ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟ ପ୍ରକ୍ରିୟାକକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ର ସମୂହ ପୁଞ୍ଜି ନିବେଶକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ସହଯୋଗ କରିବା ପାଇଁ ଧର୍ମେନ୍ଦ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଭାରତ ଯେଉଁ ଅଶୋଧିତ ତୈଳ ଆମଦାନୀ କରୁଛି ସେଥିରୁ ୬୦ ଭାଗ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ର ସମୂହରୁ ଆସୁଛି। ଶକ୍ତି ସୁରକ୍ଷା ପାଇଁ ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଭାରତ ନିର୍ଭରଶୀଳ। ଏଣୁ ସେ ଦେଶଗୁଡ଼ିକର ଖାଦ୍ୟ ସୁରକ୍ଷା ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବ।”

ୟୁଏଇ ଭଳି ଦେଶଗୁଡ଼ିକୁ ଖାଦ୍ୟ, କୃଷି ଓ ସାମୁଦ୍ରିକ ଉତ୍ପାଦର ରାପ୍ତାନିକୁ ବହୁ ମାତ୍ରାରେ ବଢ଼ାଯାଇ ପାରିବ। ୟୁଏଇରେ ୩.୩ ନିୟୁତ ଭାରତୀୟ ବସବାସ କରୁଛନ୍ତି। ଏହି ଦେଶକୁ ଯେଉଁ ଖାଦ୍ୟ ଆମଦାନୀ ହେଉଛି ସେଥିରୁ ୧୮ ପ୍ରତିଶତ ଭାରତରୁ ଯାଉଛି। ବନ୍ଦର ନଗରୀ ପାରାଦୀପ ମଧ୍ୟ-ପ୍ରାଚ୍ୟ ଦେଶମାନଙ୍କ ପାଇଁ ଖାଦ୍ୟପ୍ରକିୟାକରଣର ପେଣ୍ଠ କିପରି ହୋଇପାରିବ ସେ ସମ୍ପର୍କରେ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଧର୍ମେନ୍ଦ୍ର ୟୁଏଇ ଗସ୍ତ ବେଳେ ଏ ସମ୍ପର୍କରେ ସେଠାକାର ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାର ଭିତ୍ତିଭୂମି, କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଉତ୍ପାଦ ସମ୍ପର୍କରେ ଅବଗତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ପଶ୍ଚିମଓଡ଼ିଶାର ସୁବାଷିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦ, କନ୍ଧମାଳର ହଳଦି, ଆମ୍ବ, କୋରାପୁଟର ଅଦା ଆଦି ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ରପ୍ତାନି କରାଯାଇ ପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ୟୁଏଇରେ ଅନୁଷ୍ଠିତ ପୁଞ୍ଜିନିବେଶକାରୀ ବୈଠକକୁ ଭାରତୀୟ ଦୂତାବାସ ତରଫରୁ ଆୟୋଜନ କରାଯାଇଥିଲା। ଏହି ବୈଠକରେ ପ୍ରମୁଖ ପୁଞ୍ଜିନିବେଶକାରୀ ସଂସ୍ଥା ଏମ୍‌ଆର୍‌, ଲୁଲୁ, ଆଲମାୟା, ଏକେଏମ, ଏନଏମସି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ସଂସ୍ଥାର ପ୍ରମୁଖ ପ୍ରତିନିଧିମାନେ ଓଡ଼ିଶା ଆସିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment