ ଖେଳିଯାଇଛି। ୨୦୧୯ରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିରୋଧୀ ଏବେଠାରୁ ବଡ଼ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଦେଶର ୧୩ଟି ରାଜ୍ୟରେ ବିଜେପିକୁ ଚେକ୍ ଦେବା ପାଇଁ ୧୫ଟି ଦଳ ସଜ ହେଉଛନ୍ତି। ପ୍ରାୟ ୪୨୯ଟି ଲୋକସଭା ଆସନରେ ବିଜେପିକୁ ପରାଜିତ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ୨୦୧୯ରେ ବିଭିନ୍ନ ଆଞ୍ଚଳିକ ଦଳ ସହ କଂଗ୍ରେସ ମେଣ୍ଟ କରି ବିଜେପି ବିଜୟକୁ ରୋକିବା ପାଇଁ ଉଦ୍ୟମ କରିବ ବୋଲି ରାଜନୀତି କରିଡ଼ରରେ ଆଲୋଚନା ହେଉଛି।

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ହେବାର ସମ୍ଭାବନ ରହିଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳକଂଗ୍ରେସ-କଂଗ୍ରେସ ଭିତରେ ଆସନ ବୁଝାମଣା ହେବାର ସମ୍ଭାବନା ରହିଛି। ସେହିପରି ବିହାରରେ ବିଜେପି-ଜେଡିୟୁ ମେଣ୍ଟକୁ ରୋକିବା ପାଇଁ ଆରଜେଡି ସହ ୨୦୧୯ରେ କଂଗ୍ରେସ ମେଣ୍ଟ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତାମିଲନାଡ଼ୁରେ ଡିଏମ୍‌କେ ସହ କଂଗ୍ରେସ ମେଣ୍ଟ କରିବାର ଅନେକ ସମ୍ଭାବନା ରହିଛି। ଝାଡ଼ଖଣ୍ଡରେ ବିଜେପିକୁ ରୋକିବା ପାଇଁ ଜେଏମ୍‌ଏମ୍‌ ଏବଂ କଂଗ୍ରେସ ବହୁ ପୂର୍ବରୁ ହାତ ମିଳାଇ ସାରିଛନ୍ତି।

କିଛିଦିନ ତଳେ ସୋନିଆ ଗାନ୍ଧି ନୂଆଦିଲ୍ଲୀ ବାସଭବନରେ ଏକ ଡିନର ପାର୍ଟି ଡାକିଥିଲେ। ଏହି ପାର୍ଟିକୁ ବିଜେପି ବିରୋଧୀ ଦଳମାନଙ୍କୁ ଡକାଯାଇଥିଲା। ପ୍ରାୟ ୧୧ଟି ଦଳ ଏହି ପାର୍ଟିରେ ଯୋଗଦେଇଥିଲେ। ୨୦୧୯ ନିର୍ବାଚନରେ ମୋଦିଙ୍କୁ ଚେକ୍ ଦେବା ପାଇଁ ସୋନିଆ ଏହି ପାର୍ଟି ଡାକିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏବେ କର୍ଣ୍ଣାଟକରେ ପୁଣି ବିଜେପି ବିରୋଧୀମାନେ ଏକାଠି ହୋଇଥିବାରୁ କିଛି ଗୋଟେ ଘଟିବାକୁ ଯାଉଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here