ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷର ପ୍ରଥମ ଦିନରେ ବସିଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦେଶର କୃଷି କ୍ଷେତ୍ରକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ଦେଶରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବ୍ୟୟବରାଦ ବଢ଼ାଯାଇଛି। ଏନେଇ କେନ୍ଦ୍ର ରେଳ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ରାଶିକୁ ୬୯ ହଜାର ୫୧୫ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ଏହା ଆର୍ଥିକ ବର୍ଷ ୨୦୨୫-୨୬ ଯାଏଁ ବଳବତ୍ତର ରହିବ।

ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ ହଜାର ୮୫୦ କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ ମିଳିଛି। ୫୦ କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧,୩୫୦ ଟଙ୍କା ରହିବ। ଚାଷୀମାନଙ୍କୁ ଏହା ସବସିଡି ମୂଲ୍ୟରେ ଯୋଗାଇ ଦିଆଯିବ।

ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ସେମାନଙ୍କୁ କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଫଣ୍ଡ ଫର ଇନୋଭସେନ ଆଣ୍ଡ ଟେକନୋଲୋଜି ବ୍ୟବସ୍ଥାର ବିକାଶ ପାଇଁ ୮୨୪ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବ।

Tags: #CentralCabinet #PMFBY #Agriculture #India

Comment