ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନରେ ସବୁଠୁ କମ୍ ଆସନ ପାଇଥିବା ଜେଡିଏସ ଦଳର ନେତା ଏଚଡି କୁମାରସ୍ୱାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଆଜି ବେଙ୍ଗାଳୁରୁରେ ଅନୁଷ୍ଠିତ ହେବାକୁ ଯାଉଛି ଶପଥ ଗ୍ରହଣ ଉତ୍ସବ। ଏଥିରେ ଯୋଗ ଦେବେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ବିଜେପି ବିରୋଧୀ ଦଳର ନେତା। ସେଥିମଧ୍ୟରେ ସାମିଲ ଅଛନ୍ତି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ପୁଡୁଚେରି ଓ ଦିଲ୍ଲୀ ପ୍ରଭୃତି ଅଣ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ, କମ୍ୟୁନିଷ୍ଟ ପାର୍ଟି (ମାର୍କସିଷ୍ଟ) ମହାସଚିବ ସୀତାରାମ ୟେଚୁରୀ।
ଏଚ୍ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧି ମଧ୍ୟ ବେଙ୍ଗଳୁରୁରେ ପହଞ୍ଚିଛନ୍ତି।
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେଆର ରମେଶ। ଏହା ସହ କଂଗ୍ରେସକୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳରେ ୩୪ ଜଣ ମନ୍ତ୍ରୀ ସ୍ଥାନ ପାଇବେ। କଂଗ୍ରେସ ଭାଗରେ ୨୧ ଓ ଜେଡିଏସ ଭାଗରେ ୧୩ଟି ମନ୍ତ୍ରୀ ପଦ ପଡିପାରେ। ଗୃହ, ଅର୍ଥ ଓ ଶକ୍ତି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଶପଥ ଗ୍ରହଣ ପରେ ମେ ୨୪ ତାରିଖରେ ଏହି ମେଣ୍ଟ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ, ତାପରେ କ୍ୟାବିନେଟ ଗଠନ ହେବ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା। ସେ ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି କର୍ଣ୍ଣାଟକ ବିଧାନସଭା ବାହାରେ ଥିବା ଫ୍ରିଡମ ପାର୍କ ନିକଟରେ କଂଗ୍ରେସ-ଜେଡିଏସ ମେଣ୍ଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି ୟେଦୁରପ୍ପାଙ୍କ ସମେତ ବହୁ ବିଜେପି ନେତା।
୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବିଜୟ ରଥକୁ ରୋକିବାକୁ ମେଳି ବାନ୍ଧୁଛନ୍ତି କଂଗ୍ରେସ ସମେତ ଦେଶର ବହୁ ଆଞ୍ଚଳିକ ଦଳ। ସେଥିପାଇଁ ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧୀ ଦଳ ସବୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି।