ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଫିଲ୍ମ ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ବିରୋଧୀ ଦଳର ନେତାମାନଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶର ସବୁ ବିରୋଧୀ ଦଳର ନେତାଙ୍କ ଉପସ୍ଥିତିକୁ ସେ କଡ଼ା ସମାଲୋଚନା କରିଛନ୍ତି।

ଟୁଇଟରେ ରାୱଲ ଏହି ନେତାମାନଙ୍କ ଏକାଠି ହେବା ଘଟଣାକୁ ଶାଳୀ-ଭିଣୋଇ ସମ୍ପର୍କ ସହିତ ତୁଳନା କରିଛନ୍ତି। ଅବଶ୍ୟ ସେ ଏହି ଟୁଇଟରେ କାହାର ନାଁ ନେଇନାହାନ୍ତି। କିନ୍ତୁ ସେ ଯେଉଁ ଟିପ୍ପଣୀ କରିଛନ୍ତି ଆଶଙ୍କା କରାଯାଉଛି ଏନେଇ ବୋବାଲ ହେବା ସୁନିଶ୍ଚିତ। ସ୍କ୍ରିନସଟ ସହିତ ‘ଦେଖ ତମାସା ଦେଖ’ ଲେଖି ରାୱଲ ଟୁଇଟ କରିଛନ୍ତି।

ସ୍କ୍ରିନସଟରେ ସେ ଲେଖିଛନ୍ତି, “ମୋଦିଜୀଙ୍କୁ ୨୦୧୯ରେ ରୋକିବା ପାଇଁ ଏମିତି ଛିଡ଼ା ହୋଇଛନ୍ତି ଯେମିତିକି ଭିଣୋଇଙ୍କୁ ଅଟକାଇବା ପାଇଁ ଶାଳୀ ଦୁଆର ମୁହଁରେ ଠିଆ ହୋଇଥାଏ। ଶାଳୀ କିନ୍ତୁ ଜାଣେ ଯେ ଭିଣୋଇତ ଆସିବେ ହିଁ।”

ବର୍ତ୍ତମାନ ଅପେକ୍ଷା କରାଯାଉଛି ବିରୋଧୀ ଏଥିରେ କଣ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଚିତ୍ର ଅଭିନେତାରୁ ନେତା ବନିଥିବା ରାୱଲ ପ୍ରଥମ ଥର ପାଇଁ କଂଗ୍ରେସ ଓ ବିରୋଧୀ ଦଳକୁ ଟିପ୍ପଣୀ କରିଛନ୍ତି ତାହା ନୁହେଁ, ପୂର୍ବରୁ ମଧ୍ୟ ସେ ମଜାଦାର ମନ୍ତବ୍ୟ ଦେଇଆସିଛନ୍ତି।

ଫିଲ୍ମରେ ଠିକ୍ ବେଳାରେ ଯେମିତି ସେ ଡାଇଲଗ କହି ଦର୍ଶକଙ୍କୁ ହସାଇଥାନ୍ତି, ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ଉପରେ ସେ ଆଗରୁ ବହୁ ଥର ଥଟ୍ଟାମୂଳକ ଟୁଇଟ କରିଛନ୍ତି।

Comment