ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁଭଲକ୍ଷ୍ମୀଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଉଛନ୍ତି ସ୍ଵସ୍ତି ଗ୍ରୁପର ଅଧ୍ୟକ୍ଷ ତଥା ସ୍ଵସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ସୋସିଆଲ ଷ୍ଟଡିଜ୍(ସିମ୍ସ)ର ସଭାପତି ଜେକେ ମହାନ୍ତି

ସ୍କିଲ କମ୍ପିଟିସନ୍ ଅଧୀନରେ ବେକେରୀ ବିଭାଗରେ ଓଡ଼ିଶା ପାଇଁ ସୁନାମ ଆଣିବାକୁ ଯାଉଛନ୍ତି ସୁନାଝିଅ ଶୁଭଲକ୍ଷ୍ମୀ।

ସ୍କିଲ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପାଟିସେରି ଆଣ୍ଡ କନଫେକ୍ସନେରି ବିଭାଗରେ ସ୍ଵର୍ଣ୍ଣ ଜିତିଥିବା ଶୁଭଲକ୍ଷ୍ମୀ ସୁବୁଦ୍ଧି ଜାତୀୟସ୍ତରୀୟ ଟ୍ରେନିଂ ପାଇଁ ଋଷିକେଶ ଯାଉଛନ୍ତି। ସେଠାରେ ଥିବା ଲୋକପ୍ରିୟ ଲକ୍ଷ୍ମଣ ଝୁଲା ରିସର୍ଟରେ ଅଧିକ ତାଲିମ ନେବେ। ଶୁଭଲକ୍ଷ୍ମୀଙ୍କୁ ଏହି ତାଲିମ ଦେବେ ୨୦୧୭ ବିଶ୍ଵ ସ୍କିଲ ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ମୋହିତ ଡୁଡେଜା।

ପାଟିସେରି ଆଣ୍ଡ କନଫେକ୍ସନେରି ବିଭାଗରେ ବିଶେଷ କୃତିତ୍ଵ ପ୍ରଦର୍ଶନ କରିଥିବା ଶୁଭଲକ୍ଷ୍ମୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ପ୍ରାଦେଶିକସ୍ତରୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣଙ୍କ ପକ୍ଷରୁ ପଠାଯାଉଛି।

ଆଗାମୀ ଜୁନ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିଭିନ୍ନ ପୂର୍ବାଞ୍ଚଳ ରାଜ୍ୟ ସମୂହ ପାଇଁ ପ୍ରାଦେଶିକସ୍ତରୀୟ ସ୍କିଲ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।

ଯୁବ ଶକ୍ତିଙ୍କୁ ଦକ୍ଷତା ସମ୍ପନ୍ନ କରାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍କିଲଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ତଥା ବିଶ୍ୱ ସ୍କିଲ ପ୍ରତିଯୋଗିତା ପରିପ୍ରେକ୍ଷୀରେ  ପ୍ରଥମ ଥର ପାଇଁ ଏପ୍ରିଲ ମାସରେ ରାଜ୍ୟସ୍ତରୀୟ ସ୍କିଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ସ୍କିଲ ପ୍ରତିଯୋଗିତାରେ ସ୍ଵସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ ସୋସିଆଲ ଷ୍ଟଡିଜ୍(ସିମ୍ସ)ର ଛାତ୍ରୀ ଶୁଭଲକ୍ଷ୍ମୀ ସୁବୁଦ୍ଧି ସ୍ଵର୍ଣ୍ଣ ପଦକ ଜିତି ପରବର୍ତ୍ତୀ ପର୍ଯ୍ୟାୟ ସ୍କିଲ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।


ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓଡ଼ିଶାଲାଇଭକୁ କହିଛନ୍ତି, “ଶୁଭଲକ୍ଷ୍ମୀ ନିଜେ ଏକ ବରଦାନ। ତାଙ୍କ ଭିତରେ ଯେଉଁ ପ୍ରତିଭା ରହିଛି ତାହା ତାଙ୍କୁ ଏବେ ଏକ ନୂଆ ଉଚ୍ଚତାକୁ ନେବାକୁ ଯାଉଛି। ସେ ଓଡ଼ିଶା ପାଇଁ ଜାତୀୟସ୍ତରରେ ସୁନାମ ଆଣିବେ, ଏହା ମୋର ଆଶା”।

ସେହିପରି ଶୁଭଲକ୍ଷ୍ମୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ସ୍ଵସ୍ତି ହୋଟେଲ ଗ୍ରୁପର ଅଧ୍ୟକ୍ଷ ତଥା ସ୍ଵସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍(ସିମ୍ସ)ର ସଭାପତି ଜେକେ ମହାନ୍ତି।

“ଶୁଭଲକ୍ଷ୍ମୀ ତାଙ୍କ ଭିତରର ପ୍ରତିଭା, ପରିଶ୍ରମ ଏବଂ ଜୀବନରେ କିଛି କରିଦେଖାଇବାର ଇଚ୍ଛା ପାଇଁ ଏହି ସଫଳତା ପାଇପାରିଛନ୍ତି। ଏଥିପାଇଁ ମୁଁ ଅତ୍ୟନ୍ତ ଖୁସି। ତାଙ୍କର ଏହି ସଫଳତା ପଛରେ ମଧ୍ୟ ରହିଛି ଆମ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ଅବଦାନ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସହଯୋଗ ଓ ପ୍ରୋତ୍ସାହନ। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି”, ଓଡ଼ିଶାଲାଇଭକୁ କହିଛନ୍ତି ଜେକେ ମହାନ୍ତି।

ନିଜ ସଫଳତାର କାହାଣୀ ବଖାଣିବାକୁ ଯାଇ ଶୁଭଲକ୍ଷ୍ମୀ ଓଡ଼ିଶାଲାଇଭକୁ କହିଛନ୍ତି, “ମୁଁ ଆଜି ଯେଉଁଠି ପହଞ୍ଚିଛି ସେଥିରେ ମୋ ଇନଷ୍ଟିଚ୍ୟୁଟର ଶିକ୍ଷକମାନଙ୍କ ଅବଦାନ ରହିଛି। ବିଶେଷକରି ଆମ ପ୍ରଡକ୍ସନ ସାର୍ ରାକେଶ କୁମାର ସାହୁ ଏବଂ ପ୍ରିନ୍ସପାଲ୍ ମ୍ୟାଡାମ ଅସୀମା ପଣ୍ଡା ମୋତେ ଏଥିପାଇଁ ବିଶେଷ ସାହାଯ୍ୟ କରିଛନ୍ତି। ସମସ୍ତଙ୍କ ପ୍ରେରଣାରେ ମୁଁ ସ୍କିଲ୍ ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ଜିତିବାରେ ସକ୍ଷମ ହୋଇଛି”।

