ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇ ପରସ୍ପର ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି।
ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲେ ରାଜନୀତିର ଦୁଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅବସର ଥିଲା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ୪୯ତମ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା।
ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଓ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସ୍ୱାଗତ କରିଥିଲେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଶାନ୍ତିନିକେତନ ଆସିଥିଲେ। ଶାନ୍ତିନିକେତନ ନିକଟରେ ପହଞ୍ଚିବା ପରେ ମମତା ବାନାର୍ଜୀ ହେଲିପ୍ୟାଡ ନିକଟରୁ ମୋଦିଙ୍କୁ ସମାବର୍ତ୍ତନ ସ୍ଥଳକୁ ପାଛୋଟି ନେଇଥିଲେ। ମୋଦିଙ୍କୁ ଫୁଲତୋଡ଼ା ଦେଇ ମଧ୍ୟ ସ୍ୱାଗତ କରିଥିଲେ ମମତା।
ଏହି ସମାବର୍ତ୍ତନ ଉତ୍ସବରେ ମମତା ଏବଂ ମୋଦି ଗୋଟିଏ ମଞ୍ଚରେ ଏକାଠି ବସିଥିଲେ। ଉଭୟ ନେତାଙ୍କ ମଝିରେ ବସିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।

ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ବାଂଲାଦେଶ ଭବନ ଉଦଘାଟନ କରିଥିଲେ ମୋଦି ଓ ହସିନା। ପାଖାପାଖି ୨୫କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ବାଂଲାଦେଶ ଭବନ।
ଶାନ୍ତିଭବନରେ ଦୁଇଦେଶର ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଇଥିଲା। ଶେଖ ହସିନାଙ୍କ ସହ ୧୫୦ ଜଣ ପ୍ରତିନିଧିମଣ୍ଡଳୀ ଏହି ଆଲୋଚନାରେ ଭାଗ ନେବାକୁ ଭାରତ ଆସିଥିଲେ। ୩୭ ଦିନ ମଧ୍ୟରେ ଶେଖ ହସିନାଙ୍କ ସହ ମୋଦିଙ୍କର ଏହା ଦ୍ଵିତୀୟ ଆଲୋଚନା।

















