ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଉପ-ନିର୍ବାଚନରେ ପଦ୍ମ ଫୁଟୁ ନଥିବାରୁ ଲୋକସଭାରେ ବିଜେପି ଆସନ ସଂଖ୍ୟା କମି ଚାଲିଛି। ୨୦୧୪ରେ ଏକାକୀ ୨୮୨ ଆସନ ପାଇଥିବା ବିଜେପିର ଆସନ ସଂଖ୍ୟା ଏବେ ୨୭୦କୁ ଖସି ଆସିଛି।

୨୦୧୪ରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି ୨୦୧୯ରେ ପୁଣି ବିଜୟ ବାନା ଉଡ଼ାଇବ ବୋଲି ଆଶା କରିଥିଲା। ହେଲେ ସେ ଆଶା ମଉଳିବାରେ ଲାଗିଛି। ଉପ-ନିର୍ବାଚନରେ ବିଜେପି ହାତରୁ ଗୋଟିଏ ଗୋଟିଏ ଆସନ ଖସି ଯାଉଥିବାରୁ ଦଳ ପାଇଁ ଚିନ୍ତା ବଢ଼ିଛି। ୨୦୧୯ରେ ବିଜେପି ସହଜରେ ବିଜୟ ହାସଲ କରିବା ସମ୍ଭବ ହେବନାହିଁ ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

୨୦୧୪ରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଲୋକସଭାର ୫୪୩ ଆସନରୁ ଏନଡିଏ ୩୩୬ଟି ପାଇଥିବା ବେଳେ କେବଳ ବିଜେପି ପାଇଥିଲା ୨୮୨। ହେଲେ ୪ ବର୍ଷ ପରେ ବିଜେପି ୨୭୦ ଆସନକୁ ଖସି ଆସିଛି। ବିଭିନ୍ନ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପରାଜିତ ହେଉଥିବାରୁ ଦଳ ଏକକ ସଂଖ୍ୟାଗରିଷ୍ଠତା ହରାଇଥିବା ଚର୍ଚ୍ଚା ହେଉଛି।

ଚାରି ବର୍ଷରେ ଦେଶରେ ୨୩ଟି ଉପ-ନିର୍ବାଚନ ହୋଇଛି। ସେଥିମଧ୍ୟରୁ ବିଜେପି ୧୦ଟି ଆସନରେ ପରାଜିତ ହୋଇଛି। କର୍ଣ୍ଣାଟକର ଦୁଇ ଜଣ ସାଂସଦ ନିକଟରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଇସ୍ତଫା ଦେଇଥିବାରୁ ବିଜେପି ଆସନ ୨୭୦କୁ ଖସି ଆସିଛି। ଲୋକସଭାରେ ମ୍ୟାଜିକ ନମ୍ବର ହେଉଛି ୨୭୨। ହେଲେ ବିଜେପି ମ୍ୟାଜିକ ନମ୍ବର ତଳକୁ ଖସି ଆସିଛି।

ମଧ୍ୟପ୍ରଦେଶର ରତଲମ୍, ପଞ୍ଜାବର ଗୁରୁଦାସପୁର, ରାଜସ୍ତାନର ଅଲୱାର ଏବଂ ଆଜମେର, ଉତ୍ତରପ୍ରଦେଶର ଫୁଲପୁର ଏବଂ ଗୋରଖପୁର ଆସନ ବିଜେପି ହାତରୁ ଖସି ଯାଇଥିଲା।

ମେ ୨୮ ତାରିଖରେ ୪ଟି ଲୋକସଭା ଆସନରେ ଉପ-ନିର୍ବାଚନ ହୋଇଥିଲା।  ଆଜି ଏହାର ଫଳ ପ୍ରକାଶ ପାଇଛି। ସେଥିରୁ ବିଜେପି ଉତ୍ତରପ୍ରଦେଶର କୈରାନା ଏବଂ ମହାରାଷ୍ଟ୍ରର ଭଣ୍ଡାରେ-ଗେନ୍ଦିଆ ଆସନରେ ପରାଜିତ ହୋଇଛି। ୪ ବର୍ଷରେ ବିଜେପି ମାତ୍ର ୪ଟି ଉପନିର୍ବାଚନରେ ବିଜୟୀ ହୋଇଛି। ତାହା ହେଉଛି ଆସାମର ଲଖିମପୁର, ମଧ୍ୟପ୍ରଦେଶର ସାଦୋଲ, ମହାରାଷ୍ଟ୍ରର ବିଡ୍ ଏବଂ ଗୁଜୁରାଟର ଭଦୋଦରା।

୩୦ ବର୍ଷ ପରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇ ୨୦୧୪ରେ ସରକାରକୁ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ୧୯୮୪ରେ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠତା ପାଇଥିଲା। ଏହାପରେ କୌଣସି ଦଳ ଏକାକୀ ଏତେ ସଂଖ୍ୟକ ଆସନ ପାଇ ନଥିଲେ। ହେଲେ ୪ ବର୍ଷ ଭିତରେ ବିଜେପିର ଆସନ ସଂଖ୍ୟା କମି ଥିବାରୁ ୨୦୧୯ ନିର୍ବାଚନ ବିଜେପି ପାଇଁ ସହଜ ହେବ ନାହିଁ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି।

ଆଜି ୧୦ଟି ବିଧାନସଭା ଏବଂ ୪ଟି ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନ ଫଳ ପ୍ରକାଶ ପାଇଛି। ଏହିସବୁ ଉପ-ନିର୍ବାଚନରେ ବିଜେପି ହାୱା କାମ କରିନି। ବିଜେପି ବିରୋଧୀ ଦଳର ପ୍ରାର୍ଥୀମାନେ ଜିତିଥିବାରୁ ୨୦୧୯ରେ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଚାରି ବର୍ଷ ଭିତରେ ଜାତୀୟ ରାଜନୀତିରେ ଅନେକ ଘଟଣା ଘଟିଛି। ଏନଡିଏ ମେଣ୍ଟରୁ ଟିଡିପି ଓ ଶିବସେନା ଓହରି ଯାଇଛନ୍ତି। ଏଣୁ ବିଜେପି ପାଇଁ ୨୦୧୯ ନିର୍ବାଚନ ସହଜ ହେବ ନାହିଁ ବୋଲି ରାଜନୀତି କରିଡରରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here