ଶୁଭଲକ୍ଷ୍ମୀ ସୁବୁଦ୍ଧି ସ୍ଵସ୍ତି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍(ସିମ୍ସ)ରେ ହୋଟେଲ ମ୍ୟାନେଜମେଣ୍ଟରେ ବ୍ୟାଚେଲର ଡିଗ୍ରୀ କରୁଛନ୍ତି। ବର୍ତ୍ତମାନ ତାଙ୍କର ଶେଷବର୍ଷ। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବାପା କଟକ ମୁନିସିପାଲଟିରେ ଜଣେ ଡ୍ରାଇଭର କାମ କରୁଥିଲେ। ଫଳରେ ଶୁଭଲକ୍ଷ୍ମୀ ନିଜ ମା’ଙ୍କ ସହ ଦିଘା ଫେରିଯାଇ ଗାଁରେ ରହୁଥିଲେ। ଏହାପରେ ସେ ଭୁବନେଶ୍ୱର ଆସି ସିମ୍ସରେ ନାଁ ଲେଖାଇଲେ। କଠିନ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ପାଇପାରିଛନ୍ତି। ତାଙ୍କ ସାନ ଭଉଣୀ ଭାଗ୍ୟଲକ୍ଷ୍ମୀ ମଧ୍ୟ ସ୍ଵସ୍ତି ଶିକ୍ଷାନୁଷ୍ଠାନରେ ହୋଟେଲ ମ୍ୟାନେଜମେଣ୍ଟରେ ଭର୍ତ୍ତି ହୋଇଛନ୍ତି। କଠିନ ପରିଶ୍ରମ କରି ଦୁଇ ଝିଅଙ୍କୁ ମଣିଷ କରିବାକୁ ଆଗେଇ ଆସିଛନ୍ତି ତା’ଙ୍କ ମା’।

“ଶୁଭଲକ୍ଷ୍ମୀର ଖୁବ ଭଲ ହାତ। ସେ ପ୍ରଥମବର୍ଷ ପଢ଼ୁଥିବାବେଳେ ସ୍ଵସ୍ତିର ବିଏନସି ବେକେରୀ ଯାଇ ପ୍ରାକ୍ଟିକାଲ ଟ୍ରେନିଂ ନେଉଥିଲେ। ପରବର୍ତ୍ତୀ ସମୟରେ କଲେଜର ବେକେରୀ ଲ୍ୟାବ୍‌ରୁ ଯାହା ସବୁ ଶିଖିଛନ୍ତି। ତାଙ୍କ ଭିତରେ ଥିବା ବିଶେଷ ପ୍ରତିଭା ଆଜି ତାଙ୍କୁ ଏହି ସୁଯୋଗ ଆଣିଦେଇଛି”, କହିଛନ୍ତି ସିମ୍ସର ଅଧ୍ୟକ୍ଷା ଅସୀମା ପଣ୍ଡା। ଆଗକୁ ପ୍ରାଦେଶିକ ଏବଂ ଜାତୀୟସ୍ତରରେ ହେବାକୁ ଥିବା ସ୍କିଲ ପ୍ରତିଯୋଗିତାରେ ସଫଳତା ପାଇ ଆଗାମୀ ୨୦୧୯ରେ ଋଷରେ ହେବାକୁ ଥିବା ୱାର୍ଲ୍ଡ ସ୍କିଲ କମ୍ପିଟିସନରେ ଶୁଭଲକ୍ଷ୍ମୀ ମେଡାଲ ଜିତିବେ ବୋଲି ଆଶା ରଖିଛନ୍ତି ତାଙ୍କ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା, ଅଧ୍ୟାପକ ଏବଂ ତାଙ୍କର ସହପାଠୀମାନେ।

ରାଜ୍ୟରେ ଉଚ୍ଚମାନର ହୋଟେଲ ଏବଂ ରେସ୍ତୋରାଁ ସଂସ୍କୃତିର ପ୍ରସାର କ୍ଷେତ୍ରରେ ସ୍ଵସ୍ତି ଗ୍ରୁପର ପ୍ରମୁଖ ଅବଦାନ ରହିଛି। ହୋଟେଲ ଶିଳ୍ପ ସହିତ ପର୍ଯ୍ୟଟନ କ୍ଷେତ୍ରରେ ଆବଶ୍ୟକ ହେଉଥିବା ତାଲିମପ୍ରାପ୍ତ ମାନବସମ୍ବଳ ତିଆରି କରିବା ଲାଗି ଏହି ଗ୍ରୁପ ପକ୍ଷରୁ କିଛିବର୍ଷ ତଳୁ ଭୁବନେଶ୍ଵରରେ ଆରମ୍ଭ କରାଯାଇଛି ସ୍ଵସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍(ସିମ୍ସ)।

Comment