ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତରୁ ଫାଇଦା ନେବା ପାଇଁ ରାଜ୍ୟ ବିଜେପି ନେତାମାନେ ଚାହୁଁଛନ୍ତି। ଏଥିପାଇଁ ଲୋକସମ୍ପର୍କ ଅଭିଯାନକୁ ଜୋରଦାର କରୁଛି ବିଜେପି।

ରାଜ୍ୟ ବିଜେପି ପକ୍ଷରୁ ଲୋକସମ୍ପର୍କ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୧୯ ନିର୍ବାଚନ ପାଇଁ ଏବେଠାରୁ ହିଁ ଲୋକଙ୍କ ପାଖରେ ପହଞ୍ଚିବା ନିତାନ୍ତ ଦରକାର ବୋଲି ନେତାମାନେ ଭାବି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତରୁ ଯଥେଷ୍ଟ ଫାଇଦା ନେବାକୁ ଦଳ ଉଦ୍ୟମ ଆରମ୍ଭ କରିଛି। ସମଗ୍ର ରାଜ୍ୟରେ କର୍ମୀମାନଙ୍କୁ ଗାଁ ଗହଳରେ ଖେଳେଇ ହେବା ପାଇଁ କୁହାଯାଇଛି।

ମୋଦି ସରକାରଙ୍କ ଚାରି ବର୍ଷର ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଉପଦେଶ ଦିଆଯାଇଛି। ମୋଦି ସରକାର ଚାରି ବର୍ଷ ପୂରଣ କରିବା ପରେ ମେ ୨୬ ତାରିଖରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚଳିତ ୧୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଲୋକ ସମ୍ପର୍କ ଅଭିଯାନକୁ ସେତିକିରେ ରଖା ଯିବ ନାହିଁ। ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହା ଚାଲୁ ରହିବ।

ମୋଦିଙ୍କ ରାଲିକୁ ପାଥେୟ କରି କର୍ମୀମାନେ ଗାଁ ଗହଳିରେ ବିଜେପି ସପକ୍ଷରେ ଏକ ମାହୋଲ ସୃଷ୍ଟି କରନ୍ତୁ ଏକଥା ଚାହୁଁଛନ୍ତି ରାଜ୍ୟ ବିଜେପି ନେତୃତ୍ୱ। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଉପରେ ଗୁରୁତ୍ୱ ଦେଉଥିବାରୁ ବିଜେପିର ରାଜ୍ୟ ନେତାମାନେ କୌଣସି ଉଦ୍ୟମକୁ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି। ଅନ୍ୟ ଦଳ ତୁଳନାରେ ନିଜକୁ କେମିତି ଭୋଟରଙ୍କ ପାଖରେ ଉପସ୍ଥାପନ କରିବାକୁ ହେବ ସେ ବିଦ୍ୟାଟି ନିହାତି ଜାଣିବା ଦରକାର ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ପ୍ରାକ- ନିର୍ବାଚନୀ ପ୍ରଚାର ଏବେଠାରୁ ଆରମ୍ଭ ନକଲେ ଠିକ୍ ସମୟ ବେଳକୁ ହଡ଼ବଡ଼ ହେବାକୁ ପଡ଼ିବ ବୋଲି କହିଛନ୍ତି ଅନ୍ୟ ଜଣେ ବରିଷ୍ଠ ନେତା। ମହାସମ୍ପର୍କ କାର୍ଯ୍ୟକ୍ରମ ପୂର୍ବରୁ ସମଗ୍ର ରାଜ୍ୟରେ ଗ୍ରାମ ସ୍ୱରାଜ ଅଭିଯାନ ଚାଲିଥିଲା। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନରେନ୍ଦ୍ର ମୋଦି ସରକାର କଣ ସବୁ କରିଛନ୍ତି ସେନେଇ ସ୍ଥାନୀୟ ନେତା ଓ କର୍ମୀଙ୍କୁ ବୁଝେଇବା ଦରକାର ବୋଲି ମତ ପ୍ରକାଶ ପାଇଛି ଓ ସେ ଅନୁଯାୟୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି।

‘ମୋ ବୁଥ ସବୁଠୁ ମଜଭୁତ’ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବୁଥ ସ୍ତର ପର୍ଯ୍ୟନ୍ତ ବିଜେପି ତାର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଚାହୁଁଛି। ଅମିତ ଶାହା ଅତୀତରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ସଙ୍ଗଠନକୁ ଦୃଢ଼ କରିବା ପାଇଁ ଉଦ୍ୟମ କରିଥିଲେ।

୨୦୧୭ ଜୁଲାଇ ମାସରେ ସେ ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଓଡ଼ିଶା ବିଜେପି ପକ୍ଷରୁ ଆଉ ଏକ କାର୍ଯ୍ୟକ୍ରମ ମଧ୍ୟ ଜୋରଦାର କରାଯାଇଛି। ୧୪୭ଟି ବିଧାନସଭା ଆସନ ପାଇଁ ଯେଉଁ ‘ବିସ୍ତାରକ’ ମାନେ ନିଯୁକ୍ତ ହୋଇଥିଲେ ସେମାନେ ବିଭିନ୍ନ ଗାଁ ଓ ସହରକୁ ଯାଇ କର୍ମୀ ଭୋଟରମାନଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବା କାମରେ ଲାଗିଛନ୍ତି। ଏହିସବୁ ସମ୍ପର୍କ ଭୋଟ ବେଳେ ବିଶେଷ କାମରେ ଆସିବ ବୋଲି ଚିନ୍ତା କରି ଦେଖା ଯାଇଛି। ତେବେ ମୋଦି-ଶାହାଙ୍କ ଅଭିଳାଷକୁ ରାଜ୍ୟ ବିଜେପି ନେତା ମାନେ କେତେଦୂର ସାକାର କରିପାରୁଛନ୍ତି ତାହା ଅପେକ୍ଷା କରି ଦେଖିବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here